ପ୍ରଥମ ଟି-ଟ୍ୱେଣ୍ଟି : ୱେଷ୍ଟଇଣ୍ଡିଜକୁ ୬୮ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ


ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ପରେ ଦିନେଶ କାର୍ତ୍ତିକଙ୍କ ଚମକପ୍ରଦ ବ୍ୟାଟିଂ ଏବଂ ସ୍ପିନରଙ୍କ ଘାତକ ବୋଲିଂକୁ ପାଥେୟ କରି ଭାରତ ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ୬୮ ରନ୍‌ରେ ବିଜୟୀ ହୋଇଛି ।

କାର୍ତ୍ତିକଙ୍କ ଦୁର୍ଦ୍ଧର୍ଷ ବ୍ୟାଟିଂ ଫଳରେ ଭାରତ ଆଜି ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍‌ ହରାଇ ୧୯୦ ରନ୍‌ ସଂଗ୍ରହ କରିଥିଲା । ଅର୍ଶଦୀପ ସିଂ ଓ ଭୁବନେଶ୍ୱର କୁମାର ଘରୋଇ ଓପନିଂ ଯୋଡ଼ିଙ୍କୁ ସହଳ ଆଉଟ୍‌ କରିବା ପରେ ସ୍ପିନର ଆର.ଅଶ୍ୱିନ, ରବି ବିଷ୍ଣୋଇ ଓ ରବିନ୍ଦ୍ର ଜାଡେଜା ମଧ୍ୟଭାଗରେ ଘୋର ବିପର୍ଯ୍ୟୟ ଘଟାଇଥିଲେ । ଫଳରେ ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ମାତ୍ର ୧୨୨ ରନ୍‌ କରିବାକୁ ସମର୍ଥ ହୋଇଥିଲା । ୫ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି । କାର୍ତ୍ତିକ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।ଘରୋଇ ଅଧିନାୟକ ନିକୋଲାସ ପୂରନ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଜଣାଇ ଥିଲେ । ଅଧିନାୟକ ରୋହିତ ଶର୍ମାଙ୍କ ସହ ସୂର୍ଯ୍ୟକୁମାର ଯାଦବ ଓପନିଂ କରିଥିଲେ । ସୂର୍ଯ୍ୟକୁମାର ଆରମ୍ଭରୁ ଦ୍ରୁତ ବ୍ୟାଟିଂ କରି ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୨୪ ରନ୍‌ (୧୬ ବଲ୍‌) କରି ପାଭିଲିୟନ ଫେରିଥିଲେ ।

ରୋହିତ ଗୋଟିଏ ପଟେ ଅପରାଜିତ ରହି ଦଳୀୟ ସ୍କୋରକୁ ଆଗେଇ ନେବାର ପ୍ରୟାସ ଜାରି ରଖିଥିଲେ । କିନ୍ତୁ ଶ୍ରେୟାସ ଆୟର (୦୦), ରିଷଭ ପନ୍ତ (୨୪) ଓ ହାର୍ଦ୍ଦିକ ପାଣ୍ଡ୍ୟା (୧) ନିରାଶ କରିଥିଲେ । ରୋହିତ ଦୁର୍ଦ୍ଧର୍ଷ ବ୍ୟାଟିଂ କରି ୩୫ ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଘରୋଇ ଦଳର ବୋଲିଂ ଆଜି ବେଶ୍‌ ସନ୍ତୁଳିତ ରହିଥିଲା । ଫଳରେ ଭ୍ରମଣକାରୀ ବ୍ୟାଟର କ୍ରିଜ୍‌ରେ ସଂଘର୍ଷ ଜାରି ରଖିଥିଲେ । ଅର୍ଦ୍ଧଶତକ ହାସଲ କରିବା ପରେ ରୋହିତ ଅଧିକ ସମୟ ତିଷ୍ଠି ପାରି ନଥିଲେ । ସେ ୪୪ ବଲରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ୬୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହି ଅର୍ଦ୍ଧଶତକ ସହ ଟି-ଟ୍ୱେଣ୍ଟିରେ ରୋହିତ ୧୨୯ଟି ମ୍ୟାଚ୍‌ରୁ ୩୪୪୩ ରନ୍‌ କରିବା ସହ ଶୀର୍ଷ ସ୍ଥାନକୁ ଫେରିଛନ୍ତି ।

