ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଜାରି ହେଲା ଗାଇଡଲାଇନ


କରୋନା ମହାମାରୀ ଯୋଗୁଁ ଗତ କିଛି ମାସ ହେଲା ସ୍କୁଲ କଲେଜ ବନ୍ଦ ରହିଛି । ସରକାର ଲଗାତାର ସ୍କୁଲ କଲେଜ ଖୋଲିବା ଉପରେ ବିଚାର କରୁଛନ୍ତି । ସେପ୍ଟେମ୍ବର ୨୧ ତାରିଖରୁ ସ୍କୁଲ ଖୋଲିବା ପାଇଁ ବର୍ତ୍ତମାନ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ଜାରି କରିଛନ୍ତି । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଖୋଲିବା ପାଇଁ ସରକାର ଅନୁମତି ଦେଇଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ପାଳନ କରିବାକୁ ହେବ । କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୬ ତାରିଖରୁ ସ୍କୁଲ କଲେଜ ତଥା ସମସ୍ତ ଶିକ୍ଷଣୀୟ ସଂସ୍ଥା ବନ୍ଦ ରହିଛି ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁଯାୟୀ, ଥରକେ ୫୦ ପ୍ରତିଶତ ଶିକ୍ଷକ ତଥା ଅଣଶିକ୍ଷା କର୍ମୀ ଆସିପାରିବେ । ଯେଉଁ ସ୍କୁଲମାନଙ୍କରେ ବାୟୋମେଟିକ ହାଜିରୀ ବ୍ୟବସ୍ଥା ଅଛି ସେଠାରେ ଛାତ୍ରଛାତ୍ରୀଙ୍କ ହାଜିରା ପାଇଁ ଅନ୍ୟ ବ୍ୟବସ୍ଥା କରିବାକୁ ପଡିବ । ଯଦି ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ବାହନ ବ୍ୟବସ୍ଥା ରହିଛି ତାହେଲେ ପ୍ରତିଦିନ ତାକୁ ସାନିଟାଇଜ କରିବାକୁ ହେବ । ସ୍କୁଲରେ ଥର୍ମାଲ ସ୍କ୍ରିନିଙ୍ଗ ପଲ୍ସ ଅକ୍ସିମିଟର ଉପଲବ୍ଧ କରାଇବାକୁ ହେବ । ସ୍କୁଲକୁ ପ୍ରବେଶ କରିବା ପୂର୍ବରୁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଙ୍ଗ କରାଇବାକୁ ହେବ । ଏହାଛଡା ହାତ ସାନିଟାଈଜ କରିବାକୁ ହେବ । ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ଫେସ ମାସ୍କ ଓ ସାନିଟାଇଜର ସ୍କୁଲ ତରଫରୁ ଦେବାକୁ ହେବ । ସ୍କୁଲ ଖୋଲିବା ପୂର୍ବରୁ ପୁରା ସ୍କୁଲକୁ ସାନିଟାଈଜ କରିବାକୁ ହେବ । କଣ୍ଟେନମେଣ୍ଟ ଜୋନର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିପାରିବେ ନାହିଁ । ବୟସ୍କ, ଗର୍ଭବତୀ ମହିଳା ଓ କୌଣସି ରୋଗରେ ପୀଡିତ ବ୍ୟକ୍ତି ସ୍କୁଲରୁ ଦୁରେଇ ରହିବେ । ଥର୍ମାଲ ସ୍କ୍ରିନିଙ୍ଗରେ ଯଦି କୌଣସି ବ୍ୟକ୍ତି କିମ୍ବା ଛାତ୍ରଛାତ୍ରୀ ପଜିଟିଭ ଥିବାର ଆଶଙ୍କା ହୁଏ ତାହେଲେ ତାଙ୍କୁ ଆଇସୋଲେଟ କରାଯିବ । ସ୍ୱାସ୍ଥ୍ୟ ବିଭାଗ ଓ ପରିଜନଙ୍କୁ ଏ ସମ୍ବନ୍ଧରେ ସୂଚିତ କରାଯିବ ।

୧. ବନ୍ଦ କୋଠରୀ ପରିବର୍ତ୍ତେ ଖୋଲା ଜାଗାରେ କ୍ଲାସ ହେବ ।

୨. ଶିକ୍ଷକ, ଛାତ୍ରଛାତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ହେବ ।

୩. ଭୂଇଁରେ ୬-୬ ଫୁଟ ଦୂରତାରେ ମାର୍କିଙ୍ଗ କରାଯିବ ।

୪. ପ୍ରତ୍ୟେକ ଶ୍ରେଣୀ ପାଇଁ ଅଲଗା ଅଲଗା ସମୟ ନିର୍ଧାରିତ କରାଯିବ ।

୫. ଛାତ୍ରଛାତ୍ରୀ ପେନ୍ସିଲ, ପେନ, ପାଣି ବୋତଲ, ବହି ଖାତା ଆଦି ପରସ୍ପର ମଧ୍ୟରେ ସେୟାର କରିପାରିବେ ନାହିଁ ।

୬. ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅନ୍ୟ କର୍ମଚାରୀଙ୍କୁ ଲଗାତାର ବ୍ୟବଧାନରେ ହାତ ଧୋଇବାକୁ ହେବ, ମାସ୍କ ପିନ୍ଧିବା ଅନିବାର୍ଯ୍ୟ  ।

୭. ସ୍କୁଲମାନଙ୍କରେ ସକାଳ ପ୍ରାର୍ଥନା ପାଇଁ ଅନୁମତି ଦିଆଯିବ ନାହିଁ ।

୮. ଯେଉଁ ଛାତ୍ରଛାତ୍ରୀ ସ୍କୁଲ ଆସିବେ ନାହିଁ ସେମାନଙ୍କ ପାଇଁ ଅନଲାଇନ କ୍ଲାସ ଜାରି ରହିବ ।

୯. ସ୍କୁଲ କ୍ୟାଣ୍ଟିନ ବନ୍ଦ ରହିବ ।

୧୦. ସାମାଜିକ ଦୂରତା ବଜାୟ ରଖିବାକୁ ପ୍ରାକ୍ଟିସ ଲ୍ୟାବରେ କମ ସଂଖ୍ୟକ ବ୍ୟାଚ ଗଠନ କରାଯିବ । ଲ୍ୟାବ ଭିତରେ ୪ ବର୍ଗମିଟରର ଗୋଲେଇ ରହିବ ।

 


Share It

Comments are closed.