ଓଡ଼ିଶା ସରକାରଙ୍କ ଲକ୍ଷ୍ୟ, ମହିଳାଙ୍କ ଦ୍ୱାରା ପ୍ରତିଷ୍ଠା ହେଉ ଅତିକମ୍‌ରେ ୩୩% ଷ୍ଟାର୍ଟଅପ୍‌


ଭୁବନେଶ୍ୱର: ମହିଳା ଉଦ୍ୟୋଗୀମାନଙ୍କୁ ସାମ୍ନାକୁ ଆଣିବା ଲାଗି ଓଡ଼ିଶା ସରକାର ଏକ ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ସ୍ଥାପନ ହେଉଥିବା ଅତିକମ୍‌ରେ ୩୩% ଷ୍ଟାର୍ଟଅପ୍ ସଂସ୍ଥାକୁ ମହିଳାମାନେ ପ୍ରତିଷ୍ଠାତା ଭାବେ କିମ୍ବା ସହ ପ୍ରତିଷ୍ଠାତା ଭାବେ ଗଠନ କରନ୍ତୁ ବୋଲି ସରକାର ଚାହୁଁଛନ୍ତି । ବର୍ତମାନ ପରିସ୍ଥିତିରେ ଏହି ଲକ୍ଷ୍ୟକୁ ସରକାର ହାସଲ କରିସାରିଛନ୍ତି । ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୧୩୦୦ରୁ ଅଧିକ ଷ୍ଟାର୍ଟଅପ୍ ମଧ୍ୟରୁ ପ୍ରାୟ ୫୦୦ଟି ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି ଯାହାର ହାର ନିର୍ଧାରିତ ୩୩% ଲକ୍ଷ୍ୟ ଠାରୁ ଅଧିକ ଅର୍ଥାତ ୪୦% । କିନ୍ତୁ ଦୀର୍ଘମିଆଦୀ ଭିତିରେ ଆମେ ଏହି ଧାରାକୁ ବଜାୟ ରଖିବାକୁ ଚାହୁଁଛୁ ବୋଲି ଷ୍ଟାର୍ଟଅପ୍ ଓଡ଼ିଶାର ଏଭାଞ୍ଜେଲିଷ୍ଟ୍‌, ସଂଯୁକ୍ତା ବଢ଼ାଇ କହିଛନ୍ତି ।

ଷ୍ଟାର୍ଟଅପ୍ ଓଡ଼ିଶା ଅଧୀନରେ ମହିଳା ଉଦ୍ୟୋଗୀମାନଙ୍କ ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଅଭିଯାନ ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି ଯେ, “ମହିଳାମାନେ ଯେଉଁ ଚିନ୍ତାଧାରାକୁ ନେଇ କାମ କରିବାକୁ ଚାହୁଁଛନ୍ତି ତାହାକୁ ସମୃଦ୍ଧ କରିବା ଲାଗି ସେମାନଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ଓ ଦକ୍ଷତା ଗଠନ କାର୍ଯ୍ୟକ୍ରମ ରହିଛି । ମହିଳା ଉଦ୍ୟମିତାର ପ୍ରସାର ଲାଗି ମାସିକ ୨୨ ହଜାର ଟଙ୍କାର ଅନୁଦାନ ଦେବାର ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ଉତ୍ପାଦ ତିଆରି କରି ତାହାକୁ ବଜାରକୁ ନେବା ପର୍ଯ୍ୟନ୍ତ ସହାୟତା ଦେବା ଲାଗି ୧୬ ଲକ୍ଷ ଟଙ୍କାର ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ଅନୁଦାନ ମଧ୍ୟ ରହିଛି । ଦେଶବିଦେଶରେ ଆୟୋଜନ ହେଉଥିବା ବଡ଼ କାର୍ଯ୍ୟକ୍ରମଗୁଡ଼ିକରେ ଅଂଶଗ୍ରହଣ କରି ସେଠାରେ ନିଜର ଉତ୍ପାଦ ଓ ସେବାକୁ ଅଧିକ ଲୋକଙ୍କ ପାଇଁ ପ୍ରଦର୍ଶିତ କରିବା ନିମନ୍ତେ ମହିଳା ଉଦ୍ୟୋଗୀମାନଙ୍କୁ ଯାତାୟାତ ଅନୁଦାନ ପ୍ରଦାନ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି ।

 ଗତକାଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବା ଷ୍ଟାର୍ଟଅପ୍ ଓଡ଼ିଶା ଯାତ୍ରା ୨.୦ ବିଷୟରେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହି ଅଭିଯାନ ଆସନ୍ତା ୬୦ ଦିନରେ ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନର ୧୦,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବ । ଏନେଇ ସଚେତନତା ସୃଷ୍ଟି କରିବା ଲାଗି ଏକ ଭ୍ୟାନ୍ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନ ଭ୍ରମଣ କରିବ ।

