କେଜ୍ରିୱାଲ ଏବଂ ଆଇଏଏସ ସଙ୍ଘଙ୍କ ମଧ୍ୟରେ ଗତିରୋଧ କ’ଣ ପାଇଁ ?


ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଏବଂ ଉପ-ରାଜ୍ୟପାଳଙ୍କ ମଧ୍ୟରେ ଲାଗିରହିଥିବା ଗତିରୋଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଦୀର୍ଘ ୮ ଦିନ ହେବ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପ-ମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆ, ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ଏବଂ ଗୋପାଳ ରାୟ ପ୍ରମୁଖ ଦିଲ୍ଲୀର ଆଇଏଏସ ଅଧିକାରୀମାନଙ୍କ କାର୍ଯ୍ୟରେ ଅସହୋଯୋଗତା ବିରୋଧରେ ଉପ-ରାଜ୍ୟପାଳଙ୍କ ନିବାସର ଅଭ୍ୟର୍ଥନା କକ୍ଷରେ ଅନଶନରେ ବସିଛନ୍ତି । ଆପ ପାର୍ଟି ପକ୍ଷରୁ ଏହାକୁ ଦିଲ୍ଲୀରେ ଅଘୋଷିତ ରାଷ୍ଟ୍ରପତି ଶାସନ ଭାବେ ଦର୍ଶାଯାଇଥିବା ବେଳେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧା ସିଧା ଟାର୍ଗେଟ କରାଯାଇଛି ।
ଦେଶର ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଗତିରୋଧ ଏହି ପ୍ରକାରର ପ୍ରଥମ ଘଟଣା ଯେଉଁଠାରେ ନିଜେ ମୁଖ୍ୟମନ୍ତ୍ରୀ ତାଙ୍କ ଅଧିନରେ ଥିବା ଆଇଏଏସ ଅଧିକାରୀମାନଙ୍କ ଉପରେ ହରତାଲ କରୁଥିବାର ଆରୋପ ଲଗାଇ ସାତ ଦିନ ଧରି ଅନଶନରେ ବସିଛନ୍ତି । ତେବେ ଏହି ଘଟଣାର ଉତ୍ପତି କେଉଁଠୁ ଏବଂ ସତରେ କଣ ଗୋଟେ ରାଜ୍ୟର ଆଇଏଏସ ଅଧିକାରୀମାନେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରିବାର ଅଧିକାର ରଖନ୍ତି ? ଏହା କେଜ୍ରିୱାଲଙ୍କ ରାଜନୈତିକ ଚାଲ ନା ଏକ ବୃହତ ଷଡଯନ୍ତ୍ରରୁ ଉଦ୍ଧାର କରି ଦିଲ୍ଲୀକୁ ପ୍ରଗତିପଥରେ ନେବା ପାଇଁ ଶେଷ ପ୍ରୟାଶ ।

ଘଟଣାର ଆରମ୍ଭ କେଉଁଠୁ
ଏହି ଘଟଣାର ପ୍ରାରମ୍ଭ ଫେବୃଆରୀ ମାସରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ‘ଅଂଶୁ ପ୍ରକାଶ’ଙ୍କ ଦ୍ୱାରା ଲଗାଯାଇଥିବା ଆରୋପ, ଯେଉଁଥିରେ ସେ କହିଥିଲେ ଏକ ସାକ୍ଷାତ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଆବାସକୁ ଯାଇଥିବାବେଳେ କେଜ୍ରିୱାଲଙ୍କ ଉପସ୍ଥିତିରେ ଦୁଇ ଜଣ ମନ୍ତ୍ରୀ ତାଙ୍କୁ ମାଡ ମାରିଥିଲେ । ଏହି ଘଟଣାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଗ୍ରାହ୍ୟ କରି ଏକ ରାଜନୈତିକ ଷଡଯନ୍ତ୍ର ଅଭିହିତ କରିଥିବାବେଳେ ଘଟଣାକୁ ନେଇ ସିବିଆଇ ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଜେରା ମଧ୍ୟ କରିସାରିଛନ୍ତି ।

ଆମ ଆଦମୀ ପାର୍ଟି କଣ ଅଭିଯୋଗ କରୁଛି ?

