ଜୀବନ ପ୍ରମାଣପତ୍ର ଦାଖଲ ଅସୁବିଧା ଦୂରପାଇଁ ଷ୍ଟେଟ ବ୍ୟାଙ୍କର ପଦକ୍ଷେପ


ଭୁବନେଶ୍ବର ପରେ, ନଭେମ୍ବର ୧୭ ରେ ବାଲେଶ୍ୱର ଓ ୧୯ ରେ କଟକରେ ହେବ ଶିବିର

ଭୁବନେଶ୍ବର : ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି । ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍‌ ଦ୍ବାରା ଫେସ ଅଥେଣ୍ଟିକେସନ ଟେକ୍ନୋଲୋଜି ବ୍ୟବହାର କରାଯାଇ ଜୀବନ ପ୍ରମାଣପତ୍ର ବା ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇଥିଲା । ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ଏବଂ ଏସବିଆଇ ସିପିପିସି ଭୁବନେଶ୍ବର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁସଚିବ ଶ୍ରୀ ବିଶାଲ କୁମାର, ୟୁଆଇଡିଏଆଇର ଅଧିକାରୀଗଣ, ଭାରତୀୟ ଷ୍ଟେଟ ବ୍ୟାଙ୍କର ଡିଜିଟାଲ ଏବଂ ଟ୍ରାଞ୍ଜାକ୍ସନ ବ୍ୟାଙ୍କିଙ୍ଗ ବିଭାଗ ଡିଜିଏମ ଶ୍ରୀ ଅମରେନ୍ଦ୍ର କୁମାର ଉପସ୍ଥିତ ଥିଲେ ।

ପେନସନଭୋଗୀଙ୍କୁ ଜୀବନ ପ୍ରମାଣପତ୍ର ଦାଖଲ ସୁବିଧା ପ୍ରଦାନ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଏହି ନୂଆ ପ୍ରୟାସ ଆରମ୍ଭ କରାଯାଇଛି । ପେନସନଭୋଗୀମାନେ ଜୀବନ ପ୍ରମାଣ ପୋର୍ଟାଲ ଜରିଆରେ ଡିଜିଟାଲ ମାଧ୍ୟମରେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ବ୍ୟବହାର କରି ମଧ୍ୟ ପେନସନଭୋଗୀମାନେ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ । ଏହାଛଡ଼ା ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟ ଫୋନରେ ଜୀବନ ପ୍ରମାଣ ମୋବାଇଲ ଏପ୍ଲିକେସନ ମାଧ୍ୟମରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ କରାଯାଇପାରିବ ।

ଉପରୋକ୍ତ ଯୋଜନା ସମ୍ପର୍କରେ ବ୍ୟାପକ ପ୍ରଚାରପ୍ରସାର କରିବା ଲାଗି ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ କେନ୍ଦ୍ର ସରକାରୀ ପେନସନଭୋଗୀଙ୍କ ପାଇଁ ରାଷ୍ଟ୍ରବ୍ୟାପୀ ଡିଜିଟାଲ ଜୀବନ ପ୍ରମାଣପତ୍ର ପ୍ରୋତ୍ସାହନ ଅଭିଯାନ ଆରମ୍ଭ କରାଯାଇଛି ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି । ଭୁବନେଶ୍ବର, କଟକ ଏବଂ ବାଲେଶ୍ବର ଠାରେ ଏହି ସଚେତନତା ଶିବିର ଆୟୋଜିତ ହେଉଛି । ବାଲେଶ୍ୱର ଠାରେ ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଆୟୋଜିତ ହେଉଥିବା ବେଳେ କଟକରେ ଆଗାମୀ 19 ତାରିଖରେ ଆୟୋଜିତ ହେଉଛି ।

ସହଜ ଜୀବନ ଧାରଣକୁ ସୁନିଶ୍ଚିତ କରିବା ଲାଗି ଭାରତ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଭୁବନେଶ୍ବର ଠାରେ ଆୟୋଜିତ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିରରେ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀ ଓ ପେନସନଭୋଗୀମାନେ ଉପସ୍ଥିତ ଥିଲେ ।


Share It

Comments are closed.