ତିନି କୋଟି ଭୋଜନ ପ୍ରଦାନ କରିବ ରିଲାଏନ୍ସ ଫାଉଣ୍ଡେସନ୍‌ର ‘ମିଶନ ଅନ୍ନ ସେବା’


ଭୁବନେଶ୍ୱର: କରୋନା ମହାମାରୀ ପରି ବିପର୍ଯ୍ୟୟ ସମୟରେ ବଂଚିିତ ବର୍ଗର ଲୋକଙ୍କ ପାଖରେ ଅନ୍ନ ପହଂଚାଇବା ଲାଗି ଏହାର ଉଦ୍ୟମକୁ ଆହୁରି ବ୍ୟାପକ କରିଛି ରିଲାଏନ୍ସ ଫାଉଣ୍ଡେସନ୍ । ମିଶନ୍ ଅନ୍ନସେବା ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚଳାଇ ଫାଉଣ୍ଡେସନ୍ ପକ୍ଷରୁ ସାରା ଭାରତବର୍ଷରେ ୩ କୋଟି ମାଗଣା ଭୋଜନ ବ୍ୟବସ୍ଥା କରାଯାଉଛି । ଏ ଭିତରେ ଭାରତର ୧୬ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳର ୬୮ଟି ଜିଲ୍ଲାରେ ୨ କୋଟି ଭୋଜନ ବିତରଣ କରିସାରିଛି ରିଲାଏନ୍ସ ଫାଉଣ୍ଡେସନ୍ ।
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ (ଆରଆଇଏଲ୍‌) ର ଦାତବ୍ୟ ଅଙ୍ଗ ଭାବେ ପରିଚିତ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ପରିଚାଳିତ ଏହି ଭୋଜନ ବିତରଣ କାର୍ଯ୍ୟକ୍ରମର ନାମ ରହିଛି ମିଶନ ଅନ୍ନ ସେବା । ଏହା ଏବେ ବିଶ୍ୱରେ କୌଣସି କର୍ପୋରେଟ୍ ଦ୍ୱାରା ହାତକୁ ନିଆଯାଇଥିବା ସବୁଠାରୁ ବଡ଼ ଭୋଜନ ବିତରଣ କାର୍ଯ୍ୟକ୍ରମ ହେବାକୁ ଯାଉଛିି ।
ରିଲାଏନ୍ସ ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ନିତା ଅମ୍ବାନୀ ଏହି ଅବସରରେ କହିଛନ୍ତି, “କୋଭିଡ୍‌-୧୯ ହେଉଛି ବିଶ୍ୱ, ଭାରତ ତଥା ମାନବ ଜାତି ପାଇଁ ଏକ ଅପ୍ରତ୍ୟାଶିତ ମହାମାରୀ । ଭାରତ ଏହାର ଲକ୍‌ଡାଉନ୍ ସମୟକୁ ସମ୍ପ୍ରସାରଣ କରିଥିବା ବେଳେ ଆମେ ସେହି ଦିନମଜୁରିଆଙ୍କ କଥା ଚିନ୍ତା କରୁଛୁ ଯେଉଁମାନେ ସେମାନଙ୍କ ପରବର୍ତ୍ତୀ ଭୋଜନ ପାଇଁ କାମ ଖୋଜିଥାନ୍ତି । ସେମାନେ ବି ଆମ ପରିବାରର ସଦସ୍ୟ- ଆମର ନିଜର ଭାରତ ପରିବାରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସେଥିପାଇଁ ପ୍ରତିଟି ଅଭାବୀ ଓ ବଂଚିତ ଭାରତୀୟଙ୍କ ପାଖରେ ଅନ୍ନ ଭୋଜନ ପହଂଚାଇବା ପାଇଁ ଆମେ ଆରମ୍ଭ କରିଛୁ ମିଶନ୍ ଅନ୍ନ ସେବା । ଆମ ସଂସ୍କୃତି କହେ ଅନ୍ନ ଦାନ ମହା ଦାନ । ଉପନିଷଦ ଆମକୁ ଶିକ୍ଷା ଦେଇଛି ଯେ, ଅନ୍ନ ହେଉଛି ସ୍ୱୟଂ ବ୍ରହ୍ମ । ଏହି ମିଶନ ଅନ୍ନ ସେବା ମାଧ୍ୟମରେ ଆମେ ଦେଶର ବଂଚିିତ ଗୋଷ୍ଠୀ, କରୋନା ସହ ଲଢ଼େଇ କରୁଥିବା କର୍ମଜୀବୀ (ଫ୍ରଣ୍ଟଲାଇନ୍ ୱାର୍କର୍ସ) ମାନଙ୍କ ପାଇଁ ୩ କୋଟି ଭୋଜନ ପ୍ରଦାନ ବ୍ୟବସ୍ଥା କରିବୁ । ଏହା ସମଗ୍ର ବିଶ୍ୱରେ କୌଣସି କର୍ପୋରେଟ୍ ଫାଉଣ୍ଡେସନ୍ ଦ୍ୱାରା କୌଣସି ସ୍ଥାନରେ ହାତକୁ ନିଆଯାଇଥିବା ଭୋଜନ ବଣ୍ଟନ ବ୍ୟବସ୍ଥା ହେବ’’ ।
ଏହି କାର୍ଯ୍ୟକ୍ରମ ଅଧୀନରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ରନ୍ଧା ଖାଦ୍ୟ ସହ ରେଡିଟୁ ଇଟ୍ ଫୁଡ୍ ପ୍ୟାକେଟ୍‌, ବଂଚିତ ପରିବାରମାନଙ୍କ ପାଇଁ ଶୁଖିଲା ଖାଦ୍ୟସାମଗ୍ରୀ ଏବଂ ଗୋଷ୍ଠୀ ରୋଷେଇଶାଳାକୁ ଶୁଖିଲା ରାସନ୍ କିଟ୍ ପ୍ରଦାନ କରାଯାଉଛି । ଦିନମଜୁରିଆ ମାନଙ୍କ ଠାରୁ ଆରମ୍ଭ କରି ବସ୍ତି ବାସିନ୍ଦା, ସହରାଂଚଳରେ ବିଭିନ୍ନ ସେବା ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ, କାରଖାନା ଶ୍ରମିକ, ବୃଦ୍ଧାଶ୍ରମ ଏବଂ ଅନାଥାଶ୍ରମ ଗୁଡିକର ଅନ୍ତେବାସୀ ଯାଏ ଏହି ଯୋଜନାର ହିତାଧିକାରୀ ହୋଇପାରିଛନ୍ତି । ସେହିପରି ଯେଉଁମାନେ କରୋନା ସହ ଲଢ଼େଇରେ ସମ୍ମୁଖ ଭାଗରେ ରହି ଲଢ଼ୁଛନ୍ତି ଯେମିତି ଜୁନିୟର ମେଡିକାଲ୍ ଷ୍ଟାଫ୍‌, ପୁଲିସ କର୍ମଚାରୀ ଓ ସୁରକ୍ଷା ବଳକୁ ଫାଉଣ୍ଡେସନ୍ ପକ୍ଷରୁ ଭୋଜନ ପ୍ରଦାନ କରାଯାଉଛି । ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଖାଦ୍ୟ ଟୋକନ ପ୍ରଦାନ କରାଯାଉଛି ଯାହାକୁ ଦେଖାଇ ରିଲାଏନ୍ସ ରିଟେଲ୍ ଷ୍ଟୋର ସମୂହ ଯେମିତି ରିଲାଏନ୍ସ ଫ୍ରେଶ୍‌, ରିଲାଏନ୍ସ ସ୍ମାର୍ଟ ସୁପର ଷ୍ଟୋର, ରିଲାଏନ୍ସ ସ୍ମାର୍ଟ ପଏଣ୍ଟ ଏବଂ ସହକାରୀ ଭଣ୍ଡାର ଇତ୍ୟାଦିରୁ ହିତାଧିକାରୀ ଖାଦ୍ୟ ସାମଗ୍ରୀ ସଂଗ୍ରହ କରିପାରିବେ ।
ଏକି ଲକ୍‌ଡାଉନ୍ ସମୟରେ ଯେମିତି କୌଣସି ଭାରତୀୟ ଭୋକିଲା ନରୁହନ୍ତି ସେଥିଲାଗି ରିଲାଏନ୍ସ ଫାଉଣ୍ଡେସନ୍ କର୍ମଚାରୀଙ୍କ ସହ ସମଗ୍ର ରିଲାଏନ୍ସ ପରିବାର କାର୍ଯ୍ୟ କରୁଛି ।
