ଯୋଗାଣ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରେଙ୍ଗାଲି ଦକ୍ଷିଣ କେନାଲର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର : ଜଙ୍ଗଲ ଜମି ଅଧିଗ୍ରହଣ ଏବଂ ଅନ୍ୟାନ୍ୟ ସମସ୍ୟାଗୁଡିକର ଆଶୁ ସାମାଧାନ କରି ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି ଲୋକସେବା ଭବନଠାରେ ରେଙ୍ଗାଲି ଦକ୍ଷିଣ କେନାଲ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ କରିବା ଦିଗରେ ଜଙ୍ଗଲ ଜମି ଅଧିଗ୍ରହଣ ଯେପରି ବାଧକ ନହେବ, ସେଥି ନିମନ୍ତେ ସମୁଚିତ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ । ସମଲ ବ୍ୟାରେଜରୁ ବାହାରିଥିବା ଏହି କେନାଲ ଦ୍ୱାରା ରାଜ୍ୟର ତେଙ୍କାନାଳ, କଟକ, ଯାଜପୁର, ଓ କେନ୍ଦୁଝର ଜିଲ୍ଲାର ୧୪ଟି ବ୍ଲକର ପ୍ରାୟ ୮୪,୪୦୬ ହେକ୍ଟର ଚାଷୀ ଉପଯୋଗୀ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାବାର ଲକ୍ଷ୍ୟ ରହିଥିବାବେଳେ ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସରକାର ଜଳସେଚନକୁ ଅଗ୍ରାଧିକାର ପ୍ରଦାନ କରୁଥିବାବେଳେ ରେଙ୍ଗାଲି ଦକ୍ଷିଣ କେନାଲ ଦ୍ୱାରା ୪ଟି ଜିଲ୍ଲାର ଚାଷୀମାନେ ବହୁଳ ଭାବରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ଜମି ଅଧିଗ୍ରହଣରେ ଉପୁଜୁଥିବା ସମସ୍ୟା ମଧ୍ୟରେ ବ୍ୟକ୍ତିଗତ ଜମି ଜଙ୍ଗଲ କିସମର ହୋଇଥିବାରୁ ହିତାଧିକାରୀମାନେ କ୍ଷତିପୂରଣ ପାଇପାରୁନାହାନ୍ତି । ଏହାର ଆଶୁ ସମାଧାନ ନିମନ୍ତେ ଆଇନ ଅନୁଯାୟୀ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମନ୍ତ୍ରୀ କହିଥିଲେ । ସେହିପରି ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ୨୦୧୯ ମସିହାରେ ଷ୍ଟେଜ-୨ କ୍ଲିୟରାନ୍ସ ମିଳିଥିବା ସମସ୍ତ ଜଙ୍ଗଲ ଜମିକୁ ତୁରନ୍ତ ହସ୍ତାନ୍ତର କରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ପାଇଁ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏଥି ପାଇଁ ଆବଶ୍ୟକ ପଡୁଥିବା ସମସ୍ତ କାଗଜପତ୍ର ଡିଏଫଓମାନଙ୍କ ନିକଟରେ ଦାଖଲ କରିବା ପାଇଁ ରେଙ୍ଗାଲି ଦକ୍ଷିଣ କେନାଲର ନିର୍ବାହୀ ଯନ୍ତ୍ରୀମାନଙ୍କୁ କହିଥିଲେ । ଆଲୋଚନାରେ ଅଂଶଗ୍ରହଣ କରି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଆସନ୍ତା ୧୫ ତାରିଖ ସୁଧା ସମସ୍ତ କାଗଜ ଡିଏଫଓମାନଙ୍କ ନିକଟରେ ଦାଖଲ କରାଯିବ ବୋଲି କହିଥିଲେ । ଏଥି ସହିତ ଜଙ୍ଗଲ ଜମି ଅଧିଗ୍ରହଣ ନିମନ୍ତେ ଦାଖଲ କରାଯାଇଥିବା ନୂତନ ପ୍ରସ୍ତାବ ଉପରେ ସବିଶେଷ ଆଲୋଚନା କରାଯାଇ ଏହି ମାସ ଶେଷ ସୁଧା ସମସ୍ତ ଆବଶ୍ୟକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ପି.ସି.ସି.ଏଫ (ନୋଡାଲ) ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ଜଳସଂପଦ କହିଥିଲେ ।
ବୈଠକରେ ପିସିସିଏଫ ନୋଡାଲ ଶ୍ରୀ ଜିତେନ୍ଦ୍ର କୁମାର, ସର୍ବୋଚ୍ଚ ଯନ୍ତ୍ରୀ, ଜଳସଂପଦ ଶ୍ରୀ ଧୀରେନ କୁମାର ସାମଲ, ଜଳସଂପଦ ବିଭାଗର ପୁନର୍ବାସ ଓ ପୁନଃଥଇଥାନ ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର, ଜାଇକା, ରେଙ୍ଗାଲି ବାମପାଶ୍ୱର୍ କେନାଲର ମୁଖ୍ୟଯନ୍ତ୍ରୀ ତଥା ଜଙ୍ଗଲ ଜମି ଅଧିଗ୍ରହଣର ନୋଡାଲ ଅଧିକାରୀ ଶ୍ରୀ ଦୀପ୍ତିରଞ୍ଜନ ପଣ୍ଡା, ରେଙ୍ଗାଲି ଦକ୍ଷିଣ କେନାଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ପ୍ରଧାନଙ୍କ ସମେତ ରେଙ୍ଗାଲି ଦକ୍ଷିଣ କେନାଲର ବିଭିନ୍ନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଓ କଟକ ଓ ଆଠଗଡ ବନଖଣ୍ଡର ଡିଏଫଓ ଏବଂ ରେଙ୍ଗାଲି ଦକ୍ଷିଣ ପାଶ୍ୱର୍ କେନାଲର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଯୋଗଦେଇଥିଲେ ।

Comments are closed.