ଆମ ଆଦମୀ ପାର୍ଟି ପକ୍ଷରୁ ଦିଲ୍ଲୀର ପ୍ରଶାସନିକ ଅଧିକାରୀ ମାନେ କାର୍ଯ୍ୟରେ ସହଯୋଗ କରୁନଥିବା କିମ୍ବା ହରତାଲରେ ଥିବା କୁହାଯାଇଛି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଗତ ଫେବୃଆରୀ ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ବିଭାଗରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ମାନେ କେବଳ କାର୍ଯ୍ୟାଳୟକୁ ଆସୁଛନ୍ତି କିନ୍ତୁ କୌଣସି ବୈଠକରେ ଯୋଗ ଦେଉ ନାହାନ୍ତି, କୌଣସି କାର୍ଯ୍ୟର ସମିକ୍ଷା ପାଇଁ କ୍ଷେତ୍ର ପରିଦର୍ଶନ କରୁନାହାନ୍ତି, ଫୋନ କଲେ ଫୋନ ଉଠାଉ ନାହାନ୍ତି ଏବଂ କୌଣସି ମନ୍ତ୍ରୀଙ୍କୁ କାର୍ଯ୍ୟରେ ସହଯୋଗ କରୁ ନାହାନ୍ତି ।
ସେ କହିଛନ୍ତି ଯେ, ଦିଲ୍ଲୀରେ ଆମ ଆଦମୀ ପାର୍ଟି ପୂର୍ବରୁ ଶ୍ରୀମତୀ ସିଲା ଦିକ୍ଷିତ ୧୩ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ସେତେବେଳେ ଦିଲ୍ଲୀର ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ଦାୟିତ୍ୱ ଦିଲ୍ଲୀ ସରକାରଙ୍କ ନିକଟରେ ଥିଲା ଏବଂ ଏହି ଅଧିକାର ଦିଲ୍ଲୀ ସରକାର ପାଖରେ ରହିବାରେ କୌଣସି ଅସୁବିଧା ନଥିଲା କିନ୍ତୁ ରାଜ୍ୟରେ ଆମ ଆଦମୀ ପାର୍ଟିର ସରକାର ହେବା ପରେ କେନ୍ଦ୍ର ସରକାର ଏକ ନୋଟିଫିକେସନ ମାଧ୍ୟମରେ ସମସ୍ତ ଅଧିକାରକୁ ଉପ-ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଦେଇଥିଲେ । ତେଣୁ କୌଣସି ଅଧିକାରୀ କାର୍ଯ୍ୟରେ ଅବହେଳା କିମ୍ବା ଖିଲାପୀ କଲେ କିମ୍ବା ଭ୍ରଷ୍ଟାଚାର କଲେ ରାଜ୍ୟ ସରକାର ତାଙ୍କୁ ବଦଳୀ କରୁ ପାରୁ ନାହିଁ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରୁ ନାହିଁ ।

ଆଇଏଏସ ଅଧିକାରୀ ସଙ୍ଘ ଏହି ସମ୍ବନ୍ଧରେ କଣ କହୁଛନ୍ତି
ଏହି ସମ୍ବନ୍ଧରେ ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟମରେ ଦିଲ୍ଲୀର ଆଇଏଏସ ସଙ୍ଘ କହିଛନ୍ତି ସେମାନେ କୌଣସି ହରତାଳରେ ନାହାନ୍ତି ଏବଂ କାର୍ଯ୍ୟ ସୂଚାର ରୂପେ ଚାଲୁଛି । ସଙ୍ଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ମାଡ ଘଟଣା ପରେ ଅଧିକାରୀମାନଙ୍କ ମଧ୍ୟରେ ଭୟଥିବା ଦର୍ଶାଯାଇଛି ।
ଆଇଏଏସ ସଙ୍ଘଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଅଧିକାରୀ ମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ କାର୍ଯ୍ୟରେ ଯୋଗ ଦେବା ପାଇଁ ଅନୁରୋଧ କରିଛନ୍ତି ।

