ନିଜର ପରାଜୟ ସ୍ୱୀକାର କରୁ ନାହାନ୍ତି ଟ୍ରମ୍ପ, ବୁଝାଇବାରେ ଲାଗିଛନ୍ତି ଝିଅ ଇଭାଙ୍କା ଏବଂ ଜ୍ୱାଇଁ କୁଶନ


ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ଡୋନାଲ୍ଡୋ ଟ୍ରମ୍ପ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ । ତେବେ ଟ୍ରମ୍ପଙ୍କ ପରିବାରର ବହୁ ସଦସ୍ୟଙ୍କୁ ଲାଗୁଛି ଏବେ ତାଙ୍କୁ ଏହି ଜିଦି ଛାଡିଦବା ଦରକାର। ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ୍ କୁଶନର, ଝିଅ ଇଭାଙ୍କା ଓ ତାଙ୍କ ପତ୍ନୀ ମେଲାନିଆ ଚାହାନ୍ତି ଟ୍ରମ୍ପ ନିଜର ପରାଜୟ ସ୍ୱୀକାର କରନ୍ତୁ।

କୁଶନର ଟ୍ରମ୍ପଙ୍କୁ ମନାଇବା ପାଇଁ ହ୍ୱାଇଟ ହାଉସ ମଧ୍ୟ ଯାଇଥିଲେ, କିନ୍ତୁ ତାଙ୍କୁ ନିରାଶ ହୋଇ ଫେରିବାକୁ ପଡିଥିଲା। ଟ୍ରମ୍ପ ଏହି ମାମଲାରେ କିଛି ବି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ଏହା ମଧ୍ୟ କୁହାଯାଉଛି ଯେ, ଝିଅ ଇଭାଙ୍କା ମଧ୍ୟ ତାଙ୍କ ବାପାଙ୍କର ଜିଦିଆ ସ୍ୱଭାବକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, କିନ୍ତୁ ତାଙ୍କର ଭାଇମାନେ ବାପାଙ୍କୁ ସମର୍ଥନ କରୁଛନ୍ତି। ଡୋନାଲ୍ଡୋ ଜୁନିୟର ଓ ଏରିକ୍ ତାଙ୍କ ସହଯୋଗୀଙ୍କୁ କହିଛନ୍ତି, ପରିଣାମ ସ୍ୱୀକାର କରନ୍ତୁ ନାହିଁ ଓ ଚାପ ରଖିବା ଜାରି ରଖନ୍ତୁ। ସିଧା ଶବ୍ଦରେ କୁହାଗଲେ ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପ ପରିବାର ଦୁଇ ଭାଗରେ ବିଭାଜିତ ହୋଇଯାଇଛନ୍ତି।

ଟ୍ରମ୍ପଙ୍କ ଜ୍ୱାଇଁ ଓ ତାଙ୍କର ବରିଷ୍ଠ ପରାମର୍ଶଦାତା ଜରେଡ୍ କୁଶନର ନିର୍ବାଚନ ଫଳାଫଳକୁ ନେଇ ଟ୍ରମ୍ପଙ୍କୁ ବୁଝାଇଛନ୍ତି। ସେ ଟ୍ରମ୍ପଙ୍କୁ କହିଛନ୍ତି ଯେ, ତାଙ୍କୁ ମାମଲାକୁ ବଢାଇବା ବଦଳରେ ଫଳାଫଳ ସ୍ୱୀକାର କରିନେବା ଦରକାର। କିନ୍ତୁ ଟ୍ରମ୍ପ ତାଙ୍କ କଥାକୁ ନଶୁଣିଲା ଭଳି ରହିଯାଇଥିଲେ। କେବଳ ସେତିକି ନୁହେଁ, ମେଲନିଆ ଟ୍ରମ୍ପ ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରିଛନ୍ତି, କିନ୍ତୁ ଟ୍ରମ୍ପ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ।

ଟ୍ରମ୍ପ ଆରମ୍ଭରୁ ଏହା କହୁଛନ୍ତି ଯେ, ନିର୍ବାଚନରେ ବଡ ଧରଣର ​ ଠକାମି ହୋଇଛି। ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଆଇନଗତ ବିକଳ୍ପର ସାହାରାରେ ଏହି ଲଢେଇ କରିବେ। ଟ୍ରମ୍ପଙ୍କ ଦୁଇ ପୁଅ ମଧ୍ୟ ଏହି ମାମଲାରେ ତାଙ୍କ ଭଳି ସମାନ କଥା କହୁଛନ୍ତି। ଏହି କାରଣରୁ ଟ୍ରମ୍ପ ଅନ୍ୟ କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ସେଭଳି ଟ୍ରମ୍ପ ଆଇନଗତ ଲଢେଇ ପାଇଁ ଫଣ୍ଡ ଏକାଠି କରିବା ଆରମ୍ଭ କରି ଦେଇଛନ୍ତି।


Share It

Comments are closed.