ଇପିଏଫଓରେ ଯୋଡ଼ିହେଲେ ୧୬.୧୦ ଲକ୍ଷ ନୂତନ ସଦସ୍ୟ
ଅବସର ପାଣ୍ଠି ପରିଚାଳନା କରୁଥିବା କର୍ମଚାରୀ ଭବିଷ୍ୟ ପାଣ୍ଠି ସଂଗଠନ (ଇପିଏଫଓ) ଫେବୃଆରୀରେ ମୋଟ ୧୬.୧୦ ଲକ୍ଷ ନେଟ୍ ନୂତନ ସଦସ୍ୟ ଯୋଡିଛି। ସୋମବାର ପ୍ରକାଶିତ ସର୍ବଶେଷ ବେତନ ତଥ୍ୟ ଅନୁଯାୟୀ, ଗତ ବର୍ଷ ସମାନ ମାସ ତୁଳନାରେ ଏହି ସଂଖ୍ୟା ୩.୯୯% ଅଧିକ ରହିଛି। ଶ୍ରମ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ୨୦୨୫ ଫେବୃଆରୀରେ ଇପିଏଫଓ ପ୍ରାୟ ୭.୩୯ ଲକ୍ଷ ନୂତନ ସଦସ୍ୟ ଯୋଡିଛି। ମନ୍ତ୍ରଣାଳୟ କହିଛି ଯେ, ନିଯୁକ୍ତି ସୁଯୋଗ ବୃଦ୍ଧି, କର୍ମଚାରୀଙ୍କ ସୁବିଧା ବିଷୟରେ ସଚେତନତା ଏବଂ ଇପିଏଫଓର ସଫଳ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ନୂତନ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ହେଉଛି। ନୂତନ ସଦସ୍ୟଙ୍କ ମଧ୍ୟରେ ୧୮-୨୫ ବର୍ଷ ବୟସର ଲୋକଙ୍କ ସଂଖ୍ୟା ସର୍ବାଧିକ, ୨୦୨୫ ଫେବୃଆରୀରେ ଯୋଡି ହୋଇଥିବା ନୂତନ ସଦସ୍ୟମାନଙ୍କ ଅଂଶ ହେଉଛି ୪.୨୭ ଲକ୍ଷ ଅଥାତ୍ ୫୭.୭୧%। ଏଥିରୁ ଜଣାପଡ଼ୁଛି ଇପିଏଫଓରେ ଯୋଡ଼ିହେଉଥିବା ଅଧିକାଂଶ ଲୋକ ଯୁବକ ଅଟନ୍ତି । ୧୮-୨୫ ବର୍ଷ ବୟସର ମୋଟ ସଦସ୍ୟଙ୍କ ସଂଖ୍ୟା ଫେବୃଆରୀରେ ପ୍ରାୟ ୬.୭୮ ଲକ୍ଷ ବୃଦ୍ଧି ପାଇଛ। ଏହା ଗତବର୍ଷ ତୁଳନାରେ ୩.୦୧% ଅଟେ। ତଥ୍ୟ ଦର୍ଶାଉଛି ଯେ ପ୍ରାୟ ୧୩.୧୮ ଲକ୍ଷ ସଦସ୍ୟ, ଯେଉଁମାନେ ପୂର୍ବରୁ ଇପିଏଫ୍ଓରୁ ବାହାରି ଯାଇଥିଲେ ସେମାନେ ଫେବୃଆରୀରେ ଯୋଗଦେଇଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୫ ଫେବୃଆରୀରେ ପ୍ରାୟ ୨.୦୮ ଲକ୍ଷ ମହିଳା ସଦସ୍ୟ ପ୍ରଥମ ଥର ପାଇଁ ଇପିଏଫ୍ଓରେ ଯୋଗ ଦେଇଥିଲେ। ବାର୍ଷିକ ଭିତ୍ତିରେ ଏହି ସଂଖ୍ୟାରେ ୧.୨୬% ବୃଦ୍ଧି ଘଟିଛି।
Comments are closed.