କେଜ୍ରିୱାଲଙ୍କୁ ମିଳିଲା ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହଯୋଗ

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଦାବୀ ଗୁଡିକୁ ସମର୍ଥନ ଜଣାଇ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଆନ୍ଧ୍ର-ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଏଚଡି କୁମାର ସ୍ୱାମୀ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏଥି ପ୍ରତି ନିଜର ସମର୍ଥନ ଜଣାଇଛନ୍ତି । ଏହା ସହ ଅନ୍ୟାନ୍ୟ ବୁଦ୍ଧିଜୀବିମାନେ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି । ଏଥିରେ ଶିବସନା ସମେତ ଡିଏମକେ ନେତା ଏମକେ ଷ୍ଟାଲିନ ମଧ୍ୟ କେଜ୍ରିୱାଲଙ୍କୁ ସମର୍ଥନ ଜଣାଇଛନ୍ତି ।

ଦିଲ୍ଲୀ ହାଇକୋର୍ଟ ଦ୍ୱାରା କେଜ୍ରିୱାଲଙ୍କୁ କଟୁ ସମାଲୋଚନା

ଦିଲ୍ଲୀ ସରକାର ପକ୍ଷରୁ ଚଳାଯାଇଥିବା ଏହି ଆନ୍ଦୋଳନ ବିରୋଧରେ ବିଜେପି ବିଧାୟକ ବିଜେନ୍ଦ୍ର ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ, ଯାହାର ଶୁଣାଣୀ ଆଜି ହୋଇଛି । ଏହି ଶୁଣାଣୀ ଅବସରରେ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।
ମାହାମହୀମ ଉଚ୍ଚ ନ୍ୟାୟାଳୟ ଦିଲ୍ଲୀ ସରକାରଙ୍କର ଓକିଲଙ୍କୁ କହିଛନ୍ତି ଯେ, ‘ଏହାକୁ ଆପଣ ଧାରଣା କିମ୍ବା ଆନ୍ଦୋଳନ କହି ପାରିବେ ନାହିଁ । ଆପଣ କୌଣସି ବ୍ୟକ୍ତି ଘରେ ପଶି ଏଭଳି ହରତାଲ କରିପାରିବେ ନାହିଁ । ’
ଶୁଣାଣୀ ଆରମ୍ଭ ହେବା ପୂର୍ବରୁ ଦିଲ୍ଲୀ ସରକାରୀ ଓକିଲଙ୍କ ପକ୍ଷରୁ ପ୍ରକାଶ ଦିଲ୍ଲୀର ସରକାରୀ ଅଧିକାରୀମାନେ ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗ ଦେବେ ନାହିଁ ବୋଲିି ସ୍ପଷ୍ଟ କରିଛନ୍ତି ।
ଏହା ପରେ ଦିଲ୍ଲ୍ୀ ହାଇକୋର୍ଟ ସରକାରୀ ଓକିଲଙ୍କୁ କହିଥିଲେ, ଘଟଣା ଏହା ହେଉଛି ଯେ, ସେ ଧାରଣାରେ କାହିଁକି ବସିଛନ୍ତି । ଆପଣଙ୍କୁ କିଏ ଏହି ଭଳି ଧାରଣରେ ବସିବା ପାଇଁ କିଏ ଅଧିକାର ଦେଇଛି ?
ତେବେ, ସରକାରୀ ଓକିଲ କହିଥିଲେ ଏହା ହେଉଛି ତାଙ୍କ ବ୍ୟକ୍ତିଗତ ନିଷ୍ପତି ।
ଏହା ଉପରେ ପ୍ରଶ୍ନ କରି ହାଇକୋର୍ଟ ପୁଣି ଥରେ କହିଥିଲେ, କିଏ ଆପଣଙ୍କୁ ଏହି ଅଧିକାରର ମାନ୍ୟତା ପ୍ରଦାନ କରିଥିଲା ? ଏବଂ କିଏ ଆପଣଙ୍କୁ ଏହାର ଅନୁମତି ପ୍ରଦାନ କରିଥିଲେ?
ଏହା ପରେ କୋର୍ଟ କହିଥିଲେ ଯେ, ଆପଣ ଏଭଳି କୌଣସି ବ୍ୟକ୍ତି ଘରେ ପଶି ଆନ୍ଦୋଳନ କରିପାରିବାର ଅଧିକାର ନାହିଁ ।


Share It

Comments are closed.