ଦେଶରେ ତୀବ୍ର ହେଉଛି କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୯୭,୫୭୦ ପଜିଟିଭ ଚିହ୍ନଟ


ଦେଶରେ କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଇଛି। ଏହା ହେଉଛି ତୃତୀୟ ଦିନ ଯେତେବେଳେ ଗୋଟିଏ ଦିନରେ ୯୫ ହଜାରରୁ ଅଧିକ ନୂଆ ମାମଲା ରିପୋର୍ଟ ହୋଇଛି। ଶନିବାର ଦିନ ୯୭,୫୭୦ ନୂତନ ମାମଲା ଚିହ୍ନଟ ହୋଇଛି। ଏହି ନୂତନ ମାମଲା ସହିତ ଦେଶରେ କୋଭିଡ-୧୯ ରୋଗୀଙ୍କ ସଂଖ୍ୟା ୪୬ ଲକ୍ଷ ୫୮ ହଜାରରୁ ଅଧିକ ହୋଇଛି। କିନ୍ତୁ ଆଶ୍ବସ୍ତିର କଥା ହେଉଛି ଯେ ଏହି ରୋଗରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଏପର୍ଯ୍ୟନ୍ତ ୩୬ ଲକ୍ଷ ୨୪ ହଜାରରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିଛନ୍ତି ।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୨୦୧ ଜଣ ପ୍ରାଣ ହରାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୭,୪୭୨ କୁ ବୃଦ୍ଧି ପାଇଛି | ଦେଶରେ ସଂକ୍ରମଣ ମାମଲା ୪୬,୫୯,୯୮୫ କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ ୯,୫୮,୩୧୬ ଲୋକ ଚିକିତ୍ସିତ ହେଉଛନ୍ତି ଏବଂ ଚିକିତ୍ସା ପରେ ୩୬,୨୪,୧୯୭ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ରୋଗୀଙ୍କ ସୁସ୍ଥ ହାର ୭୭.୭୭ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୬୬ ପ୍ରତିଶତକୁ ଖସି ଆସିଛି। ଏଥିସହ ୨୦.୫୬ ପ୍ରତିଶତ ରୋଗୀ ଚିକିତ୍ସିତ ହେଉଛନ୍ତି। ଦେଶରେ କରୋନା ମୃତ୍ୟୁହାର ବିଶ୍ବର ହାରାହାରି ଠାରୁ କମ୍ ଅଟେ।


Share It

Comments are closed.