୪୫ ଡିଗ୍ରୀ ଟପିଲା ତାତି, ପ୍ରବଳ ଗୁଳୁଗୁଳି ଅନୁଭୂତ
ରାଜ୍ୟରେ ଚଳିତବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ସୋମବାର ଝାରସୁଗୁଡ଼ାରେ ଦିନ ତାପମାତ୍ରା ସର୍ବାଧିକ ୪୫.୪ ଡିଗ୍ରୀ ସେଲସିୟସ୍ ରହିଥିବାବେଳେ ସମ୍ବଲପୁରରେ ୪୩, ହୀରାକୁଦରେ ୪୨.୪, ରାଉରକେଲା ୪୨, କେନ୍ଦୁଝରରେ, ୩୮.୩, ଚାନ୍ଦବାଲି ୩୮.୨, ବାଲେଶ୍ୱର ୩୭ ଓ ଭୁବନେଶ୍ୱର ୩୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ଉପକୂଳ ଓଡ଼ିଶାରେ ଖରା ସହ ଗୁଳୁଗୁଳି ଜନଜୀବନକୁ ପ୍ରଭାବିତ କରିଛି। ଦିନ ତମାମ ଆଦ୍ରତା ପୁରୀ ଓ ଗୋପାଳପୁରରେ ୭୨%, ପାରାଦ୍ୱୀପରେ ୭୦%, ବାଲେଶ୍ୱର ଓ ଭୁବନେଶ୍ୱରରେ ୬୨% ଏବଂ ଚାନ୍ଦବାଲିରେ ୫୯% ଆର୍ଦ୍ରତା କାରଣରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟ ପାଣିପାଗରେ ବିଶେଷ ପରିବର୍ତ୍ତନ ନହେଲେ ମଧ୍ୟ ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, ବୌଦ୍ଧ, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ା ଆଦି ଜିଲାରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବ। ଅନ୍ୟପଟେ ସୋମବାର ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ଜନିତ ବର୍ଷା ମଧ୍ୟ ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଝଡ଼ବର୍ଷା ନେଇ ବିଭିନ୍ନ ଜିଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Comments are closed.