ଦେଶରେ କରୋନାସ୍ଥିତିକୁ ନେଇ ଆସନ୍ତା ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ଦେଶରେ କରୋନା ଭୂତାଣୁ (କୋଭିଡ-୧୯) ସଂକ୍ରମଣ ସ୍ଥିତି ଉପରେ ଆଲୋଚନା ପାଇଁ ଆସନ୍ତା ୪ ତାରିଖ (ଶୁକ୍ରବାର)ରେ ସର୍ବଦଳୀୟ ବୈଠକ ବସିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ ମଧ୍ୟ ଯୋଗଦେଇ ପାରନ୍ତି । ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ଏହି ବୈଠକ ଅନୁଷ୍ଠିତ ହେବ ।
କରୋନା ମହାମାରୀ ଆରମ୍ଭ ହେବା ସମୟରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ବିଭିନ୍ନ ରାଜ୍ୟର ସ୍ଥିତି ଏବଂ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହୋଇଥିଲା । ଏବେ ସଂକ୍ରମଣ ସ୍ଥିତି ସାମାନ୍ୟ ଆଶ୍ୱସ୍ତିଜନକ ରହିଛି । କିନ୍ତୁ ମୋଟ ଆକ୍ରାନ୍ତ ମାମଲାରେ ଭାରତ ଏବେ ଆମେରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକାରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧.୩୭ କୋଟି ହୋଇଥିବା ବେଳେ ଭାରତରେ ଏହା ୯୪ ଲକ୍ଷ ଡେଇଁଛି ।
ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଭିଡିଓ କନ୍ଫରେନ୍ସିଙ୍ଗ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟଗୁଡ଼ିକର ସଂକ୍ରମଣ ସ୍ଥିତି ସମୀକ୍ଷା କରାଯିବା ସହ ଟିକା ପାଇଁ ପ୍ରସ୍ତୁତି ବାବଦରେ ଆଲୋଚନା ହୋଇଥିଲା । ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରସ୍ତୁତ ପ୍ରଭାବୀ କରୋନା ଟିକାର ମାନବ ପରୀକ୍ଷଣ ଏବେ ଶେଷ ସୋପାନରେ ପହଞ୍ଚିଥିବାରୁ ଏଥିପାଇଁ ଶୀତଳ ଭଣ୍ଡାର ଏବଂ ବିତରଣ ବ୍ୟବସ୍ଥା ଲାଗି ପ୍ରସ୍ତୁତି କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ । ଜିଲ୍ଲା ଓ ବ୍ଲକ୍ ସ୍ତରରେ ଟାସ୍କଫୋର୍ସ ଗଠନ କରିବାକୁ ସେ ପରାମର୍ଶ ଦେଇଥିଲେ ।
Comments are closed.