ଷ୍ଟାର୍ଟଅପ୍‌ମାନଙ୍କ ବଡ଼ ଧରଣର ପୁଞ୍ଜି ଆବଶ୍ୟକତା ପୂରଣ କରିବା ଲାଗି ରାଜ୍ୟ ସରକାର ୧୦୦ କୋଟି ଟଙ୍କାର ଫଣ୍ଡ୍ ଅଫ୍ ଫଣ୍ଡ୍‌ସ ଗଠନ କରିଛନ୍ତି । ଓଡ଼ିଶା ଭିତିକ ଷ୍ଟାର୍ଟଅପ୍‌ରେ ନିବେଶ କରିବା ଲାଗି ସେ ବିକଳ୍ପ ନିବେଶ ପାଣ୍ଠି ଓ ଅଣ ପଞ୍ଜୀକୃତ ନିବେଶକଙ୍କୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଓ-ହବ୍‌ରେ ରହିଥିବା ସୁବିଧା ସୁଯୋଗ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

ଏହି ଅବସରରେ ଓର୍‌ମାସ୍‌ର ସିଇଓ ପୁନମ ତାପସ ଗୁହା ରାଜ୍ୟରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ରହିଥିବା ସମ୍ଭାବନା ଓ ସରକାର ପ୍ରଦାନ କରୁଥିବା ସହାୟତାଗୁଡ଼ିକ ବିଷୟରେ ବର୍ଣ୍ଣନା କରିଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପ୍ରଡ୍ୟୁସର୍ସ ଗ୍ରୁପ୍ ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟଶୈଳୀକୁ ଜାଣିବା ଓ ଚିନ୍ତାଧାରା ଆଦିର ଆଦାନପ୍ରଦାନ କରିବା ଲାଗି ସେ ମହିଳା ଉଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ଓଡ଼ିଶାରେ ୬୨ ପ୍ରକାର ଆଦିବାସୀ ଥିବାରୁ ସେମାନଙ୍କ ସ୍ୱତନ୍ତ୍ର ଉତ୍ପାଦଗୁଡ଼ିକୁ ବଜାର ପର୍ଯ୍ୟନ୍ତ ଆଣିବା ଲାଗି ମଧ୍ୟ ବହୁ ସୁଯୋଗ ରହିଛି । କୃଷିଜାତ ସାମଗ୍ରୀରେ ରହିଥିବା ସୁଯୋଗ ବିଷୟରେ ମଧ୍ୟ ସେ ଆଲୋଚନା କରିଛନ୍ତି ।

ଏହି ଅବସରରେ ସେ ଉପସ୍ଥିତ ମହିଳା ଉଦ୍ୟୋଗୀମାନଙ୍କୁ ଓରମାସ୍ ପ୍ରତିିବର୍ଷ ଆୟୋଜନ କରୁଥିବା ପଲିଶ୍ରୀ ମେଳାରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି । ଏଥି ସହିତ ସରକାରୀ ସ୍କିମ୍‌ଗୁଡ଼ିକର ଲାଭ ହାସଲ କରିବା ଲାଗି ଉଦ୍ୟମ କରିବାକୁ ସେମାନଙ୍କୁ କହିଛନ୍ତି ।

ଜନତା ମୈଦାନରେ ଓଡ଼ିଶା ଆସୋସିଏସନ ଅଫ୍ ସ୍ମଲ ଆଣ୍ଡ୍ ମିଡିଅମ୍ ଏଟଂରପ୍ରାଇଜେସ୍ (ଓସ୍‌ମି)ର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଲାଗି ଆୟୋଜନ କରାଯାଇଥିବା ପ୍ରୋପ୍ୟାକ୍ ଓଡ଼ିଶା ୨୦୨୨ ଓ ଏମ୍‌ଏସ୍‌ଏମ୍‌ଇ ଓଡ଼ିଶା ୨୦୨୨ ପରିପ୍ରେକ୍ଷୀରେ “ମହିଳା ଉଦ୍ୟୋଗୀମାନଙ୍କ ବିକାଶ ଓ ଓଡ଼ିଶାର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ୍ଟ ପ୍ରତି ସେମାନଙ୍କ ଯୋଗଦାନ’ ଶୀର୍ଷକ ସେମିନାରରେ ଅଂଶଗ୍ରହଣ କରି ସେ ଏହା କହିଛନ୍ତି ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ଡେପୁଟି ଡାଇରେକ୍ଟର, ନିତିଶା ମାନ୍‌, ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ଯୁଗ୍ମ ସଚିବ ମାନସୀ ମାନ୍ଧାତା, ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନିଲ ନରବନେ, ଓସ୍‌ମି ମହିଳା ଶାଖାର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାନ୍ତି, ସଚିବ ଶ୍ୱେତା ପାଣି, ପ୍ରତିଶ୍ରୁତି ଜେନା, ଅମ୍ରିତା ସାବତ, ଚନ୍ଦନା ଦାସ, ସଂଯୁକ୍ତା ପଣ୍ଡା, ବିଜୟଲକ୍ଷ୍ମୀ ପ୍ରଧାନ ଓ ବେନୋରିତା ଦାଶ ଉପସ୍ଥିତ ଥିଲେ ।


Share It

Comments are closed.