ଖୁସି ଖବର : ଆରମ୍ଭ ହେଲା ଅକ୍ସଫୋର୍ଡ ଟୀକାର ମାନବ ପରୀକ୍ଷଣ


ଦେଶରେ କରୋନା ସଙ୍କଟ କାଳରେ ଅକ୍ପଫୋର୍ଡ ପକ୍ଷରୁ ଭଲ ଖବର ଆସିଛି। ଗତକାଲି ପିଜିଆଇ ଚଣ୍ଡିଗଡ଼ରେ କୋଭିଡ୍-୧୯ ଭାକସିନ ‘କୋଭିସିଲ୍ଡ’ର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଟ୍ରାଏଲର ପ୍ରଥମ ଦିନରେ ସୁସ୍ଥ ଥିବା ୯ ଜଣ ଲୋକଙ୍କୁ ପରୀକ୍ଷଣ ପାଇଁ ଡକାଯାଇଥିଲା। ସେମାନଙ୍କ ମଧ୍ୟରୁ କେବଳ ୩ ଜଣକୁ ଟିକା ଦିଆଗଲା। ଯେଉଁମାନଙ୍କୁ ଭାକସିନ ଦିଆଯାଇଛି ସେମାନଙ୍କ ମଧ୍ୟରୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ସାମିଲ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୫୭,୩୩ ଓ ୨୬।

ପିଜିଆଇ ପ୍ରଶାସନ ଅନୁସାରେ ସ୍ୱେଚ୍ଛାସେବୀଙ୍କ ମନୋନୟନ ଓ ଡୋଜ ଦେବା ପ୍ରକ୍ରିୟା କ୍ରମାଗତ ଜାରି ରହିବ। ଛଅ ମାସ ପର‌୍ୟ୍ୟନ୍ତ ସେମାନଙ୍କ ଫଲୋଅପ କରାଯିବା ପରେ ଭାକସିନ ପରିଣାମକୁ ଆକଳନ କରାଯିବ ଯେ କରୋନା ପାଇଁ ଏହା କେତେ ମାତ୍ରାରେ ଫଳପ୍ରଦ। ପ୍ରଥମ ପର‌୍ୟ୍ୟାୟରେ ୧୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହାକୁ ଟ୍ରାଏଲ କରାଯିବ। ପିଜିଆଇ ପ୍ରଶାସନ ଅନୁସାରେ ଯେଉଁ ତିନି ଜଣଙ୍କୁ ଡୋଜ ଦିଆଯାଇଛି ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏହା ସହ ସାଙ୍ଗରେ ସେମାନଙ୍କୁ ଗୋଟିଏ ଡାଏରୀ ମଧ୍ୟ ଦିଆଯାଇଛି। ସେମାନଙ୍କଠାରେ ଆଗାମୀ କିଛି ପରିବର୍ତନ ଦେଖା ଦେଲେ ଡାଏରୀରେ ସେମାନେ ନୋଟ୍ କରିବେ। ଏହା ସହ ସେମାନଙ୍କୁ ପିଜିଆଇ ଫୋନ ନମ୍ବର ମଧ୍ୟ ଦିଆଯାଇଛି। ୨୪ ଘଂଟାରେ ଯେତେବେଳେ ବି ଆବଶ୍ୟକ ହେବ ସେମାନେ ଫୋନ କରିପାରିବେ।

ସୂଚନା ଅନୁସାରେ ଯେଉଁମାନଙ୍କୁ ଡୋଜ୍ ଦିଆଯାଇଛି ସେମାନଙ୍କୁ ୨୮ଦିନ ପରେ ପିଜିଆଇକୁ ଡକାଯାଇଛି। ସେହି ଦିନ ପୁଣି ସେମାନଙ୍କୁ ଡୋଜ ଦିଆଯିବ ଓ ପୁଣି ରକ୍ତ ପରୀକ୍ଷା କରାଯିବ। ରକ୍ତରୁ ସେମାନଙ୍କୁ ଆଣ୍ଟିବଡ଼ି ସ୍ଥିତି ଆକଳନ କରାଯିବ। ଏହା ପରେ ହିଁ ପରୀକ୍ଷଣ ଆଗାମୀ ପ୍ରକିୟାକୁ ଆଗକୁ ବଢ଼ାଯିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଧନ କହିଛନ୍ତି ଭାରତରେ କରୋନା ଟିକା ଆଗାମୀ ବର୍ଷ ଉପଲବ୍ଧ ହେବ। ସେଥିପାଇଁ ଟିକା ଟ୍ରାଏଲ ବିଭିନ୍ନ ପର‌୍ୟ୍ୟାୟରେ ଚାଲିଛି।

ସୂଚନାଯୋଗ୍ୟ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୬୦ ଲକ୍ଷ ଟିପଗଲାଣି। ଗତ ୨୪ ଘଂଟାରେ ପ୍ରାୟ ୮୫ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି।


Share It

Comments are closed.