ଓଡିଶାରେ ୧୦୮ ଆମ୍ବୁଲାନ୍ସ ସେବାର ୮ ବର୍ଷ ପୁର୍ତ୍ତି

Share It

୧୦୮ ଆମ୍ବୁଲାନ୍ସ ସେବା ଓଡିଶାରେ ଏହାର ନିରବଚ୍ଛିନ୍ନ ଜରୁରୀକାଳୀନ ସେବାର ୮ ବର୍ଷ ପୂରଣ କରିଛି । ଏହି ଅବସରରେ ଶ୍ରୀ ବିଜୟ କୁମାର ଖଣ୍ଡାୟତ୍ରୟ, ଏଡ଼ିଏମ, କଟକ, ପ୍ରଫେସର ଡ଼ଃ ଲୁସି ଦାସ, ସୁପରିଟେଣ୍ଡେଣ୍ଟ, ଏସସିବି ମେଡ଼ିକାଲ ଆଣ୍ଡ କଲେଜ, ଡ଼ଃ ନିର୍ମଳ ଚନ୍ଦ୍ର ମହାପାତ୍ର , ନିର୍ଦ୍ଦେଶକ, ରିଜିଓନାଲ ସ୍ପାଇନାଲ ଇନଜ୍ୟୁରୀ ସେଂଟର ଏବଂ ଶ୍ରୀଯୁକ୍ତ ସବ୍ୟସାଚ୍ଚୀ ବିଶ୍ୱାଳ, ପ୍ରୋଜେକ୍ଟ ମୁଖ୍ୟ, ୧୦୮ ଆମ୍ବୁଲାନ୍ସ, ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୧୦୪ ହେଲଥ ହେଲପ ଲାଇନ୍ ସେବା ପ୍ରମୁଖ ଉପସ୍ଥିତ ରହିଥିଲେ । ୧୦୮ ଆମ୍ବୁଲାନ୍ସ ସେବାକୁ ରାଜ୍ୟରେ ମାର୍ଚ୍ଚ ୫ ତାରିଖ ୨୦୧୩ରେ ଶୁଭାରମ୍ଭ କରାଯାଇଥିଲା ଏବଂ ଏହାପରଠାରୁ ୧୦୮ ଆମ୍ବୁଲାନ୍ସ ସେବା ରାଜ୍ୟର ବିଭିନ୍ନ ଅଂଚଳରେ ୬୩ ଲକ୍ଷରୁ ଅଧିକ ଲୋକଙ୍କୁ ସେବା ପ୍ରଦାନ କରିବାକୁ ସକ୍ଷମ ହୋଇଛି । ରୋଗୀମାନଙ୍କୁ ସରକାରୀ ଚିକିତ୍ସାଳୟ ସହିତ ସଂଯୋଗ କରୁଥିବା ଏହି ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବିଭିନ୍ନ ସହରାଂଚଳ, ଗ୍ରାମାଂଚଳ ସମେତ ଅପହଂଚ ଦୁର୍ଗମ ସ୍ଥାନଗୁଡିକରେ ମଧ୍ୟ ନିଜର ସେବା ପ୍ରଦାନ କରିବାରେ ସଫଳ ହୋଇଛି ।
ଏହି ସ୍ୱତନ୍ତ୍ର ଦିନକୁ ମନେରଖିବା ଏବଂ ରାଜ୍ୟରେ ୮ ବର୍ଷର ସଫଳ ପୂର୍ତିକୁ ପାଳନ କରିବା ପାଇଁ ୧୦୮ ଆମ୍ବୁଲାନ୍ସକୁ ପରିଚାଳନା କରୁଥିବା ସଂସ୍ଥ, ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍ କଟକର ଏସ୍‌ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲ୍ସ ପରିସରରେ ଥିବା ରିଜିଓନାଲ ସ୍ପାଇନାଲ ଇନଜ୍ୟୁରୀ ସେଂଟର ଠାରେ ଅନେକ ଦିବ୍ୟାଙ୍ଗ ଓ ଗରିବ ଲୋକମାନଙ୍କୁ ହ୍ୱିଲ ଚେୟାର ବଂଟନ କରିଛି ।
