କରୋନାର ଶୀକାର ହୋଇଥିବା ଯୁବପୀଢିଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲେ ଇଟାଲୀର ୧୦୦ ପାଦ୍ରୀ


ଚୀନରୁ ପ୍ରଥମେ ଦେଖାଦେଇଥିବା କରୋନା ଭାଇରସ ବର୍ତ୍ତମାନ ସାରା ବିଶ୍ୱରେ ନିଜ ଭୟାବହତା ଦେଖାଉଥିବାବେଳେ ଆମେରିକା ଏବଂ ସ୍ପେନ ପରେ ଇଟାଲୀ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଇଟାଲୀରେ ବର୍ତ୍ତମାନ ସୁଧା ୧୫୬,୨୬୩ ଜଣ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୯,୮୯୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ସେହିଭଳି ଦେଶରେ ୩୪,୨୧୧ ଜଣ ସୁସ୍ଥ ହୋଇଛନ୍ତି । ତେବେ ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ଏତେ ହୋଇଗଲାଣି ଯେ, ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ବର୍ତ୍ତମାନ ଅସମ୍ଭବ ହୋଇଗଲାଣି । ଡାକ୍ତର ଓ ନର୍ସମାନଙ୍କୁ ଏଥିପାଇଁ ବ୍ୟାପକ ସଂଘର୍ଷ କରିବାକୁ ପଡୁଛି ।

ସେମାନେ ବି ଏହା କବଳରୁ ବଂଚିପାରୁ ନାହାନ୍ତି । କରୋନା ଯୋଗୁ ସେଠାରେ ୧୦୦ ଜଣ ଡାକ୍ତର ଓ ନର୍ସ ବି ପ୍ରାଣ ହରାଇସାରିଲେଣି । ସେମାନେ ରୋଗୀଙ୍କ ଚିକିତ୍ସ।। ପାଇଁ ଅନେକ ବିପଦ ହାତକୁ ନେଉଛନ୍ତି ଯାହାଯୋଗୁ ସେମାନଙ୍କ ଜୀବନ ବିପଦରେ ପଡୁଛି । ତେବେ କେବଳ ସେମାନେ ଏପରି ତ୍ୟାଗ କରୁନାହାନ୍ତି । ଇଟାଲୀର ପାଦ୍ରୀ ଓ ନନ୍‌ମାନେ ବି ରୋଗୀମାନଙ୍କୁ ସହାୟତା କରିବା ପାଇଁ ଆଗେଇ ଆସୁଛନ୍ତି । ସେମାନେ ଏଥିପାଇଁ ଅନେକ ବିପଦର ସାମ୍ନା କରୁଛନ୍ତି । ସେମାନେ ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିବା ସହିତ ମୃତକମାନଙ୍କ ଅନ୍ତିମ ସଂସ୍କାର କାମ ବି କରୁଛନ୍ତି । ଏହାଯୋଗୁ ସେମାନେ ବି କରୋନାର ଶିକାର ପାଲଟୁଛନ୍ତି । ଏ ପର୍ଯ୍ୟନ୍ତ ଦେଶରେ ୧୦୦ ଜଣ ପାଦ୍ରି କରୋନା ଯୋଗୁ ପ୍ରାଣ ହରାଇସାରିଲେଣି । ସେମାନଙ୍କ ଭିତରେ କିଛି ଏଭଳି ପାଦ୍ରୀ ବି ଅଛନ୍ତି ଯେଉଁମାନେ ସ୍ୱଇଛାରେ ଭେଂଟିଲେଟର ସୁବିଧା ନନେଇ ତା’କୁ ଯୁବରୋଗୀଙ୍କ ଜୀବନ ବଂଚାଇବା ପାଇଁ ବ୍ୟବହାର କରିବାକୁ କହିଥିଲେ । ଏପରି କରି ସେମାନେ ନିଜ ଇଛାରେ ମୃତ୍ୟୁକୁ ବରଣ କରିଛନ୍ତି । ସେମାନଙ୍କ ଏଭଳି ତ୍ୟାଗର ବିଭିନ୍ନ ମହଲରୁ ଉଚ୍ଚ ପ୍ରଂଶସା କରାଯାଉଛି ।

 


Share It

Comments are closed.