କରୋନା ସମୟରେ ଡ଼ାକ୍ତରଖାନା ଯିବାପାଇଁ ୧୦୮ ଆମ୍ବୁଲାନ୍ସକୁ ଅଧିକ ସୁରକ୍ଷିତ ମଣୁଛନ୍ତି ରୋଗୀ


ଭୁବନେଶ୍ୱର: କରୋନା ମହାମାରୀ ଆରମ୍ଭ ପରଠାରୁ ଏହା ବିରୁଦ୍ଧରେ ଆଗଧାଡ଼ିର ନେତୃତ୍ୱ ନେଇଛନ୍ତି ରାଜ୍ୟରେ ସ୍ୱାସ୍ଥ୍ୟସେବାରେ କାମ କରୁଥିବା ହଜାର ହଜାର ସ୍ୱାସ୍ଥ୍ୟ କର୍ମୀ । ତେବେ ଏହିପରି ଘଡ଼ିସନ୍ଧି ମୂହୂର୍ତରେ ଅଣ-କରୋନା ରୋଗୀଙ୍କ ଲାଗି ଦେବଦୂତ ସାଜିଛନ୍ତି ରାଜ୍ୟରେ କାର୍ଯ୍ୟ କରୁଥିବା ୧୦୮ ଆମ୍ବୁଲାନ୍ସ ସେବା ଓ ଏହାର କର୍ମୀମାନେ । ସଂକଟର ଏହି ଘଡ଼ିରେ ମାସ ମାସ ନିଜ ଘରକୁ ନଯାଇ ଲୋକଙ୍କ ସେବା କରୁଛନ୍ତି । ବିଭିନ୍ନ ଦୁର୍ଗମ ଅଂଚଳ, ବିଚ୍ଛିନ୍ନାଂଚଳ ହେଉ ଅବା କୋଭିଡ ପ୍ରଭାବିତ କଟେଂନମେଂଟ ଜୋନ ନିଜ କର୍ତବ୍ୟକୁ ସର୍ବଦା ଆଗରେ ରଖି କାର୍ଯ୍ୟ କରୁଛନ୍ତି ।
ଏହି ସମ୍ପର୍କରେ ସୂଚନା ଦେଇ ଓଡ଼ିଶାରେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା, ଜିକିତ୍ସା ହେଲଥକେୟାର ଲିମିଟେଡ଼ର ଓଡ଼ିଶା ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ମହାମାରୀ ଆରମ୍ଭ ପରଠାରୁ ରୋଗୀ ସେବା ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେଣୁ ଏହି ମହାମାରୀ ସମୟରେ ସର୍ବଦା ଆମେ ଅଣ କରୋନା ରୋଗୀଙ୍କୁ କିପରି ସୁରକ୍ଷିତଭାବେ ଡ଼ାକ୍ତରଖାନା ନେବୁ ତାହା ଉପରେ ବିଶେଷ ଧ୍ୟାନ ଦେଇଛୁ । ତେଣୁ ସ୍ତାନାନ୍ତର ହେଉଥିବା କୌଣସି ରୋଗୀ କରୋନା ସଂକ୍ରମିତ ନହୁଅନ୍ତି ସେଥିପାଇଁ ଆମେ ଗାଡ଼ିକୁ ଠିକଭାବେ ସାନିଟାଇଜକରି ରୋଗୀକୁ ଆମ୍ବୁଲାନ୍ସରେ ନେଇଥାଉ । ରୋଗୀକୁ ଡ଼ାକ୍ତରଖାନା ଛାଡ଼ିଲା ପରେ ଗାଡ଼ିକୁ ପୁଣିଥରେ ସାନିଟାଇଜ କରିଥାଉ । ଏଥିପାଇଁ ବର୍ତମାନ ରୋଗୀମାନେ ୧୦୮ ଆମ୍ବୁଲାନ୍ସରେ ଯିବାପାଇଁ ସୁରକ୍ଷିତ ମଣୁଛନ୍ତି । ଏହି ଦିଗରେ ଆମର ସମସ୍ତ ଆମ୍ବୁଲାନ୍ସ କର୍ମୀମାନେ ନିର୍ଦ୍ଧାରିତ କୋଭିଡ ନିୟମମାନ ପାଳନ କରି କାର୍ଯ୍ୟ କରୁଛନ୍ତି । କାର୍ଯ୍ୟକ୍ଷେତ୍ରରେ ଆମର ଆମ୍ବୁଲାନ୍ସ କର୍ମୀମାନେ ହ୍ୟାଣ୍ଡ ଗ୍ଲୋବ୍‌ସ, ଫେସ ମାସ୍କ ଓ ହେଡକଭର ବ୍ୟବହାର କରୁଛନ୍ତି । ପ୍ରତ୍ୟେକ ଥର ରୋଗୀ ସ୍ଥାନାନ୍ତର ପରେ ଆମ୍ବୁଲାନ୍ସ ଏବଂ କର୍ମୀମାନଙ୍କୁ ସମ୍ପୂର୍ଣ୍ଣ ସାନିଟାଇଜେସନ କରାଯାଏ । କେବଳ ଗଞ୍ଜାମ ଜିଲ୍ଲାରେ କୋଭିଡ, ସଂନ୍ଦିଗ୍ଧ କୋଭିଡ଼ ଏବଂ ଅଣକୋଭିଡ଼ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଛି ଯେବେକି ଅନ୍ୟ ଜିଲ୍ଲା ମାନଙ୍କରେ କେବଳ ଅଣ-କୋଭିଡ ରୋଗୀ ମାନଙ୍କୁ ସ୍ଥାନାନ୍ତର କରାଯାଉଛି ।”
ଏହା ସହ ସେ ନିକଟରେ ମୟୂରଭଞ୍ଜ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ କର୍ମୀଙ୍କ ଅବହେଳା ପ୍ରଦର୍ଶନ ଉପରେ କହିଛନ୍ତି ଯେ, “ଏହି ଘଟଣାକୁ ଆମେ ଅତି ଗୁରୁତ୍ୱର ସହ ନେଇଛୁ । ଏବଂ ମୟୂରଭଞ୍ଜ ଘଟଣାରେ ଅବହେଳା ପ୍ରଦର୍ଶନ କରିଥିବା ଫାର୍ମାସିଷ୍ଟଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଛି । ଆମେ ଏକ ଦାୟୀତ୍ୱସମ୍ପର୍ଣ୍ଣ ସଂସ୍ଥା ଭାବେ ଏହିପରି ଅବହେଳାକୁ ଆଦୌ ବରଦାସ୍ତ କରିବୁ ନାହିଁ, ଏବଂ କାର୍ଯ୍ୟରେ ଅବହେଳା ଦୃଷ୍ଟିଗୋଚର ହେଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ ।”


ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୧୩ ମସିହା ମାର୍ଚ୍ଚ ୫ ତାରିଖରୁ ୧୦୮ ଆମ୍ବୁଲାନ୍ସ ଓଡ଼ିଶାର ଅଗଣିତ ଜନସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଆସୁଛି । ବିଭିନ୍ନ ପ୍ରତିକୂଳ ପରସ୍ଥିତି ଓ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନାକରି କର୍ମଚାରୀମାନେ ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । କେତେବେଳେ ରକ୍ତଦେଇ ବହୁ ରୋଗୀଙ୍କ ଆସନ୍ନମୃତ୍ୟୁକୁ ଏଡ଼ାଇଛନ୍ତି ତ କେତେବେଳେ ତାଙ୍କର ମୂଲ୍ୟବାନ ସମାଗ୍ରୀ ଫେରାଇ ସଚ୍ଚୋଟତାର ପରିଚୟ ଦେଇଛନ୍ତି । ବର୍ତମାନ ଓଡ଼ିଶାରେ ସାଧାରଣ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସ, ଗର୍ଭବତୀଙ୍କ ଏବଂ ୧ ବର୍ଷରୁ କମ୍ ଜନ୍ମିତ ଶିଶୁଙ୍କ ପାଇଁ ୧୦୨ ଆମ୍ବୁଲାନ୍ସ ଏବଂ ନିରବଚ୍ଛିନ୍ନ ପାଇଁ ୧୦୮ ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି ।
ଯଦିଓ ଏହି ମହାମାରୀ ସମଗ୍ର ବିଶ୍ୱକୁ ସ୍ଥାଣୁ କରିଦେଇଛି କିନ୍ତୁ ୧୦୮ ଏବଂ ୧୦୨ ନିରବଛିନ୍ନଭାବେ ତାର ସେବା ଯୋଗାଇଆସୁଛି । ଏହି ସମୟ ମଧ୍ୟରେ ଉକ୍ତ ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କ ସଂଖ୍ୟାରେ ଯଥେଷ୍ଟ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । କୋଭିଡ଼୍‌ର କାୟା ବିସ୍ତାର ପୂର୍ବରୁ ଅର୍ଥାତ୍‌, ଅକ୍ଟୋବର ୨୦୧୯ରୁ ଫେବୃୟାରୀ, ୨୦୨୦ ମଧ୍ୟରେ ୧୦୮ ଆମ୍ବୁଲାନ୍ସ ଦ୍ୱାରା ସେବା ପାଇଥିବା ଲୋକଙ୍କ ସଂଖ୍ୟା ୨,୪୪,୪୧୩ ରହିଥିବାବେଳେ ମହାମାରୀ ଆରମ୍ଭ ହେବା ପରେ ଏହି ସଂଖ୍ୟାରେ ବୃଦ୍ଧିହୋଇ ମାର୍ଚ୍ଚ ୨୦୨୦ରୁ ଜୁଲାଇ ୨୦୨୦ ମଧ୍ୟରେ ୨,୮୦,୯୫୩ଜଣ ସେବା ପାଇପାରିଛନ୍ତି । ସେହି ସମାନ ଭାବରେ ୧୦୨ ଆମ୍ବୁଲାନ୍ସ କ୍ଷେତ୍ରରେ ମଧ୍ୟ ସମାନ ବୃଦ୍ଧି ପରିଲକ୍ଷିତ ହୋଇଛି । ଅକ୍ଟୋବର ୧୯ ରୁ ଫେବୃୟାରୀ ୨୦ ସମୟ ମଧ୍ୟରେ ୧୦୨ ଆମ୍ବୁଲାନ୍ସ ୨,୦୪,୬୫୮ ଲୋକଙ୍କୁ ସେବା ପ୍ରଦାନ କରିଥିବାବେଳେ ମାର୍ଚ୍ଚ ୨୦ ରୁ ଜୁଲାଇ ୨୦ ମଧ୍ୟରେ ଏହି ସଂଖ୍ୟା ୨,୩୪,୬୭୦ରେ ପହଚିଂଛି ।


Share It

Comments are closed.