ଦେଶରେ ଲକଡାଉନ ସତ୍ତ୍ୱେ ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା


ସାରା ଦେଶରେ ଲକଡାଉନ ସତ୍ତ୍ୱେ ମଧ୍ୟ କ୍ରମାଗତ ଭାବେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ପ୍ରାୟ ୫୦୦ ନୂଆ ମାମଲା ସାମନାକୁ ଆସୁଥିବାବେଳେ ଯେଉଁ ରାଜ୍ୟମାନଙ୍କରେ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା କମ୍ ଥିଲା ବର୍ତ୍ତମାନ ସେହି ରାଜ୍ୟମାନଙ୍କର ଖୁବ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତଥାପି ଦେଶରେ ୪୦୦ଟି ଏପରି ଜିଲ୍ଲା ରହିଛି, ଯେଉଁଠାରେ କୌଣସି ସଂକ୍ରମିତ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ।
୬୨ଟି ଜିଲ୍ଲାରେ ୮୦ ପ୍ରତିଶତ ସଂକ୍ରମିତ ଥିବାବେଳେ ମୃତକଙ୍କ ସଂଖ୍ୟା ୬ଟି ଜିଲ୍ଲାରେ ସର୍ବାଧିକ ରହିଛି । ଏହି ମଧ୍ୟରେ କାଲି ସନ୍ଧ୍ୟା ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ୫୮୬୫ ରହିଥିବାବେଳେ ଗୋଟିଏ ଦିନରେ ୫୯୧ଟି ନୂଆ ମାମଲା ଏବଂ ୨୦ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୬୪୧୨ରେ ପହଞ୍ଚିଥିବାବେଳେ ବର୍ତ୍ତମାନ ସୁଧା ମୃତକଙ୍କ ସଂଖ୍ୟା ୧୯୯ରେ ପହଞ୍ଚିଥିବାର ଜଣା ପଡିଛି । ସେହିଭଳି ୫୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାପଡିଛି ।
୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଥିବାବେଳେ ୧୦ ଏପ୍ରିଲକୁ ଏହା ୬୪୧୨ରେ ଆସି ପହଞ୍ଚିଗଲାଣି । ଗତ ୧୦ ଦିନ ମଧ୍ୟରେ ୫୧୬୧ ନୂଆ ମାମଲା ସାମନାକୁ ଆସିଛି । ଦିନକୁ ପ୍ରାୟ ୫୧୬ଟି ନୂଆ ମାମଲା ସାମନାକୁ ଆସୁଛି ।


Share It

Comments are closed.