ରିଲାଏନ୍ସ ରିଟେଲ୍ କର୍ମଚାରୀମାନେ ପ୍ୟାକେଜିଂ କରିବାଠୁ ଆରମ୍ଭ କରି ସାମଗ୍ରୀ ପ୍ରସ୍ତୁତିରେ ସହାୟକ ହେବା ସହ ଏହି ଯୋଜନାରେ ଯେଉଁଠି ଯାହା ସାମଗ୍ରୀ ଆବଶ୍ୟକ ତାହା ଯୋଗଉଛନ୍ତି । ରିଲାଏନ୍ସର ପ୍ରମୁଖ କାର୍ଯ୍ୟସ୍ଥଳ ଯେପରିକି ମୁମ୍ବାଇ, ସିଲ୍‌ଭାସା, ଭଡୋଦରା, ପାତଲଗଙ୍ଗା, ହାଜିରା, ଝକ୍ସର, ସାହାଡୋଲ, ଜାମ୍‌ନଗର, ଦହେଜ, ବାରବାଙ୍କି, ନାଗୋଥାନେ, ଗାଡ଼ିମୋଗା ଏବଂ ହୋଶିଆରପୁରର ରିଲାଏନ୍ସ କର୍ମଚାରୀ ମାନେ ସ୍ୱେଚ୍ଛାସେବୀ ଭାବେ ଏହି କାର୍ଯ୍ୟକ୍ରମରେ ସହାୟକ ହେଉଛନ୍ତି । ସେମାନେ ସେମାନଙ୍କ ଅଂଚଳରେ ଅଭାବୀ ଓ ବଂଚିତ ବର୍ଗର ଲୋକଙ୍କୁ ଭୋଜନ ବଣ୍ଟନରେ ସାମିଲ୍ ହେଉଛନ୍ତି । ସେହିପରି ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳରେ ଥିବା ରିଲାଏନ୍ସ ପେଟ୍ରୋଲ୍ ପମ୍ପଜଗୁଡିକର କର୍ମଚାରୀ ଓ ଅନ୍ୟ ଷ୍ଟାଫ୍ ସଦସ୍ୟମାନେ ମଧ୍ୟ ସେହି ଅଚଳ ଦେଇ ବିଭିନ୍ନ ଜରୁରୀ ସାମଗ୍ରୀ ନେଇ ଯାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ମାଗଣାରେ ଭୋଜନ ବଣ୍ଟନ କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଅଭାବୀ ଲୋକଙ୍କୁ ଖାଦ୍ୟ ପ୍ରଦାନ ନେଇ କାର୍ଯ୍ୟ କରୁଥିବା ରିଲାଏନ୍ସ ଫାଉଣ୍ଡେସନ୍‌ର ୭୦ଟି ପାର୍ଟନର ସଂସ୍ଥାନକୁ ମଧ୍ୟ ଫାଉଣ୍ଡେସନ୍ ପକ୍ଷରୁ ସେମାନଙ୍କ ନିର୍ଦ୍ଧାରିତ ସ୍ଥାନରେ ଏହି ଭୋଜନ ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଲାଗି ବହୁସଂଖ୍ୟକ ରିଲିଫ୍ କିଟ୍ ଓ ରାସନ୍ ବା ଖାଦ୍ୟସାମଗ୍ରୀ ପ୍ରଦାନ କରାଯାଉଛି ।
ଭୋଜନ ବଣ୍ଟନ କାର୍ଯ୍ୟକ୍ରମ ସହ, ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ ଲିମିଟେଡ୍ (ଆର୍‌ଆଇଏଲ୍‌) ଏବଂ ରିଲାଏନ୍ସ ଫାଉଣ୍ଡେସନ୍ ସପ୍ତାହର ସାତ ଦିନ ଏବଂ ଦିନର ୨୪ ଘଣ୍ଟା ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ରହିଛି ଯେମିତି ଭାରତ ଏହି କୋଭିଡ୍‌୧୯ ବିରୋଧୀ ଯୁଦ୍ଧକୁ ନିଶ୍ଚୟ ଜିତିବ । ଏଥିସହିତ ଆର୍‌ଆଇଏଲ୍ ପକ୍ଷରୁ ପିଏମ୍ କେୟାର ଫଣ୍ଡ ସମେତ ଦେଶର ବିଭିନ୍ନ ରିଲିଫ୍ ପାଣ୍ଠିକୁ ୫୩୫ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।


Share It

Comments are closed.