କେନ୍ଦ୍ରାପଡ଼ା ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ


କେନ୍ଦ୍ରାପଡ଼ା : ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଠାରେ ପ୍ରଥମକରି ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ ଏକ ଫିଡବ୍ୟାକ ବା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା କିଭଳି ଭାବେ କାର୍ଯ୍ୟ କରୁଛି, ଲୋକମାନେ ଏହି ସେବା ଦ୍ୱାରା କେତେ ସନ୍ତୁଷ୍ଟ ଅଛନ୍ତି ଏବଂ ଏହି ସେବାରେ ଆଉ କେଉଁ ସବୁ ଜିନିଷ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଏହାର ଉପଭୋକ୍ତାଙ୍କ ଠାରୁ ସିଧାସଳଖ ମତାମତ ଗ୍ରହଣ କରିବା । ଯାହାଦ୍ୱାରା ଏହି ସେବାକୁ ଆହୁରି ଉନ୍ନତ କରାଯାଇପାରିବ । ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଡାକ୍ତର, ଆଶାକର୍ମୀ, ନର୍ସ ଆଦି ଆଗଧାଡ଼ିର କର୍ମଚାରୀ ଏବଂ ଜନସାଧାରଣଙ୍କ ସହିତ ଏହା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି ।

ଏହା ବ୍ୟତୀତ ସ୍ଥାନୀୟ୧୦୮ ଆମ୍ବୁଲାନ୍ସର କ୍ଲଷ୍ଟର ଲିଡର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଯୋଗଦେଇ ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ରାଜ୍ୟରେ ୯ରୁ ଉର୍ଦ୍ଧ୍ୱ ବର୍ଷ ଧରି ଆମେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରିଆସୁଛୁ । ଏହି ସମୟ ମଧ୍ୟରେ ଆମର ସମସ୍ତ କର୍ମଚାରୀମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ କାର୍ଯ୍ୟକୁ ବେଶ ସଫଳ ଭାବେ ପରିଚାଳନା କରିଛନ୍ତି । ତେଣୁ ଆଗକୁ ଆମ ପରିଚାଳନା ପଦ୍ଧତିରେ କିଭଳି ଅଧିକ ଉନ୍ନତି କରାଯାଇପାରିବ ସେଥିପାଇଁ ଆମେ କେନ୍ଦ୍ରାପଡ଼ା ଠାରେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ଆୟୋଜନ କରିଛୁ ।

ଯେଉଁଠାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଥିବା ଉପଭୋକ୍ତାମାନେ ଆମ ସେବା ସମ୍ପର୍କରେ ସେମାନଙ୍କର ଅନୁଭୂତି ବାଂଟିବା ସହିତ ସେମାନଙ୍କର ବହୁମୂଲ୍ୟ ମତାମତ ମଧ୍ୟ ପ୍ରଦାନ କରିଛନ୍ତି । ଆମର ଦୃଢ଼ ବିଶ୍ୱାସ ଯେ ଏହି ମତାମତ ଆଧାରରେ ଆମେ ଆଗକୁ ଯାଇ ଆମ ପରିଚାଳନା ପଦ୍ଧତିରେ ଆହୁରି ସୁଧାର ଆଣିପାରିବୁ ।” ବର୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୬୨୪ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ମୋଟ ୭୫୨୧୦୪୯ ଜଣ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବାବେଳେ ସମୁଦାୟ ୫୦୦୦ ଲୋକ ୧୦୮ ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତମାନ ସୁଦ୍ଧା ସମୁଦାୟ ୧୮ଟି ୧୦୮ ଆମ୍ବୁଲାନ୍ସ , ୧୫ଟି ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୨ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଯେବେକି କେନ୍ଦ୍ରାପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୨୫୩୭୧୮ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି । ତନ୍ମଧ୍ୟରୁ ୧୦୯୦୪୬ ଜଣ ଗର୍ଭବତୀ ଏବଂ ଛୋଟ ଶିଶୁ ସେବା ପାଇଥିବାବେଳେ ୧୪୪୬୭୨ ଜଣ ଅନ୍ୟାନ୍ୟ ରୋଗୀ ସେବା ପାଇଛନ୍ତି ।

୨୦୧୯ ମାର୍ଚ୍ଚ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଥିଲା । ବର୍ତମାନ ଏଠାରେ ଗୁପ୍ତିଘାଟ ଏବଂ ଉତର ବରକୋଳି ଖଳା ଠାରେ ଉକ୍ତ ଦୁଇଟି ୧୦୮ ବୋଟ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଉଛି । ଗୁପ୍ତିଘାଟ ଠାରେ ନିୟୋଜିତ ବୋଟ ଆମ୍ବଲାନ୍ସ ଦ୍ୱାରା କେରୁଆପାଳ, କୁଠିଘାଟ, ଗୁମୁରାଘାଟ ଓ ଜୁନୁସ ନଗର ଅଂଚଳର ଲୋକମାନେ ଉପକୃତ ହେଉଛନ୍ତି । ସେହିଭଳି ଉତର ବରକୋଳି ଖଳା ଠାରେ ନିୟୋଜିତ ବୋଟ ଆମ୍ବୁଲାନ୍ସ ଦ୍ୱାରା ନିପାଣିଆ, ଖଇରନାସୀ ଅଂଚଳବାସୀ ଉପକୃତ ହେଉଛନ୍ତି । ଯାହାଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ଏପର୍ଯ୍ୟନ୍ତ ସମୁଦାୟ ୧୨୦୦ ଲୋକ ଉପକୃତ ହେଲେଣି ।


Share It

Comments are closed.