ଶାନ୍ତି ମେମୋରିଆଲ ହସ୍ପିଟାଲରେ ବିଶ୍ୱ ହୃଦୟ ଦିବସ ପାଳିତ


ଭୁବନେଶ୍ୱର : ୱାର୍ଲ୍ଡ ହାର୍ଟ ଫେଡେରେଶନ ପକ୍ଷରୁ ଲୋକମାନଙ୍କୁ ହୃଦରୋଗ ସମ୍ବନ୍ଧରେ ସଚେତନ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ହୃଦୟ ଦିବସ ବା ୱାର୍ଲ୍ଡ ହାର୍ଟ ଡେ’କୁ ପାଳନ କରିବା ଲାଗି ନିଷ୍ପତି ନିଆଯାଇଛି । ଏହା ବିଶ୍ୱବ୍ୟାପୀ ଲୋକମାନଙ୍କୁ ହୃଦ୍‌ରୋଗ ଓ ଷ୍ଟ୍ରୋକ୍ ସମେତ କାର୍ଡିଓ ଭାସ୍କୁଲାର ରୋଗଗୁଡିକ ସମ୍ପର୍କରେ ସଚେତନ କରୁଛି । ଏହି ଉଦ୍ଦେଶ୍ୟ ସହ ଜଡିତ ହୋଇ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଗତ ସେପ୍ଟେମ୍ବର ୨୯ ତାରିଖ ୨୦୨୨ରେ କଟକରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଏହାପୂର୍ବରୁ ସେପ୍ଟେମ୍ବର ୨୮ ତାରିଖ ସନ୍ଧ୍ୟା ସମୟରୁ ସାଜସଜ୍ଜା ଓ କାର୍ଡିଓଲୋଜି ଉପରେ ମାଗଣା ପରାମର୍ଶ ସହିତ ହସ୍ପିଟାଲ ପରିସରେ ସେଲିବ୍ରେଶନ ଆରମ୍ଭ ହୋଇଥିଲା । ଏହି ଅବସରରେ ୫୦ରୁ ଅଧିକ ଲୋକଙ୍କର କାର୍ଡିଓଲୋଜି ହେଲ୍‌ଥ ଚେକ୍‌ଅପ୍ କରାଯିବା ସହ ଡାକ୍ତରୀ ପରାମର୍ଶ ଦିଆଯାଇଛି । ସେହିପରି ଗତକାଲି ସେପ୍ଟେମ୍ବର ୨୯ ତାରିଖରେ ୧୨୦ ଜଣ ଲୋକଙ୍କୁ ମାଗଣା ଇସିଜି ଓ ଇକୋ ଟେଷ୍ଟ ସେବା ସହ ମାଗଣା ଡାକ୍ତରୀ ପରାମର୍ଶ ଦିଆଯାଇଛି । ହସ୍ପିଟାଲରେ ରୋଗୀମାନଙ୍କ ସମେତ ହସ୍ପିଟାଲ କର୍ମଚାରୀ ଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ମାଗଣା ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ୍ କରାଯାଇଛି ।
ଏହାଛଡା କର୍ମଚାରୀଙ୍କ ପାଇଁ ଥେମାଟିକ୍ ପୋଷ୍ଟର୍ କମ୍ପ୍ଲିଶନ ଓ ହୃଦୟ ସମ୍ବନ୍ଧିତ ମେଡିକାଲ କ୍ୱିଜ୍ ପ୍ରତିଯୋଗିତାର ଆୟୋଜନ ହୋଇଥିଲା ଓ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ହସ୍ପିଟାଲର କନ୍‌ସଲ୍‌ଟାଂଟ୍ କାର୍ଡିଓଲୋଜିଷ୍ଟ ଡଃ ପ୍ରିୟଦର୍ଶୀ ତ୍ରିପାଠୀ ତମାଖୁ ସେବନ, ଅସ୍ୱାସ୍ଥ୍ୟକର ଆହାର ଓ ଶାରିରୀକ ନିଷ୍କ୍ରିୟତା ଭଳି ବିପଦ କାରକଗୁଡ଼ିକୁ ନିୟନ୍ତ୍ରଣ କରିବା ଦ୍ୱାରା ହୃଦ୍‌ରୋଗ ଓ ହୃଦ୍‌ଘାତ କାରଣରୁ ହେଉଥିବା ୮୦% ଅକାଳ ମୃତ୍ୟୁକୁ ରୋକାଯାଇପାରିବ ବୋଲି କହିଥିଲେ ଓ ଏସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଆବେଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମ୍ୟାନେଜିଂ କମିଟି ମେମ୍ବର ଏସ୍‌.ଜେ ବାଗ୍‌ଚି ପରିକଳ୍ପନା କରିଥିବା ବେଳେ ମ୍ୟାନେଜିଂ ଡାଇରେକ୍ଟର ଡଃ ଶ୍ରୀଜୋୟ ପଟ୍ଟନାୟକ ମାର୍ଗଦର୍ଶନ ଦେଇଥିଲେ । ମାନବ ସମ୍ବଳ ବିଭାଗର ମୁଖ୍ୟ ପ୍ରମୋଦ ପାଣି, ଡେପୁଟି ନର୍ସିଙ୍ଗ୍ ସୁପରିନ୍‌ଟେଣ୍ଡେଂଟ୍ ମନୋରମା ମିଶ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


Share It

Comments are closed.