ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଗୁଜରାଟରେ ସବୁଜ ଶକ୍ତି ଓ ଅନ୍ୟାନ୍ୟ ପ୍ରକଳ୍ପରେ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଏମ୍‌ଓୟୁ ସ୍ୱାକ୍ଷରିତ


ଅହମଦାବାଦ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ପକ୍ଷରୁ ମୋଟ ୫.୯୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବା ଲାଗି ଗୁଜରାଟ ସରକାରଙ୍କ ସହ ଆଜି ଏମ୍‌ଓୟୁ ସ୍ୱାକ୍ଷର କରାଯାଇଛି । ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ ୨୦୨୨ ପାଇଁ ନିବେଶ ପ୍ରସାର କାର୍ଯ୍ୟକଳାପର ଅଂଶ  ଭାବେ ସ୍ୱାକ୍ଷରିତ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ୧୦ ଲକ୍ଷ ପ୍ରତ୍ୟକ୍ଷ / ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗୁଜରାଟକୁ କାର୍ବନ ମୁକ୍ତ ଓ ନେଟ୍ ଜିରୋ କରିବା ଲାଗି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍‌ର ଅକ୍ଷୟ ଶକ୍ତି ପାୱାର ପ୍ଲାଂଟ୍ ଓ ଗ୍ରିନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ବିକଶିତ କରିବା ଲାଗି ୧୦-୧୫ ବର୍ଷ ମଧ୍ୟରେ ରାଜ୍ୟରେ ୫ ଲକ୍ଷ କୋଟି ଟଙ୍କା ନିବେଶ କରାଯିବାର ପ୍ରସ୍ତାବ ରହିଛି । ଆର୍‌ଆଇଏଲ୍ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏସ୍‌ଏମ୍‌ଇ)ଗୁଡ଼ିକୁ ସହାୟତା ପ୍ରଦାନ କରିବା ଲାଗି ଏବଂ ନୂତନ ପ୍ରଯୁକ୍ତି ଓ ନବସୃଜନକୁ ଗ୍ରହଣ କରିବା ଲାଗି ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ବ୍ୟବସ୍ଥା ବିକଶିତ କରାଯିବ ଯଦ୍ୱାରା ଅକ୍ଷୟ ଶକ୍ତି ଓ ଗ୍ରିନ୍ ହାଇଡ୍ରୋଜେନ୍‌ର କ୍ୟାପ୍ଟିଭ୍ ବ୍ୟବହାର ବୃଦ୍ଧି ପାଇବ ।

କାର୍ବନମୁକ୍ତ ଏବଂ ଏକ ସବୁଜ ପରିବେଶ ପାଇଁ ଆର୍‌ଆଇଏଲ୍ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଏହି କ୍ଷେତ୍ରରେ ରହିଥିବା ଦୂରଦୃଷ୍ଟିର ପଥ ଅନୂସରଣ କରୁଛି ।
ଗୁଜରାଟ ସରକାରଙ୍କ ସହ ଆଲୋଚନା କରି ଆର୍‌ଆଇଏଲ୍ ପକ୍ଷରୁ ୧୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ପ୍ରକଳ୍ପ ଲାଗି କଚ୍ଛ୍‌, ବଣସକଣ୍ଠା ଓ ଧୋଲେରାରେ ଜମି ସନ୍ଧାନ କରିବା ପ୍ରକ୍ରିୟା ଆରମ୍ଭ କରାଯାଇଅଛି । କଚ୍ଛ୍‌ରେ ୪.୫ ଲକ୍ଷ ଏକର ଜମି ଯୋଗାଇ ଦେବାକୁ କଂପାନି ଅନୁରୋଧ କରିଛି ।

ନୂତନ ଶକ୍ତି ଉତ୍ପାଦନ-ସମନ୍ୱିତ ଅକ୍ଷୟ ଶକ୍ତି ଉତ୍ପାଦନ ବ୍ୟବସ୍ଥା ସ୍ଥାପନା ପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ୬୦,୦୦୦ କୋଟି ଟଙ୍କା ନିବେଶ କରାଯିବ, ଯାହାମଧ୍ୟରେ ରହିଛି ୧) ସୋଲାର ପିଭି ମଡ୍ୟୁଲ୍ (ପଲିସିଲିକନ୍‌, ୱେଫର, ସେଲ୍ ଓ ମଡ୍ୟୁଲ୍ ନିର୍ମାଣ) ୨) ଇଲେକ୍ଟ୍ରୋଲାଇଜର୍ ୩) ଷ୍ଟୋରେଜ୍ ବ୍ୟାଟେରି ଏବଂ ୪) ଫୁଏଲ୍ ସେଲ୍

ଏଥିସହିତ, ଆର୍‌ଆଇଏଲ୍ ପକ୍ଷରୁ ଆସନ୍ତା ୩ରୁ ୫ ବର୍ଷ ମଧ୍ୟରେ ବର୍ତମାନ ରହିଥିବା ପ୍ରକଳ୍ପ ଏବଂ ଆଗକୁ ହେବାକୁ ଥିବା ନୂଆ ପ୍ରକଳ୍ପରେ ୨୫ ହଜାର କୋଟି ଟଙ୍କା ନିବେଶ କରାଯିବ । ସେହିଭଳି ଜିଓ ନେଟ୍‌ୱର୍କକୁ ୫ଜିକୁ ଅପ୍‌ଗ୍ରେଡ୍ କରିବା ଲାଗି ୩ରୁ ୫ ବର୍ଷ ଭିତରେ ୭,୫୦୦ କୋଟି ଟଙ୍କା ଓ ରିଲାଏନ୍ସ ରିଟେଲ୍‌ରେ ଆସନ୍ତା ୫ ବର୍ଷରେ ୩,୦୦୦ କୋଟି ଟଙ୍କା ନିବେଶ କରାଯିବ । 


Share It

Comments are closed.