ମିଛ ଖବର : ହାଭାର୍ଡ ବିଶ୍ୱ ବିଦ୍ୟାଳୟ ପ୍ରଫେସରଙ୍କ ଦାବୀ କରୋନା ଭାଇରସ ଚୀନର ଜୈବିକ ପରମାଣୁ ଜନିତ ଆକ୍ରମଣ


୧୭ ନଭେମ୍ବର ୨୦୧୯ରେ  ବିଶ୍ୱର  ଦ୍ୱିତୀୟ ବୃହତମ ରାଷ୍ଟ୍ର ଚୀନର ଊହାନ ସହରରୁ ଦେଖାଦେଇଥିବା କରୋନା ଭାଇରସ୍ ବର୍ତ୍ତମାନ ବିଶ୍ୱର ପ୍ରାୟ୨୦୪ଟି ରାଷ୍ଟ୍ରକୁ ଗ୍ରାସ କରିସାରିସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ( WHO) ତା ୧୧.୦୨.୨୦୨୦ରେ ଏହି ଭାଇରସକୁ   COVID 19 ନାମରେ ନାମିତ କଲେ । ଏହି ଭାଇରସକୁ ନେଇ ସବୁଆଡେ ନାନାଡି ଗୁଜବ ଆରମ୍ଭ ହୋଇଯାଇଥିବାବେଳେ ବର୍ତ୍ତମାନ ଭାଇରସ ସମ୍ବନ୍ଧରେ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିିଛି, ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋରସେ ଆରମ୍ଭ ହୋଇଗଲାଣି ।

