ଖରିଫ୍‌ ଧାନ ସଂଗ୍ରହ ପାଇଁ ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ୱ ମନ୍ତ୍ରୀ ରାଜା ସ୍ୱାଇଁ


ନାମ ପଂଜୀକରଣ କରିଥିବା ଚାଷୀମାନଙ୍କଠାରୁ ରାଜ୍ୟରେ ଖରିଫ୍‌ ଧାନ ସଂଗ୍ରହ କାର୍ଯ୍ୟ ସ୍ୱଚ୍ଛ, ସୁବ୍ୟବସ୍ଥିତ ଓ ସୁରୁଖୁରୁରେ କରିବା ନିମନ୍ତେ ଏହାର ତଦାରଖ ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପରାମର୍ଶ କ୍ରମେ ବିଭାଗ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର ୧୨ ଜଣ ବରିଷ୍ଠ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି । ଅଧିକାରୀମାନେ ପ୍ରତିଦିନ ଧାନସଂଗ୍ରହ କାର୍ଯ୍ୟ ତଦାରଖ କରିବା ସହିତ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାଗୁଡ଼ିକୁ ନିୟମିତ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରିଷ୍ଠ ଅଧିକାରୀମାନେ ସେମାନଙ୍କ ଜିଲ୍ଲା ଗସ୍ତ ସମୟରେ ଚାଷୀ ଓ ପ୍ରାଥମିକ କୃଷି ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ସହିତ କ୍ଷେତ୍ରସ୍ତରରେ ଧାନସଂଗ୍ରହରେ ଉପୁଜୁଥିବା ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ।

ଜିଲ୍ଲା ଦାୟିତ୍ୱ ଦିଆଯାଇଥିବା ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ କେଶରୀ ଦାସଙ୍କୁ ବରଗଡ଼ ଜିଲ୍ଲା, ନିବନ୍ଧକ ସମବାୟ ସମିତି ସମୂହ ଶ୍ରୀ ସୁଶାନ୍ତ ବାରିକ ସମ୍ୱଲପୁର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଧିରେନ୍ଦ୍ର କୁମାର ସାହୁ କଳାହାଣ୍ଡି, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପାତ୍ର ନୂଆପଡ଼ା, ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଭରତ ଚନ୍ଦ୍ର ବେହେରା ସୁବର୍ଣ୍ଣପୁର, ଯୁଗ୍ମ ଶାସନ ସଚିବ ଶ୍ରୀ ସୁଦର୍ଶନ ସେଠୀ ବଲାଙ୍ଗୀର ଜିଲ୍ଲା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ନରେନ୍ଦ୍ର କୁମାର ରାଉତ କୋରାପୁଟ, ସମବାୟ ବିଭାଗର ଯୁଗ୍ମ ସଚିବ ଶ୍ରୀ ସନ୍ତୋଷ କୁମାର ଦାଶ ବୌଦ୍ଧ, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଜ୍ୟୋତି କୁମାର ଲାକ୍ରା ସୁନ୍ଦରଗଡ଼, ସମବାୟ ବିଭାଗର ଉପଶାସନ ସଚିବ ଶ୍ରୀ ସୁଶାନ୍ତ କୁମାର ପଣ୍ଡା କେନ୍ଦୁଝର, ଡିଆର୍‌ସିଏସ୍‌ ଶ୍ରୀ କୃଷ୍ଣଚନ୍ଦ୍ର ଦାସ ଝାରସୁଗୁଡ଼ା ଜିଲ୍ଲା ଏବଂ ଜିଏମ୍‌ ( ପିଡିଏସ୍‌) ଶ୍ରୀ ସୁଧାକର ଶବରଙ୍କୁ ରାୟଗଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ଏଥି ସହିତ ନିବନ୍ଧକ ସମବାୟ ସମିତି ସମୂହଙ୍କ ପକ୍ଷରୁ ସମସ୍ତ ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ କାର୍ଯ୍ୟାଳୟରେ କଣ୍ଟ୍ରୋଲ୍‌ ରୁମ୍‌ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡିଆର୍‌ସିଏସ୍‌ ଓ ଏଆର୍‌ସିଏସ୍‌ମାନେ ବ୍ୟାପକ କ୍ଷେତ୍ର ପରିଦର୍ଶନ କରି ଉପୁଜୁଥିବା ସମସ୍ୟାର ତତ୍‌କ୍ଷଣାତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ଷେତ୍ର ସ୍ତରରେ ସମାଧାନ ହୋଇ ପାରୁ ନଥିବା ସମସ୍ୟାଗୁଡ଼ିକୁ ତୁରନ୍ତ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବା ପାଇଁ କୁହାଯାଇଛି ।


Share It

Comments are closed.