କୃଷିବୀମାରେ ଥିବା ବିଭିନ୍ନ ତ୍ରୁଟି ବିଷୟରେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅବଗତ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର କୃଷକ ସଂଗଠନର ଅପେକ୍ଷା କ୍ରମେ ପୁଣି ଥରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟି ଓଡ଼ିଶାର ଚାଷୀଙ୍କ ବୀମାରାଶି ସମେତ ବିଭିନ୍ନ ସମସ୍ୟା ନେଇ ବିସ୍ତୁତ ଆଲୋଚନା କରିବା ସହ ଏ ସଂକ୍ରାନ୍ତୀୟ ଏକ ଚିଠି ପ୍ରଦାନ କରିଛନ୍ତି ।

ଓଡ଼ିଶା ସମେତ ବରଗଡ଼ ଜିଲ୍ଲା ଓ ପଦ୍ମପୁର ଅଞ୍ଚଳର ଚାଷୀଙ୍କ ବୀମାରାଶି ଏବଂ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ଓ ଫସଲ ବୀମାରାଶି ତଥା ହିତାଧିକାରୀଙ୍କ ତଥ୍ୟ ବିଷୟରେ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବା ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର ଚାଷୀଙ୍କ ସମସ୍ୟାକୁ ବୁଝିବା ସହ ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ତର୍ଭୃକ୍ତ କରାଯାଇଥିବା ବେସରକାରୀ ବୀମା କମ୍ପାନୀର ପରିଚାଳନା ଉପରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ନେଇ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।

କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସୁରକ୍ଷା କବଚ । ଏହି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ୧ ଲକ୍ଷ ୨୪ ହଜାର କୋଟିରୁ ଅଧିକ ଟଙ୍କା ବୀମାରାଶି ବ୍ୟାଙ୍କ୍ ଖାତାରେ ଜମା କରାଯାଇସରିଛି । ଏହି ଯୋଜନାରେ ବୀମା କମ୍ପାନୀର ଚୟନ ରାଜ୍ୟ ସରକାରମାନେ କରନ୍ତି । ଓଡ଼ିଶାରେ ମଧ୍ୟ ବୀମା କମ୍ପାନୀର ଚୟନ ଓଡ଼ିଶା ସରକାର କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ହେଲେ ରାଜ୍ୟ ସରକାର ସର୍ବେକ୍ଷଣ କରି ଏହାକୁ ବୀମା କମ୍ପାନୀ ସହ ତଥ୍ୟ ପ୍ରଦାନ କରିବେ । କମ୍ପାନୀ ଓ ସରକାରର ଆକଳନ ସଠିକ୍ ରହିଲେ କେନ୍ଦ୍ର ସରକାର ସେହି ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ଓଡ଼ିଶାର ଯେବେ ବି ସମସ୍ୟା ଉତ୍ପନ୍ନ ହୋଇଛି କେନ୍ଦ୍ର ସରକାର ହସ୍ତକ୍ଷେପ କରି ତୁରନ୍ତ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟା ଭାରତ ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଏହାର ସମାଧାନ କରାଯାଇଛି । ରାଜ୍ୟ ସରକାର ବୀମା କମ୍ପାନୀ ଠାରୁ ହିତାଧିକାରୀଙ୍କ ପଇସା ପ୍ରଦାନ କରନ୍ତୁ । ଚାଷୀଙ୍କ ବିଷୟ ତଥା ପିଏମ ଫସଲ ବୀମା ଯୋଜନାର ରାଜନୀତିକରଣ କରିବା ଉଚିତ୍ ନୁହେଁ । ଆମ ପ୍ରାଥମିକତା ଚାଷୀଙ୍କ ହିତ ଦୃଷ୍ଟିରେ ରହିବା ଉଚିତ୍ ଏବଂ ଭାରତ ସରକାର ସବୁବେଳେ ଚାଷୀଙ୍କ ହିତରେ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ମଧ୍ୟ ପଞ୍ଚାୟତ ସ୍ତରରେ ଫସଲ କ୍ଷୟକ୍ଷତି ନେଇ ପରୀକ୍ଷା କରିବା ସହ କେନ୍ଦ୍ରକୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ।


Share It

Comments are closed.