କେତେକଙ୍କ ମତରେ, “ଚୀନ ସାରା ବିଶ୍ୱରେ ନିଜ ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲା । ସେଥିପାଇଁ ଚୀନ କରୋନା ନାଁ ରେ ଏକ ଜୈବିକ ଅସ୍ତ୍ର ତିଆରି କଲା । ଏକଥା ର ଦୃଢ ପ୍ରମାଣ ମିଳିସାରିଛି । କାରଣ ଆମେରିକାରେ ଜଣେ ଅଧ୍ୟାପକଙ୍କୁ ଗିରଫ କରାଯାଇଛି, ଯିଏ ଚୀନ କୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ଆଉ ସେଥିପାଇଁ ତାଙ୍କୁ ଚୀନ ରୁ କୋଟି କୋଟି ଟଙ୍କା ମିଳିଛି । ”
ଉପରୋକ୍ତ ଦାବି ସହ ଆଜିକାଲି ଏକ ଭିଡିଓ ସାମାଜିକ ଗଣମାଧ୍ୟମ ରେ ବହୁଳ ପ୍ରଚାର ପ୍ରସାର ହେଉଛି । ଆସନ୍ତୁ ଜାଣିବା ଭାଇରାଲ ହେଉଥିବା ଭିଡିଓର ସତ୍ୟାସତ୍ୟ କଣ ?
ଭାଇରାଲ ହେଉଥିବା ଭିଡିଓ ସହ ଏହି ବାର୍ତ୍ତା ଅଛି ଯେ, FBI ବୋଷ୍ଟନ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି, ଯାହାର ଚୀନର ବିଶ୍ୱବିଦ୍ୟାଳୟ ଏବଂ ଉହାନ ସହରର ଏକ ଗବେଷଣାଗାର ସହ ସମ୍ପର୍କ ଥିଲା । ଚୀନ ସେ ଅଧ୍ୟାପକଙ୍କୁ ପ୍ରଚୁର ଅର୍ଥ ଦେଉଥିଲା । ତେଣୁ ଏକଥା ପ୍ରମାଣ ହୋଇସାରିଛି ଯେ, କରୋନା ଭାଇରସ ଚୀନ ଦ୍ୱାରା ତିଆରି ଏକ ଜୈବିକ ଅସ୍ତ୍ରର ଆକ୍ରମଣ ।
ହେଲେ ତଥ୍ୟ ଓ ଅନୁସନ୍ଧାନ ରୁ ଜଣାପଡେ, ବୋଷ୍ଟନର ଏକ ଗଣମାଧ୍ୟମ chanel-5 ଠିକ୍ ସମାନ ଭିଡିଓଟି ୨୯ ଜାନୁଆରୀ ୨୦୨୦ ରେ ପ୍ରକାଶ କରିଛି । ସେହି ଭିଡ଼ିଓ ରୁ ଜଣାପଡୁଛି ଯେଉଁ ଅଧ୍ୟାପକଙ୍କର ଚର୍ଚ୍ଚା ଚାଲିଛି ତାଙ୍କ ନାଁ ହେଉଛି ଚାର୍ଲସ୍ ଲିଭର, ଯିଏ ହାଭାର୍ଡ ବିଶ୍ୱବିଦ୍ୟାଳୟର ରସାୟନ ବିଭାଗ ର ବିଭାଗମୁଖ୍ୟ ଥିଲେ । ତାଙ୍କୁ ୨୮ ଜାନୁଆରୀ ୨୦୨୦ ରେ ହାଭାର୍ଡ ସ୍ଥିତ ତାଙ୍କ କାର୍ଯ୍ୟଳୟରୁ ଗିରଫ କରାଯାଇଛି। ଚାର୍ଲସ୍ ଲିଭରଙ୍କ ନାଁ ରେ ଅଭିଯୋଗ ଯେ, ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରୁ ମାସକୁ ୩୫ ଲକ୍ଷ ଟଙ୍କା ନେଉଥିଲେ ଏବଂ ଚୀନରେ ଗବେଷଣାଗାର ତିଆରି କରିବା ପାଇଁ ୭.୫ କୋଟି ଟଙ୍କାର ଅନୁଦାନ ନେଇଛନ୍ତି । ଏବଂ ଠିକ୍ ସେମିତି ଆମେରିକାର ପ୍ରତିରକ୍ଷା ବିଭାଗ ଓ ସ୍ୱାସ୍ଥ୍ୟସେବା ବିଭାଗରୁ ମଧ୍ୟ ଆର୍ଥିକ ଅନୁଦାନ ନେଉଥିଲେ । ଏହି ଘଟଣାରେ ଅଧ୍ୟାପକ ଚାର୍ଲସ୍ ଲିଭରଙ୍କ ସହ ୨ ଜଣ ଚୀନା ବୈଜ୍ଞାନିକ ଙ୍କୁ ମଧ୍ୟ ଗିରଫ କରାଯାଇଛି, ଯାହାଙ୍କ ଭିତରୁ ଜଣେ ବୋଷ୍ଟନ ବିଶ୍ବବିଦ୍ୟାଳୟ ରେ ଗବେଷଣା କରୁଥିଲେ । ଏମାନଙ୍କ ନାଁ ରେ ଅଭିଯୋଗ ଯେ, ଏମାନେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଜୈବିକ ଗବେଷଣା ର ତଥ୍ୟ ଚୀନ କୁ ଯୋଗାଇଥିଲେ ଏବଂ ଆମେରିକାର ତଦନ୍ତ ସଂସ୍ଥା କୁ ଏ ଘଟଣା ର ଅନୁସନ୍ଧାନ ବେଳେ ମିଛ କହିଥିଲେ । ଯଦି ଏହି ଅଭିଯୋଗ ପ୍ରମାଣିତ ହୁଏ, ତେବେ ଏମାନଙ୍କୁ ୫ବର୍ଷର କାରାଦଣ୍ଡ ମିଳିବ ।
ହାଭାର୍ଡ ବିଶ୍ୱବିଦ୍ୟାଳୟ, ଅଧ୍ୟାପକ ଚାର୍ଲସ୍ ଲିଭର ଭଳି କିଛି ମୌଳିକ ଶବ୍ଦ କୁ The Guardian ଏବଂ ସେଇଭଳି କିଛି ଭରସାଯୋଗ୍ୟ ଖବରକାଗଜ ଓ ୱେବସାଇଟରୁ ଅନୁସନ୍ଧାନ କଲା ପରେ ଜଣାପଡିଲା, ଏକଥା ସତ୍ୟ ଯେ ହାଭାର୍ଡ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ସହିତ ଆଉ ୨ ଜଣ ଚୀନା ବୈଜ୍ଞାନିକ ମଧ୍ୟ ଗିରଫ ହୋଇଛନ୍ତି । କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କ ନାଁ ରେ ଆର୍ଥିକ ଅନିୟମିତତା ର ଅଭିଯୋଗ ଆସିଛି ଏବଂ କରୋନା ଭାଇରସ ସମ୍ବନ୍ଧୀୟ କୌଣସି ଅଭିଯୋଗ ନାହିଁ । କଥା ହେଉଛି, ହାଭାର୍ଡ ବିଶ୍ୱବିଦ୍ୟାଳୟ ର ରସାୟନ ବିଭାଗ ର ବିଭାଗମୁଖ୍ୟ ଚାର୍ଲସ୍ ଲିଭର ଗୋଟିଏ କାମ ବା ଗବେଷଣାଜନିତ ତଥ୍ୟ ପାଇଁ ୨ ଟି ଦେଶ ଅର୍ଥାତ ଉଭୟ ଚୀନ ଏବଂ ଆମେରିକା ଠାରୁ ଟଙ୍କା ନେଇଛନ୍ତି, ଯାହାକି ଆନ୍ତର୍ଜାତିକ ବ୍ୟବସ୍ଥା ଅନୁଯାୟୀ ବେଆଇନ ଅଟେ । କିନ୍ତୁ ଏହାର କରୋନା ରୋଗ ସହ କୌଣସି ସମ୍ପର୍କ ନାହିଁ । ବିଶ୍ଵ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ର ମଧ୍ୟ ଏହି ଘଟଣା କୁ ନେଇ ସେଭଳି କୌଣସି ଅଭିଯୋଗ ବା ଦାବି ନାହିଁ ।
ଯେହେତୁ ଉହାନ ସହର ରୁ କରୋନା ସଂକ୍ରମଣ ଆରମ୍ଭ ହୋଇଛି ଓ ଏ ଘଟଣା ରେ ଉହାନ ବିଶ୍ୱବିଦ୍ୟାଳୟ ର ନାଁ ଅଛି, କିଛିଲୋକଙ୍କୁ ନିଜ କାଳ୍ପନିକ ମିଛ ଗପ କହିବାର ସୁଯୋଗ ମିଳିଗଲା । ତେଣୁ ଏହି ଭିଡିଓ ସହ ଯେଉଁ ଦାବି ବା ବାର୍ତ୍ତା ପ୍ରଚାର ହେଉଛି ତାହା ସମ୍ପୂର୍ଣ୍ଣ ମିଛ ।


Share It

Comments are closed.