ଏହି ଅବସରରେ ଜିକିତ୍ସା ହେଲ୍‌ଥକେୟାର ଲିମିଟେଡ୍‌ର ରାଜ୍ୟ ମୁଖ୍ୟ, ଶ୍ରୀ ସବ୍ୟସାଚି ବିଶ୍ୱାଳ କହିଛନ୍ତିଯେ, “ଆମେ ରାଜ୍ୟବାସୀଙ୍କୁ ୧୦୮ ଆମ୍ବୁଲାନ୍ସ ସେବା ପ୍ରଦାନ କରିବାରେ ୮ ବର୍ଷ ସଫଳତାର ସହ ପୂରଣ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ । ପ୍ରତ୍ୟେକ ବର୍ଷ ଆମେ ରକ୍ତ ଦାନ ଶିବିର ଆୟୋଜନକରି ଏହି ଦିନକୁ ପାଳନ କରିଆସୁଥିଲୁ । ଚଳିତ ବର୍ଷ କିଛି ନୂଆ କରିବାକୁଯାଇ ଭିନ୍ନକ୍ଷମ ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ଆଜି ୨୫ଟି ହ୍ୱିଲ ଚେୟାର ବଣ୍ଟନ କରିଛୁ । ଗତ ଏକ ବର୍ଷ ଆମ ପାଇଁ ସବୁଠାରୁ ଅଧିକ ଆହ୍ୱାନପୂର୍ଣ୍ଣ ରହିଥିଲା, କାରଣ କୋଭିଡ୍‌-୧୯ ମହାମାରୀ ସତ୍ୱେ ଆମର ଟିମ୍ ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦରେ ରୋଗୀମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇବା ପାଇଁ ଦୃଢ ଇଛାଶକ୍ତି ଦେଖାଇଥିଲେ । ଗତ ୮ ବର୍ଷ ମଧ୍ୟରେ ଆମେ ଆମର ସେବାକୁ ଲୋକଙ୍କ ପାଇଁ ଅଧିକ ଉନ୍ନତ ଏବଂ ଲୋକାଭିମୂଖି କରିଛୁ ଏବଂ ଆଗକୁ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିବ ।
ବର୍ତମାନ ଏହି ପରିଚାଳନା ସଂସ୍ଥା, ଜରୁରୀକାଳୀନ ସେବା ପାଇଁ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ୫୯୬ଟି ୧୦୮ ଆମ୍ବୁଲାନ୍ସ ଓ ୫୦୦ଟି ୧୦୨ ଆମ୍ବୁଲାନ୍ସ ଯୋଗାଇଛି । ୧୦୮ ଆମ୍ବୁଲାନ୍ସ ସେବା ମାଧ୍ୟମରେ ୩୨ ଲକ୍ଷରୁ ଅଧିକ ଲୋକ ଆମ୍ବୁଲାନ୍ସ ସେବାର ବ୍ୟବହାର କରିଥିବା ବେଳେ ଗତ ୭ ବର୍ଷ ମଧ୍ୟରେ ୩୦ ଲକ୍ଷରୁ ଉର୍ଦ୍ଧ ଗର୍ଭବତୀ ମହିଳା ଓ ଶିଶୁମାନେ ୧୦୨ ଆମ୍ବୁଲାନ୍ସ ସେବାର ବ୍ୟବହାର କରିଛନ୍ତି । ସମାନ ରୂପେ ୬ଟି ବୋଟ୍ ଆମ୍ବୁଲାନ୍ସ ସେବାକୁ ରାଜ୍ୟର ବିଚ୍ଛିନ୍ନାଂଚଳଗୁଡିକ ପାଇଁ ସମର୍ପଣ କରାଯାଇଛି । ୧୦୮ ଆମ୍ବୁଲାନ୍ସ ସେବା ଭୁବନେଶ୍ୱରର ଷ୍ଟେଟ୍‌-ଅଫ୍‌-ଦି-ଆର୍ଟ ସୁବିଧା କେନ୍ଦ୍ରରୁ ପରିଚାଳନା କରାଯାଉଛି ।

