ପଞ୍ଚଭୂତରେ ଲୀନହେଲେ ରାଜୁ ଶ୍ରୀବାସ୍ତବ


ପରଦାରେ ଦେଖିବାକୁ ମିଳିବନି ଆଉ ସେ ହସହସ ଚେହେରା । ଶୁଣିବାକୁ ମିଳିବନି ମଜାଳିଆ ଡାଏଲଗ । ହସାଇ ହସାଇ ବେଦମ୍‌ କରୁଥିବା ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ୪୨ ଦିନ ଧରି ହସ୍ପିଟାଲ ବେଡରେ ମୃତ୍ୟୁସହ ଲଢେଇ କରି ଶେଷରେ ହାର୍‌ ମାନିଯାଇଛନ୍ତି କମେଡି ଲିଜେଣ୍ଡ । ପଞ୍ଚଭୂତରେ ବିଲୀନ ହୋଇଛନ୍ତି କମେଡି କିଙ୍ଗ୍‌ ରାଜୁ ଶ୍ରୀବାସ୍ତବ । ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଜୁଙ୍କ ଭାଇ ମୁଖାଗ୍ନି ଦେଇଛନ୍ତି । ଅଶ୍ରୁ ଧାର ଧାର ଚକ୍ଷୁରେ ରାଜୁଙ୍କୁ ବିଦାୟ ଦେଇଛନ୍ତି ପରିବାର, ବନ୍ଧୁ ବାନ୍ଧବ ଏବଂ ପ୍ରଶଂସକ ।

ଗତ ଅଗଷ୍ଟ ୧୦ରେ ଜିମ୍‌ରେ ଓ୍ବର୍କ ଆଉଟ୍‌ କରୁଥିବା ବେଳେ ହୃଦଘାତର ଶିକାର ହୋଇଥିଲେ ରାଜୁ ଶ୍ରୀବାସ୍ତବ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନ ଧରି ହସ୍ପିଟାଲ ବେଡରେ ସଂଘର୍ଷ କରିଥିଲେ । ଏପରିକି କିଛିଦିନ ତାଙ୍କର ଚେତା ମଧ୍ୟ ଫରିନଥିଲା । ତେବେ ପରେ ତାଙ୍କ ଶରୀର ଭଲ ରେସପଣ୍ଡ କରିଥିଲା ଏବଂ ଆଖି ଖୋଲିଥିଲେ ରାଜୁ । କିନ୍ତୁ ବୁଧବାର ସକାଳୁ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟରେ ଅବନ୍ନୋତି ଘଟିଥିଲା । ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ରାଜୁ ।


Share It

Comments are closed.