କୃଷି ବିଲ୍ ସହ ରିଲାଏନ୍ସର କୌଣସି ନେଣଦେଣ ନାହିଁ ଏବଂ ‘କଂଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତିକ ଚାଷ କରିବାର ଆଦୈା କୌଣସି ଯୋଜନା ନାହିଁ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍

Share It

କୃଷି ବିଲ୍‌କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି । ଏହି ପିଟିସନ ମାଧ୍ୟମରେ ସରକାରୀ କତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ ତତ୍ୱଙ୍କ ଦ୍ୱାରା ବେଆଇନ୍ ଭାବେ ଜାରି ରହିଥିବା ଟାୱାର ଓ ସମ୍ପତ୍ତି ଭଙ୍ଗାରୁଜା ତଥା ହିଂସାତ୍ମକ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୋଟିସ୍ ଅଫ୍ ମୋସନ୍ ନିମନ୍ତେ ଜାନୁଆରୀ ୮ ତାରିଖ ନିଧାର୍ଯ୍ୟ କରିଛିନ୍ତି ।
ଏହି ପିଟିସନ୍‌ରେ ରିଲାଏନ୍ସ ପକ୍ଷରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଅପପ୍ରଚାର ତଥା ଭ୍ରାନ୍ତ ସୂଚନାର ବାସ୍ତବ ତଥ୍ୟ ପ୍ରଦାନ କରାଯାଇ ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ନିବେଦନ କରାଯାଇଛି ।
ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ରିଟେଲ ଲିମିଟେଡ (ଆରଆରଏଲ), ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଅଥବା ମୂଳ କମ୍ପାନୀର ଅନ୍ୟକୌଣସି ସହଯୋଗୀ କମ୍ପାନୀ ଅତୀତରେ କୌଣସି ପ୍ରକାର ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତିକ ଚାଷ କରିନାହାନ୍ତି ଏବଂ ଏହି ବ୍ୟବସାୟରେ ଆଗାମୀ ଦିନରେ ପ୍ରବେଶ କରିବାର ଏହାର କୌଣସି ଯୋଜନା ଆଦୈା ନାହିଁ ।
ସେହିଭଳି ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜାବ, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।
ରିଲାଏନ୍ସ ରିଟେଲ ଭାରତରେ ସଂଗଠିତ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏକ ଅତୁଳନୀୟ ତଥା ଅଗ୍ରଣୀ ସଂସ୍ଥା । ଏହା ସବୁ ପ୍ରକାରର ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ପ୍ରମୁଖ ଭୋଜନ, ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ, ପୋଷାକ, ଔଷଧ, ଦେଶରେ ସ୍ୱାଧୀନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଣକାରୀଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍‌ର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ସମସ୍ତ ବର୍ଗର ଉତ୍ପାଦଗୁଡିକର ଖୁଚୁରା ବିକ୍ରୟ କରୁଛି । ଏହା କୃଷକମାନଙ୍କ ନିକଟରୁ ସିଧାସଳଖ କୌଣସି ଖାଦ୍ୟଶସ୍ୟ କ୍ରୟ କରେନାହିଁ । ଏହା କଦାପି ଲାଭ ପାଇଁ କୃଷକମାନଙ୍କ ନିକଟରୁ ଉତ୍ପାଦ ସଂଗ୍ରହ ନିମନ୍ତେ ଦୀର୍ଘସୂତ୍ରୀ ଚୁକ୍ତି କରିନାହିଁ କିମ୍ବା ଏହାର ଯୋଗାଣକାରୀମାନେ (ସପ୍ଲାୟର୍ସ) କୃଷକଙ୍କ ନିକଟରୁ ଉପଯୁକ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଖରିଦ କରିବାକୁ କେବେ ଚାହିଁନାହିଁ କିମ୍ବା ଆଗକୁ ଏହା କଦାପି କରିବ ନାହିଁ ।
ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି । ସେମାନଙ୍କ ସେବାର ଗ୍ରାହକ ଭାବରେ ଏହା ସହଭାଗି ସମୃଦ୍ଧି, ଅନ୍ତର୍ଭୁକ୍ତି ବିକାଶ ଏବଂ ଏକ ନ୍ୟାୟସଂଗତ ନୂତନ ଭାରତ ଗଠନ ପାଇଁ ଭାରତୀୟ କୃଷକମାନଙ୍କ ସହିତ ଏକ ସୁଦୃଢ ଏବଂ ସମାନ ସହଭାଗି ବ୍ୟବସ୍ଥା ଗଢିତୋଳିବାରେ ବିଶ୍ୱାସ କରେ ।
ଭାରତୀୟ କୃଷକମାନେ ନିଜର ଅତୁଳନୀୟ କଠିନ ପରିଶ୍ରମ, ଅଭିନବ ଉଦ୍ୟମ ଏବଂ ଉତ୍ସର୍ଗୀକୃତ ଭାବରେ ଯାହା ଉତ୍ପାଦନ କରନ୍ତି ତାହାପାଇଁ ଉଚିତ ଏବଂ ଲାଭଜନକ ମୂଲ୍ୟ ପାଇବା ଦିଗରେ ସେମାନଙ୍କର ଆଶା ଆକାଂକ୍ଷା ସହିତ ରିଲାଏନ୍ସ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ପୂର୍ଣ୍ଣ ସହଭାଗୀ ଓ ସମର୍ଥନ କରୁଛନ୍ତି । ରିଲାଏନ୍ସ ସେମାନଙ୍କ ଆୟରେ ସ୍ଥାୟୀ ଭାବରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଚାହୁଁଛି ଏବଂ ଏହି ଲକ୍ଷ୍ୟ ହାସଲ ନିମନ୍ତେ କାର୍ଯ୍ୟକରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଉଛି । ବାସ୍ତବରେ ଏହା ନିଜର ଯୋଗାଣକାରୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଅଥବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଓ କାର୍ଯ୍ୟକାରୀ କରାଯାଉଥିବା ସେହିଭଳି କୌଣସି ବ୍ୟବସ୍ଥା ଯାହାଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ ହେଉଥିବ, ତାହା କଡାକଡି ଭାବରେ ଅନୁପାଳନ କରିବାକୁ ଗୁରୁତ୍ୱ ଦେଉଛି ।
ଭାରତୀୟ କୃଷକଙ୍କ ସ୍ୱାର୍ଥ ପ୍ରତି ଆଂଚ ଆଣିବା ତ ଦୂରର କଥା, ରିଲାଏନ୍ସ ବାସ୍ତବରେ ସେମାନଙ୍କୁ ଏବଂ ସାମଗ୍ରିକ ଭାବରେ ଭାରତୀୟ ଜନସାଧାରଣଙ୍କ ପାଇଁ ବ୍ୟାପକ ଫାଇଦା ଆଣିଦେଇଛି ।
ରିଲାଏନ୍ସ ରିଟେଲ ବିପୁଳ ପୁଞ୍ଜିନିବେଶ ଏବଂ ବିଶ୍ୱମାନର ପ୍ରଯୁକ୍ତି ପରିଚାଳିତ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଜରିଆରେ ଭାରତର ସର୍ବବୃହତ ସଂଗଠିତ ରିଟେଲ୍ ବ୍ୟବସାୟ ସ୍ଥାପନ କରିଛି, ଯାହା ଉଭୟ ଭାରତୀୟ କୃଷକ ଏବଂ ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ଲାଭ ଆଣିଦେଇଛି ।
ଜିଓର ସଂପୂର୍ଣ୍ଣ ୪ଜି ନେଟୱର୍କ ଭାରତର ପ୍ରତ୍ୟେକ ଗ୍ରାମକୁ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱଶ୍ରେଣୀର ଡାଟା ସଂଯୋଗ ଯୋଗାଇଦେଉଛି, ଏବଂ ଏହାଦ୍ୱାରା କୋଟି କୋଟି ଭାରତୀୟ କୃଷକଙ୍କ ପାଇଁ ଡିଜିଟାଲ ବିପ୍ଳବର ଫାଇଦା ଆଣିଦେଉଛି । ସାଂପ୍ରତିକ କୋଭିଡ-୧୯ ମହାମାରୀ ସମୟରେ ଜିଓର ନେଟୱର୍କ ଭାରତର ଗ୍ରାମାଂଚଳ ଓ ସହରାଂଚଳରେ କୋଟି କୋଟି କୃଷକ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି । ଏହା କୃଷକ, ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାମିଲ୍ ହେବାରେ ସହାୟକ ହୋଇଛି । ଏହା କାର୍ଯ୍ୟରତ ପ୍ରଫେସନାଲଙ୍କୁ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରହି ଶିକ୍ଷା ଆହରଣ କରିବାରେ ସକ୍ଷମ କରାଇଛି । ଏହା ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ରୋଗୀ, ଅଦାଲତ, ବିଭିନ୍ନ ସରକାରୀ ଓ ଘରୋଇ ଦପ୍ତର, ଶିଳ୍ପ ସଂସ୍ଥା ଏବଂ ଦାତବ୍ୟ ଅନୁଷ୍ଠାନଗୁଡିକୁ ସହାୟକ ହୋଇପାରିଛି । ଜରୁରୀକାଳୀନ, ଜଟିଳ ଏବଂ ଜୀବନରକ୍ଷାକାରୀ ସେବା ଯୋଗାଣ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଛି ।


Share It

Comments are closed.