ପରଲୋକରେ ବିଜେପି ବିଧାୟକ ବିଷ୍ଣୁ ସେଠୀ


ବିଜେପି ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ। ଆଜି ଭୋର୍ ସମୟରେ ୬୧ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ଵର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି। ଏନେଇ ଏମ୍‌ସ ଆଡିସିନାଲ ସୁପରିଟେଣ୍ଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ ସୂଚନା ଦେଇଛନ୍ତି। ତାଙ୍କର ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସୂଚନାନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ବିଧାୟକ ବିଷ୍ଣୁ ସେଠୀ କିଡନୀ ରୋଗରେ ପୀଡ଼ିତ ହୋଇ ଗତ ଏକ ମାସ ହେଲା ଆଇସିୟୁରେ ଭର୍ତ୍ତି ଥିଲେ। ତାଙ୍କର ନିୟମିତ ଭାବରେ ଡାଇଲେସିସ୍ ଚାଲିଥିଲା।

ବିଷ୍ଣୁ ସେଠୀ ଜଣେ ଦକ୍ଷ, ନିର୍ଭୀକ ରାଜନୀତିଜ୍ଞ ଏବଂ ଦୃଢ ସଙ୍ଗଠକ ଥିଲେ। ପିଲାଦିନୁ ରାଜନୀତି ପ୍ରତି ବିଷ୍ଣୁ ସେଠୀଙ୍କ ବେଶ୍‌ ଆଗ୍ରହ ଥିଲେ । ଓଡିଶା ପ୍ରଶାସନିକ ସେବା ପାଇଁ ମନୋନୀତ ହୋଇଥିଲେ ବି ସେ ଯୋଗ ଦେଇନଥିଲେ । ପରେ ସେ ଶ୍ୟାମାପ୍ରସାଦ ମୁଖାର୍ଜୀ ଓ ଦିନ୍‌ ଦୟାଲ ଉପାଧ୍ୟାୟଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗଦେଇଥିଲେ । ଆଉ ଦଳକୁ ସୁଦୃଢ କରିବାରେ ଲାଗିପଡିଥିଲେ । ୨୦୦୦-୨୦୦୪ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୪ ନିର୍ବାଚନରେ ସେହି ଆସନରୁ ସେ ପରାଜିତ ହୋଇଥିଲା । ୨୦୦୬ରେ ଓଡିଶା କାଜୁ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ ।

ଏହା ପରେ ୨୦୦୯ ଓ ୨୦୧୪ ନିର୍ବାଚନରେ ଭଦ୍ରକ ଧାମନଗର ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚନ ଲଢିଥିଲେ । କିନ୍ତୁ ଏଥିରେ ସେ ପରାଜିତ ହୋଇଥିଲା । ଶେଷରେ ୨୦୧୯ରେ ଧାମନଗର ଆସନରୁ ନିଜ ପ୍ରତିଦ୍ୱନ୍ଦୀଙ୍କୁ ଚେକ୍‌ ଦେଇ ବିଜୟୀ ହୋଇଥିଲା । ଆଉ ବିଜେପି ଦଳ ପକ୍ଷରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲା ।

ସେ ବିଜେପିର ଜଣେ ଟାଣୁଆ ନେତା ଥିଲେ। ରୋକ୍ ଠୋକ୍ କଥା ପାଇଁ ସେ ବେଶ୍ ପରିଚିତ ଥିଲେ। ସେ ଜଣେ ସାହିତ୍ୟିକ ଓ ଲେଖକ ରୂପରେ ଖ୍ୟାତି ଅର୍ଜନ କରିଥିଲେ। ସେ ଲୋକଙ୍କ ପାଇଁ ସବୁବେଳେ ବିଧାସଭାରେ ତାଙ୍କର ସ୍ଵରକୁ ଶାଣିତ କରୁଥିଲେ ଏବଂ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ। ତାଙ୍କର ପରଲୋକରେ ଓଡ଼ିଶା ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।


Share It

Comments are closed.