ୟୁଏଇ ଗସ୍ତ ପୂର୍ବରୁ ଅଭ୍ୟାସ ପାଇଁ ଆସନ୍ତା ୧୬ରୁ ମଇଦାନକୁ ଓହ୍ଲାଇବେ ଧୋନୀ


ୟୁଏଇ ଗସ୍ତ କରିବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍‌ସର ୬ ଦିନିକିଆ ଅଭ୍ୟାସ ଶିବିର ଚେନ୍ନାଇରେ ଆୟୋଜିତ ହେବାକୁ ଯାଉଛି । ଏହା ୧୬ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ଶେଷ ହେବ । କିନ୍ତୁ ଏହି ଶିବିରରେ ଯୋଗ ଦେବେ ନାହିଁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏ ବିଷୟରେ ସୁପର କିଙ୍ଗ୍‌ସର ସିଇଓ କାଶି ବିଶ୍ୱନାଥନ କହିଛନ୍ତି, ଅଭ୍ୟାସ ଶିବିରରେ ଜାଡେଜା ଯୋଗ ଦେବେ ନାହିଁ । ମାତ୍ର ଦଳ ୟୁଏଇ ଯାତ୍ରା କରିବା ପୂର୍ବରୁ ସେ ଚେନ୍ନାଇରେ ଆସି ପହଞ୍ଚିଯିବେ ।’ ଆସନ୍ତା ୨୧ ତାରିଖରେ ସୁପର କିଙ୍ଗ୍‌ସ ୟୁଏଇ ଯାତ୍ରା କରିବ ।

ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି ଶିବିର ଆୟୋଜନ ନେଇ ପରାମର୍ଶ ଦେଇଥିଲେ । ଫଳରେ ଦଳ ୟୁଏଇ ଯାତ୍ରା କରିବା ପୂର୍ବରୁ ଅଳ୍ପ ଦିନ ପାଇଁ ଏକ ଅଭ୍ୟାସ ଶିବିର ଆୟୋଜନ କରାଯାଇଛି । ଧୋନି, ସୁରେଶ ରାଇନା, ହରଭଜନ ସିଂହ ଓ ଅମ୍ବାତି ରାୟୁଡୁ ଏଥିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ବିଶ୍ୱନାଥନ କହିଛନ୍ତି, ଅଭ୍ୟାସ ଶିବିରରେ କେବଳ ଫିଟ୍‌ନେସ୍ ଉପରେ ଗୁରୁତ୍ୱ ଦିଆଯିବ । ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ ପାଇଁ ତାମିଲନାଡୁ ସରକାରଙ୍କ ଠାରୁ ଲିଖିତ ଅନୁମତି ଆଣିଛୁ । ରୁଦ୍ଧଦ୍ୱାର ଅଭ୍ୟାସ କରାଯିବ । କେବଳ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ ହିଁ ଶିବିରରେ ଉପସ୍ଥିତ ରହିବେ ।’


Share It

Comments are closed.