ଆମେରିକାରେ ଅଣାୟତ କରୋନା, ମୃତ୍ୟୁ ସଂଖ୍ୟାରେ ଇଟାଲୀକୁ ଟପିଲା


କୋଭିଡ-୧୯ ମହାମାରୀର ଉତ୍ପତିସ୍ଥଳ ଚୀନକୁ ପୁଣିଥରେ ସଂକ୍ରମଣ ଲେଉଟିଛି । ଗତ ୨୪ ଘଂଟା ମଧ୍ୟରେ ଏଠାରେ ୯୯ଟି ନୂଆ ମାମଲା ସାମ୍ନାକୁ ଆସିଛି ଯାହା ଗତ କିଛି ସ୍ପପ୍ତାହ ଗୁଡ଼ିକ ତୁଳନାରେ ବେଶ ଅଧିକ । ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ଯେ ଏଠାରେ ଏଭଳି ୬୩ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଲକ୍ଷଣ ମଧ୍ୟ ନଥିଲା ଯାହାପରେ ଏଠାରେ ରୋଗୀଙ୍କ ସଂଖ୍ୟା ୮୨ ହଜାରକୁ ଛୁଇଁଛି ।

ଏଭଳି ସ୍ଥଳେ ପୁରା ଦୁନିଆରେ ସଂକ୍ରମିତଙ୍କ ସଂଖ୍ୟା ୧୮.୩୭ ଲକ୍ଷରୁୁ ଉର୍ଦ୍ଧ୍ୱ ହୋଇସାରିଥିବାବେଳେ ମୃତକଙ୍କ ସଂଖ୍ୟା ୧.୧୪ ଲକ୍ଷରୁ ଉର୍ଦ୍ଧ୍ୱ ହୋଇଯାଇଛି । ଏହା ମଧ୍ୟରେ ସଂକ୍ରମଣରୁ ସୁସ୍ଥ ହୋଇଥିବାଙ୍କ ସଂଖ୍ୟା ୪.୨୭ଲକ୍ଷ ହୋଇଯାଇଛି । କିନ୍ତୁ ଏବେ ଆମେରିକାରେ କରୋନାର ଭୟାବହତା ବଢ଼ିବାରେ ଲାଗିଛି । ଆମେରିକାର ସର୍ବାଧିକ ୨୨,୧୧୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏଠାରେ ରୋଗୀଙ୍କ ସଂଖ୍ୟା ୫,୬୦,୪୩୩ରେ ପହଂଚିଛି । ଆମେରିକା ଏବେ କରୋନା ମୃତ୍ୟୁରେ ଇଟାଲୀକୁ ମଧ୍ୟ ଟପିଯାଇଛି ।

ଇଟାଲୀରେ ବର୍ତମାନ ମୃତ୍ୟୁ ସଂଖ୍ୟା ୧୯, ୮୯୯ରେ ପହଂଚିଛି ଏବଂ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧,୫୬,୩୬୩ ରେ ପହଂଚିଛି । ଏହା ପରେ ସ୍ପେନରେ ମୃତ୍ୟୁସଂଖ୍ୟା ୧୭,୨୦୯ରେ ପହଂଚିଥିବାବେଳେ, ସଂକ୍ରମିତଙ୍କ ସଂଖ୍ୟା ୧,୬୬,୮୩୧ ହୋଇଛି । ସେହିଭଳି ଫ୍ରାନ୍ସରେ ୧୪, ୩୯୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବ୍ରିଟେନରେ ମୃତ୍ୟୁ ସଂଖ୍ୟା ୧୦, ୬୧୨ରେ ପହଂଚିଛି ।

ଆମେରିକାରେ ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଏଠାକାର ଗୋଟିଏ ନୌସେନା ଜାହଜ ମଧ୍ୟ କରୋନା କବଳିତ ହୋଇଛି । ଆଣବିକ ଚାଳିତ ବିମାନ ପରିବହନକାରୀ ୟୁଏସ୍‌ଏସ୍ ଥିୟୋଡର ରୋଜଭେଲ୍ଟରେ କରୋନା କେସ ସଂଖ୍ୟା ୫୫୦କୁ ବୃଦ୍ଧି ପାଇଛି । ଆମେରିକା ନୌସେନା ପକ୍ଷରୁ ସନିବାର ଦିନ ଏହା ବିଷୟରେ ସୂଚନା ଦିଆଯାଇଛି ।


Share It

Comments are closed.