ଏଭଳି ଅନେକ ଉଦାହରଣ ରହିଛି, ଯେଉଁଠାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ଜଟିଳ ପରିସ୍ଥିତି ସତ୍ୱେ ମୂଲ୍ୟବାନ ଜୀବନ ବଂଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଉକ୍ତ ସଂସ୍ଥାର ଏକ ସମର୍ପିତ କଲ୍ ସେଂଟର୍ ରୋଗୀମାନଙ୍କଠାରୁ କଲ୍ ରିସିଭ୍ କରିବା ଓ ସେମାନଙ୍କୁ ଯଥାଶୀଘ୍ର ନିକଟସ୍ଥ ହସ୍ପିଟାଲକୁ ପଠାଇବା ପାଇଁ ସବୁବେଳେ ପ୍ରସ୍ତୁତ ରହିଥାନ୍ତି । ଭୁବନେଶ୍ୱରସ୍ଥିତ ଇଂଟିେଗ୍ରେଟେଡ୍ ସେଂଟର୍‌ର ଅଧିକାରୀମାନେ ରୋଗୀଙ୍କ ସଠିକ୍ ଲୋକେଶନକୁ ଚିହ୍ନଟ କରିଥାନ୍ତି ଓ ସେମାନଙ୍କୁ ନିକଟରେ ଉପଲବ୍ଧ ଆମ୍ବୁଲାନ୍ସ ପାଇବାରେ ଯଥାସମ୍ଭବ ସହଯୋଗ କରିଥାନ୍ତି ।
୧୦୮ ଆମ୍ବୁଲାନ୍ସ ଗୁଡ଼ିକ ଏପରିଭାବେ ଜିଲ୍ଲାର ବିଭିନ୍ନ ଯାଗାରେ ଅବସ୍ଥାପିତ କରାଯାଇଛି, ଯାହା ଦ୍ୱାରା ସମ୍ପୁର୍ଣ୍ଣ ଜିଲ୍ଲାର ବିଭିନ୍ନ ଅଂଚଳକୁ ଏହା ପହଞ୍ଚ କରିପାରିବା ନେଇ ଜିକିତ୍ସା ପକ୍ଷରୁ ନିଶ୍ଚିତ କରାଯାଇଛି । ଜଣେ ବ୍ୟକ୍ତି କଲ୍ କରିବାଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ମଧ୍ୟରେ ଆବଶ୍ୟକୀୟ ହସ୍ପିଟାଲ ପୂର୍ବବର୍ତୀ ଯତ୍ନ ପ୍ରଦାନ କରିବା ଓ ରୋଗୀଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ଭଳି ସମସ୍ତ ସେବା ଓଡିଶାର ପ୍ରତ୍ୟେକ ନାଗରିକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା ରହିଛି ।
ଏଭଳି ଅନେକ ଘଟଣା ରହିଛି ଯେଉଁଠାରେ ଟିମ୍ ସଦସ୍ୟମାନେ ନିଜ କାର୍ଯ୍ୟରେ ସଚ୍ଚୋଟତା ଓ ମାନବିକତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ୧୦୮ କର୍ମଚାରୀମାନେ ରୋଗୀମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସେମାନଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କୁ ଫେରାଇ ଜନସାଧାରଣଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି । କର୍ମଚାରୀମାନେ ସେମାନଙ୍କର ଏହିଭଳି ପ୍ରଂଶସନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅବସରରେ ଲୋକମାନଙ୍କ ଦ୍ୱାରା ସମ୍ମାନିତ ମଧ୍ୟ ହୋଇଛନ୍ତି ।


Share It

Comments are closed.