କେନ୍ଦ୍ର କ୍ୟାବିନେଟ୍‌ର ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ


ନୂଆଦିଲ୍ଲୀ/ଭୁବନେଶ୍ୱର, – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ବସିଥିବା କ୍ୟାବିନେଟ୍ ବୈଠକରେ ‘ମିଶନ କର୍ମଯୋଗୀ’ ଶୁଭାରମ୍ଭ କରାଯିବା ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିକୁ ସ୍ୱାଗତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କ୍ୟାବିନେଟ୍ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବା ସହ କହିଛନ୍ତି ‘ମିଶନ କର୍ମଯୋଗୀ’ର ଶୁଭାରମ୍ଭ ତଥା ପ୍ରଶାସନିକ ସେବାରେ ସଂସ୍କାର ଭବିଷ୍ୟତରେ ପ୍ରଶାସନିକ ଅଧିକାରୀଙ୍କୁ ଅଧିକ ଗଠନମୂଳକ, ଅଭିନବ ଓ ପ୍ରଗତିଶୀଳ ହୋଇ ଜନ ସେବା କରିବା ପାଇଁ ଉତ୍ସାହ ଦେବ ଓ ସହଯୋଗ କରିବ ।
ବ୍ୟକ୍ତିଗତ ତଥା ଅନୁଷ୍ଠାନ ସ୍ତରରେ ପ୍ରଶାସନିକ ଅଧିକାରୀଙ୍କ ଦକ୍ଷତା ବିକାଶ ହେଲେ ତୃଣମୂଳ ସ୍ତରରେ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେବ, ସରକାରୀ ଅନୁଷ୍ଠାନକୁ ମଜବୁତ୍ କରିବ ଏବଂ କାର୍ଯ୍ୟ ପ୍ରକ୍ରିୟାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ । ‘ମିଶନ କର୍ମଯୋଗୀ’ ବଳରେ ଦେଶର ପ୍ରଶାସନିକ ଅଧିକାରୀମାନେ ଭାରତୀୟ ସଂସ୍କୃତିରେ ବିଶ୍ୱର ସର୍ବୋତ୍ତମ ଅଭ୍ୟାସର ମିଶ୍ରଣ କରି ମାନବସମ୍ବଳର ପ୍ରବନ୍ଧନକୁ ‘ନିୟମ ଆଧାର’ରୁ ‘ଭୂମିକା ଆଧାର’ରେ ପରିଣତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଏହାସହ ଦୀର୍ଘଦିନର ଦାବୀକୁ ପୂରଣ କରିବା ତଥା କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମିରର ଭାଷା କାଶ୍ମିରୀ, ହିନ୍ଦି ଏବଂ ଡଗରି ଭାଷାକୁ ସରକାରୀ ମାନ୍ୟତା ଦେଇଥିବାରୁ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।


Share It

Comments are closed.