ଆଇପିଏଲରେ ପୁଣିଥରେ ମୁଣ୍ଡ ଟେକିଲା ‘ମ୍ୟାଚ ଫିକ୍ସିଙ୍ଗ’ ବିବାଦ


ଆଇପିଏଲର ୧୨ ତମ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ବର୍ତ୍ତମାନ ପର୍ଯ୍ୟନ୍ତ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।
ସୁପର ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି ମ୍ୟାଚରେ ଦିଲ୍ଲୀ, ରାବେଡାଙ୍କ ସୁନ୍ଦର ବୋଲିଂ ଯୋଗୁଁ କୋଲକତାକୁ ମାତ ଦେବାରେ ସଫଳ ହୋଇଥିବାବେଳେ ମ୍ୟାଚ ଶେଷରେ ଖେଳର କିଛି ମୂହୂର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ରିଷଭ ପନ୍ତଙ୍କ ସ୍ୱର ଷ୍ଟମ୍ପ ପଛରେ ଲାଗିଥିବା ମାଇକରେ ରେକର୍ଡ ହୋଇଯାଉଛି । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମ୍ୟାଚରେ କୋଲକତା ବ୍ୟାଟିଙ୍ଗ କରୁଥିବା ସମୟରେ ରିଷଭ ପନ୍ତଙ୍କ ସ୍ୱର ୱିକେଟ ପଛରେ ଲାଗିଥିବା ମାଇକରେ ରେକର୍ଡ ହୋଇଯାଇଥିଲା । ମ୍ୟାଚର ୩.୫ ଓଭରରେ ଉଥପା ବ୍ୟାଟିଙ୍ଗ କରୁଥିବା ସମୟରରେ ଅନ୍ୟପଟେ ବିପକ୍ଷୀ ଦଳର ବୋଲର ଥିଲେ ‘ସନ୍ଦିପ ଲମିଛାନେ’ । ସନ୍ଦିପ, ଉଥପାଙ୍କୁ ବୋଲିଂ କରିବା ପୂର୍ବରୁ ୱିକେଟ ପଛରେ କିପିଙ୍ଗ କରୁଥିବା ରିଷଭ କହିଥିଲେ ଯେ, “ଏହି ବଲରେ ନିଶ୍ଚିତ ଚୌକା ହେବ । ”, ଯାହାକି ପରବର୍ତ୍ତୀ ମୂହୂର୍ତ୍ତରେ ଠିକ ପ୍ରମାଣିତ ହୋଇଥିଲା । ଉଥପା ପରବର୍ତ୍ତୀ ବଲରେ ଏକ ସୁନ୍ଦର ଚୌକା ମାରିଥିଲେ ।
ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ, ଏହି ମ୍ୟାଚ ଫିକ୍ସିଙ୍ଗ ହୋଇଛି ବୋଲି ସମସ୍ତେ ଅଭିଯୋଗ ଆଣିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଅଭିଯୋଗକୁ ବିସିସିଆଇ ପକ୍ଷରୁ ଖଣ୍ଡନ କରାଯାଇଛି ।
ବିସିସିଆଇ ପକ୍ଷରୁ ସ୍ପଷ୍ଟିକରଣ ରଖାଯାଇଛି ଯେ, “କୌଣସି ବି ଜଣେ ଏହି ଭିଡିଓକୁ ସଠିକରେ ଶୁଣି ନାହାନ୍ତି । ରିଷଭ, ଦିଲ୍ଲୀ ଅଧିନାୟକ ଆୟାରଙ୍କୁ ବାଉଣ୍ଡ୍ରି ଲାଇନରେ ଅଧିକ ଖେଳାଳୀ ମୁତୟନ କରିବା ପାଇଁ ପରମାର୍ଶ ଦେଉଥିଲେ । ଯାହା ଦ୍ୱାରା ଚୌକା ହୋଇପାରିବ ନାହିଁ । ”


Share It

Comments are closed.