ଏହି ଆମ୍ବୁଲାନ୍ସ କର୍ମଚାରୀ ରୋଗୀ ସେବାକୁ କରିଛନ୍ତି ନିଜ ଜୀବନର ବ୍ରତ


କେତେବେଳେ ରକ୍ତ ଦେଇ ତ ପୁଣି କେତେବେଳେ ଅପହଞ୍ଚ ଅଞ୍ଚଳରେ ରୋଗୀଙ୍କ ନିକଟରେ ପହଞ୍ଚି ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି ଆମ୍ବୁଲାନ୍ସ କର୍ମଚାରୀ । ବିଭିନ୍ନ ସମୟରେ ଅସମୟରେ ରୋଗୀଙ୍କୁ ସାହାଯ୍ୟ କରିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଏ କ୍ରିଷ୍ଣା ରାଓ ପୁଣିଥରେ ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଘଟଣାରୁ ପ୍ରକାଶ ଯେ, ମାଲକାନାଗିରୀ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଭାଲିଗୁଡ଼ା ଗ୍ରାମର ବୃନ୍ଦା ନାୟକ ନାମକ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ମହିଳାଙ୍କ ଦେହରେ ରକ୍ତର ଅଭାବ ଥିବା ଯୋଗୁଁ ଡାକ୍ତର ତୁରନ୍ତ ରକ୍ତ ସଂଗ୍ରହ କରିବାର ପରାମର୍ଶ ଦେଇଥିଲେ । ତେଣୁ ମହିଳାଙ୍କ ସହ ଆସିଥିବା ଆଶା ଦିଦି କୁସୁମା ମାଦିନୀ ରକ୍ତ ଯୋଗାଡ଼ ପାଇଁ ରକ୍ତ ଭଣ୍ଡାର ନୀକଟରେ ପହଞ୍ଚିଥିଲେ କିନ୍ତୁ ରକ୍ତ ଭଣ୍ଡାରରେ ‘ବି’ ପଜିଟିଭ ରକ୍ତ ନଥିଲା । ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଏ କ୍ରିଷ୍ଣା ରାଓ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ନିଜେ ରକ୍ତ ଦେବା ପାଇଁ ବାହାରି ଆସିଥିଲେ ଏବଂ ରୋଗୀଙ୍କୁ ନୂଆ ଜୀବନ ଦେଇଥିଲେ ।

ସେହିଭଳି ଅନ୍ୟ ଏକ ଘଟଣାରେ ଉକ୍ତ ବ୍ଲକ ଅନ୍ତର୍ଗତ କର୍ତ୍ତନପାଲି ପଞ୍ଚାୟତ ଅନ୍ତର୍ଗତ ଲୁରେର ଗ୍ରାମର ଧବୁଲୁ ଗୌଡ଼(୬୦) ଅସୁସ୍ଥ ହୋଇଥିବାରୁ ତାଙ୍କ ସ୍ତ୍ରୀ ବୁଦ୍ରି ଗୌଡ଼ ତାଙ୍କୁ ଆଣି ମାଥିଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କୁ ରକ୍ତ ଦରକାର ପଡ଼ିଥିଲା । ତେଣୁ ରକ୍ତ ସଂଗ୍ରହ ନେଇ ଏହି ବୃଦ୍ଧ ଦମ୍ପତ୍ତି ଅସହାୟ ଅବସ୍ଥାରେ ଥିବାବେଳେ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଏ କ୍ରିଷ୍ଣା ରାଓ ଏ ସମ୍ପର୍କରେ ଖବର ପାଇବା ମାତ୍ରକେ ତାଙ୍କ ପାଇଁ ‘ଓ’ ପଜିଟିଭ ରକ୍ତ ଯୋଗାଡ଼ କରି ଧବୁଲୁଙ୍କ ଜୀବନ ରକ୍ଷା କରିଥିଲେ ।

ସେହିଭଳି ମାଥିଲି ସଦରସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରରେ ଥିବା ସୁଲଭ ଶୌଚାଳୟରେ ଝାଡ଼ୁଦାର ମଉନାବତୀ ଧାଙ୍ଗଡ଼ାମାଝୀ ରକ୍ତହୀନତା ରୋଗରେ ପିଡ଼ୀତ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୧୦୮ ଆମ୍ବୁଲାନ୍ସର ସହାୟକ ଏ କ୍ରିଷ୍ଣା ରାଓ ଓ ଫାର୍ମାସିଷ୍ଟ ରାମକୃଷ୍ଣ ସ୍ୱାଇଁ ତାଙ୍କର ଦେଖାଶୁଣା କରୁଥିଲେ । କିନ୍ତୁ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରାକେଶ କୁମାର ବେହେରା ତୁରନ୍ତ ରକ୍ତ ଯୋଗାଡ଼ ନହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା କଥା ଜଣାଇଥିଲେ । ଏହି ସମୟରେ ଏ କ୍ରିଷ୍ଣା ରାଓ ଆଗେଇ ଆସି ମହିଳାଜଣଙ୍କୁ ରକ୍ତ ଦେଇ ତାଙ୍କୁ ନୂଆ ଜୀବନ ଦେଇଥିଲେ । ଏହା ବ୍ୟତୀତ ଉଭୟ ତାଙ୍କର ସମସ୍ତ ଓøଷଧ ଖର୍ଚ୍ଚ ତୁଲାଇବାର ପ୍ରୟାସ ମଧ୍ୟ କରିଛନ୍ତି । ଆମ୍ବୁଲାନ୍ସ ଡ୍ରାଇଭର ଏ କ୍ରିଷ୍ଣା ରାଓଙ୍କର ଏହି ମହାନତା ଅନେକଙ୍କ ପାଇଁ ଆଜି ଉଦାହରଣ ସୃଷ୍ଟି କରିଥିବାବେଳେ ସମାଜରେ ଆଜି ବି ମାନବିକତା ବଞ୍ଚିଥିବାର ପ୍ରମାଣ ଦେଇଛି । ତାଙ୍କର ଏହି ମଣିଷପଣିଆ ଦେଖି ସ୍ଥାନୀୟ ଲୋକଙ୍କ ସମେତ ମାଥିଲି ଜିଲ୍ଲା ପରିଷଦ ସଭ୍ୟମାନେ ତାଙ୍କୁ ଅନେକ ପ୍ରଶଂସା କରିଥିଲେ ।

ସମାନରୂପେ ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ(କୁଲିନା) ବ୍ଳକ ଅନ୍ତର୍ଗତ ଚାନ୍ଦୁଆ ଗ୍ରାମପଞ୍ଚାୟତର ଧୂନ୍ଦାକୁଣ୍ଡି ଗ୍ରାମର ଭୁତି ହାଁସଧା(୬୨) ନାମକ ଜଣେ ମହିଳା ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ଦେବା ପାଇଁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗ୍ରାମ ମଧ୍ୟକୁ ଯାଇପାରିନଥିଲା । ତେଣୁ ଓବଲସମେ୩୭୩ର କର୍ମଚାରୀ ଯଥା ଚିତ୍ତରଞ୍ଜନ ପାତ୍ର, ହରିହର ବେହେରା ଏବଂ ରମେଶ ଚନ୍ଦ୍ର ମହାପାତ୍ର ଗାଁରେ ପହଁଞ୍ଚି ରୋଗୀଙ୍କୁ ତାଙ୍କ ଘର ଠାରୁ ଦେଢ଼ କିଲୋମିଟର ବୋହିଆଣିଥିଲେ ।


Share It

Comments are closed.