ଜାତିସଂଘର ସକର୍ତବାଣୀ, କରୋନା ପରେ ଭାରତକୁ ଗ୍ରାସ କରିପାରେ ଦାରିଦ୍ରତା


ନୂଆଦିଲ୍ଲୀ,୮ ଏପ୍ରିଲ ୨୦୨୦: ମିଳିତ ଜାତିସଂଘର ଶ୍ରମ ଶାଖା ପକ୍ଷରୁ ଚେତାବନୀ ଦିଆଯାଇଛି ଯେ, କରୋନା ଭୁତାଣୁ ସଙ୍କଟ କାରଣରୁ ଭାରତରେ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୪୦ କୋଟି ଲୋକ ଦରିଦ୍ର ଅବସ୍ଥାକୁ ଚାଲିଯାଇପାରନ୍ତି । ଏହାଛଡା ଚଳିତ ବର୍ଷ ବିଶ୍ୱବ୍ୟାପୀ ପ୍ରାୟ ୧୯.୫ ଲୋକ ନିଜର ଫୁଲ୍‌ଟାଇମ୍ ଚାକିରି ହରାଇପାରନ୍ତି ବୋଲି ଜାତିସଂଘ ରିପୋର୍ଟରେ ଆକଳନ କରାଯାଇଛି । ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲ୍‌ଓ) ନିଜ ରିପୋର୍ଟ ‘ଆଇଏଲ୍‌ଓ ମନିଟର ସେକେଣ୍ଡ ଏଡିସନ: କୋଭିଡ୍‌-୧୯ ଆଣ୍ଡ ଦ ୱାର୍ଲ୍ଡ ଅଫ୍ ୱର୍କ’ରେ କରୋନା ଭୁତାଣୁ ସଙ୍କଟକୁ ୨ୟ ବିଶ୍ୱ ଯୁଦ୍ଧ ପରେ ସବୁଠାରୁ ଭୟଙ୍କର ସଙ୍କଟ ଭାବେ ଦର୍ଶାଇଛି । ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାୟ ରାଇଡର୍ କହିଛନ୍ତି ଯେ, ବିକଶିତ ଓ ବିକାଶଶୀଳ ରାଷ୍ଟ୍ରଗୁଡିକର ଅର୍ଥବ୍ୟବସ୍ଥାରେ ଶ୍ରମିକ ଓ ବ୍ୟବସାୟୀମାନଙ୍କୁ ଜଟିଳ ସମସ୍ୟାର ସାମ୍‌ନା କରିବାକୁ ପଡୁଛି । ତେଣୁ ଆମକୁ ଖୁବ୍‌ଶୀଘ୍ର ନିର୍ଣ୍ଣାୟକ ଭାବେ ତଥା ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ । ସମ୍ପ୍ରତି ବିଶ୍ୱବ୍ୟାପୀ ପ୍ରାୟ ୨୦୦ କୋଟି ଲୋକ ଅସଂଗଠିତ କ୍ଷେତ୍ରରେ କାମ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ବିକଶିତ ଓ ବିକାଶଶୀଳ ଅର୍ଥବ୍ୟବସ୍ଥାରେ ଥିବା ବେଳେ ସ୍ୱତନ୍ତ୍ର ଭାବେ ଏହି ଲୋକମାନେ ହିଁ ଅଧିକ ସଙ୍କଟରେ ଅଛନ୍ତି । ଭାରତ, ନାଇଜେରିଆ ଓ ବ୍ରାଜିଲରେ ଲକ୍‌ଡାଉନ୍ ଓ ଅନ୍ୟ ନିୟନ୍ତ୍ରଣ ଉପାୟଗୁଡିକ କାରଣରୁ ବହୁ ସଂଖ୍ୟାରେ ଅସଂଗଠିତ ଅର୍ଥବ୍ୟବସ୍ଥାର ଶ୍ରମିକ ପ୍ରଭାବିତ ହୋଇଛନ୍ତି ।
ଋିପୋର୍ଟ ମୁତାବକ, ଭାରତରେ ଅସଂଗଠିତ ଅର୍ଥବ୍ୟବସ୍ଥାରେ କାମ କରୁଥିବା ଲୋକଙ୍କ ଅଂଶ ପ୍ରାୟ ୯୦% ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ କୋଟି ଶ୍ରମିକଙ୍କ ସମ୍ମୁଖରେ ଦାରିଦ୍ରତାରେ ଫସିବାର ସଙ୍କଟ ରହିଛି । ଭାରତରେ ଲାଗୁ ଦେଶବ୍ୟାପୀ ବନ୍ଦ ଯୋଗୁ ଏହି ଶ୍ରମିକମାନେ ବ୍ୟାପକ ରୂପେ ପ୍ରଭାବିତ ହୋଇଛନ୍ତି ଓ ନିଜ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ରୋଜଗାରରେ ସର୍ବାଧିକ ହ୍ରାସ ଆରବ ଦେଶଗୁଡିକରେ ହେବ ଏବଂ ଏହାପରେ ୟୁରୋପ ଓ ଏସିଆ ପ୍ରଶାନ୍ତର ସ୍ଥାନ ରହିବ ।


Share It

Comments are closed.