ଆରପାରିରେ ବଲିଉଡ ନିର୍ଦ୍ଦେଶକ ନିଶିକାନ୍ତ କାମତ

Share It

ବଲିଉଡ଼ର ଲୋକପ୍ରିୟ ନିର୍ମାତା-ନିର୍ଦ୍ଦେଶକ ତଥା ଅଭିନେତା ନିଶିକାନ୍ତ କାମତଙ୍କର ସୋମବାର ମୃତ୍ୟୁ ଘଟିଛି। ଯକୃତ ସିରୋସିସ୍‍ ରୋଗରେ ପୀଡ଼ିତ ଥିବା ୫୦ ବର୍ଷୀୟ ନିଶିକାନ୍ତ ହାଇଦ୍ରାବାଦର ଏଆଜି ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୂଚନା ମୁତାବକ, ସେ ଦୀର୍ଘ ଦିନ ଧରି ଯକୃତ ସିରୋସିସ୍ ରୋଗରେ ପୀଡିତ ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୧୧ ତାରିଖରେ ତାଙ୍କୁ ଏଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ହସ୍ପିଟାଲ୍‌ ପକ୍ଷରୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ଏକ ବିବୃତ୍ତି ଜାରି କରାଯାଇଥିଲା। ତାଙ୍କୁ ଜଣ୍ଡିସ୍‌ ମଧ୍ୟ ହୋଇଥିଲା।  ନିର୍ଦ୍ଦେଶକଙ୍କ ମୃତ୍ୟୁ ଖବରକୁ ପ୍ରଥମେ ଅଭିନେତା ରିତେଶ ଦେଶମୁଖ ତାଙ୍କ ଟ୍ୱିଟର ଆକାଉଣ୍ଟ୍‌ରେ ପୋଷ୍ଟ୍‌ କରିବା ପରେ ଖବରଟି ସଙ୍ଗେ ସଙ୍ଗେ ଚାରିଆଡ଼େ ବ୍ୟାପୀ ଯାଇଥିଲା। ରିତେଶ ଲେଖିଛନ୍ତି, “ମୋର ବନ୍ଧୁ, ମୁଁ ତୁମକୁ ଖୁବ୍ ମନେ ପକାଇବି। ନିଶିକାନ୍ତ କାମତ ତୁମ ଅମର ଆତ୍ମାକୁ ସଦ୍‍ଗତି ପ୍ରାପ୍ତ ହେଉ”।

ଅଭିନେତା ଅଜୟ ଦେବଗନ ମଧ୍ୟ ଟ୍ୱିଟରରେ ନିଶିକାନ୍ତଙ୍କ ବିୟୋଗକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ନିଶିକାନ୍ତଙ୍କ ନିର୍ଦ୍ଦେଶିତ ‘ଦୃଶ୍ୟମ’ ଚଳଚ୍ଚିତ୍ରରେ ଅଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଉଲ୍ଲେଖଯୋଗ୍ୟ, ‘ଦୃଶ୍ୟମ’, ‘ମଦାର’ ଓ ‘ମୁମ୍ବାଇ ମେରି ଜାନ୍’‌ ଆଦି ଚଳଚ୍ଚିତ୍ରର ନିର୍ଦ୍ଦେଶନା ପାଇଁ ବେଶ୍‌ ପରିଚିତ ଥିଲେ ନିଶିକାନ୍ତ। ନିଶିକାନ୍ତ ଜଣେ ନିର୍ଦ୍ଦେଶକ ବ୍ୟତୀତ ଚମତ୍କାର ଅଭିନେତା ମଧ୍ୟ ଥିଲେ। ସେ ‘ରକି ହ୍ୟାଣ୍ଡସମ’, ‘ଡ୍ୟାଡି’, ‘ଜୁଲୀ-୨’ ଓ ‘ଭାବେଶ ଜୋଶୀ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେ କେତୋଟି ମରାଠୀ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି।


Share It

Comments are closed.