ରୋହିତ ଆଉଟ୍‌ ହେବା ପରେ ରବିନ୍ଦ୍ର ଜାଡେଜା ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ । ସେ ୧୬ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ଭେଟେରାନ କାର୍ତ୍ତିକ ତାଙ୍କ ବ୍ୟାଟିଂର ଯାଦୁ ଦେଖାଇଥିଲେ । ଘରୋଇ ବୋଲରଙ୍କୁ ନିର୍ଧୂମ ପ୍ରହାର କରିବା ସହ ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ମାତ୍ର ୧୯ ବଲ୍‌ ଖେଳି ଅପରାଜିତ ୪୧ ରନ୍‌ କରିଥିଲେ । ଫଳରେ ଦଳୀୟ ସ୍କୋର ୬/୧୯୦ ରନ୍‌ରେ ପହଞ୍ଚି ପାରିଥିଲା । କାର୍ତ୍ତିକଙ୍କ ଦାୟିତ୍ୱପୂର୍ଣ୍ଣ ଇନିଂସରେ ୪ଟି ଚୌକା ଓ ୨ଟି ଛକା ଦେଖିବାକୁ ମିଳିଥିଲା । ରବିଚନ୍ଦ୍ରନ ଅଶ୍ୱିନ ୧୦ ବଲ୍‌ ସାମ୍ନା କରି ଗୋଟିଏ ଛକା ସହାୟତାରେ ଅପରାଜିତ ୧୩ ରନ୍‌ କରିଥିଲେ । ଘରୋଇ ଦଳର ଅଲଜାରି ଯୋଶେଫ ୨ଟି ୱିକେଟ୍‌ ହାସଲ କରିଥିଲେ।

ଇଣ୍ଡିଜର ବିପର୍ଯ୍ୟୟ
ଭାରତୀୟ ବୋଲିଂ ବେଶ୍‌ ଆକ୍ରମଣାତ୍ମକ ରହିଥିଲା । ଫଳରେ ଘରୋଇ ଇଣ୍ଡିଜ ୧୯୧ ରନ୍‌ର ଟାର୍ଗେଟ୍‌କୁ ପିଛା କରି ଦ୍ରୁତ ବ୍ୟାଟିଂ କରିବାକୁ ଯାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୪୨ ରନ୍‌ରେ ଘରୋଇ ଦଳ ଓପନର କେଲି ମେୟର୍ସ(୧୫), ସାମରା ବ୍ରୁକ୍ସ (୨୦) ଓ ଜାସନ୍‌ ହୋଲ୍ଡରଙ୍କୁ (୦୦) ହରାଇଥିଲା । ଅଧିନାୟକ ପୂରନ ମଧ୍ୟ ଅଧିକ ସମୟ ରହିପାରି ନଥିଲେ । ସେ ୧୮ ରନ୍‌ କରି ପାଭିଲିୟନ ଫେରିଥିଲେ ।

ପରବର୍ତ୍ତୀ ସମୟରେ ଅନ୍ୟ ବ୍ୟାଟରମାନେ ମଧ୍ୟ ପଛକୁ ପଛ ପାଭିଲିୟନକୁ ଲାଇନ ଲଗାଇଥିଲେ । ରୋଭମନ ପାୱେଲ ୧୪, ସିମରନ ହେତମେୟର ୧୪ ଏବଂ ଓଡେନ ସ୍ମିଥ୍‌ ଖାତା ଖୋଲି ନପାରି ଆଉଟ୍‌ ହୋଇଥିଲେ । କିମୋ ପଲ (୧୯) ଓ ଯୋଶେଫ (୫) ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।

ଭାରତ ପକ୍ଷରୁ ଅଶ୍ୱିନ, ଅର୍ଶଦୀପ ସିଂ ଓ ରବି ବିଷ୍ଣୋଇ ୨ଟି ଲେଖାଏଁ ଏବଂ ଭୁବନେଶ୍ୱର କୁମାର ଓ ଜାଡେଜା ଗୋଟିଏ କରି ୱିକେଟ୍‌ ହାସଲ କରିଥିଲେ ।


Share It

Comments are closed.