ଚୀନର ସେନଝେନ ସହରରେ ଲାଗୁ ହେଲା ନୂଆ ଆଇନ, କୁକୁର ଓ ବିଲେଇ ମାଂସ ବିକ୍ରି ହେଲା ବନ୍ଦ


ନୂଆ ଆଇନ ପ୍ରଣୟନ କରାଯାଇ ଚୀନର ସେନଝେନ୍ ସହରରେ ବିରାଡ଼ି ଓ କୁକୁର ମାଂସ ଭୋଜନ ଓ ବ୍ୟବସାୟ ଉପରେ ନିଷେଧାଦେଶ ଜାରି କରାଯାଇଛି । ମେ ୧ ତାରିଖ ଠାରୁ ଲାଗୁ ହେବାକୁ ଥିବା ଏହି ଆଇନ୍ ସାପ ଓ ଗୋଧି ସମେତ ସଂରକ୍ଷିତ ବନ୍ୟଜନ୍ତୁ ପ୍ରଜାତିର ପ୍ରଜନନ, ବିକ୍ରି ଏବଂ ଭକ୍ଷଣ ନିଷିଦ୍ଧ କରୁଛି ।

ନୂଆ ଆଇନରେ ଉଲ୍ଲେଖ କରାଯାଇଛି ଯେ ଅନ୍ୟାନ୍ୟ ଜନ୍ତୁଙ୍କ ଅପେକ୍ଷା କୁକୁର ଓ ବିରାଡ଼ି ମଣିଷ ସହିତ ଅତି ନିବିଡ଼ ସମ୍ପର୍କ ସ୍ଥାପନ କରିପାରିଛନ୍ତି । ବିକଶିତ ଦେଶ ଛଡ଼ା ହଙ୍ଗ୍ କଙ୍ଗ୍ ଏବଂ ତାଇୱାନରେ ମଧ୍ୟ କୁକୁର, ବିରାଡ଼ି ଓ ଅନ୍ୟାନ୍ୟ ପୋଷା ଜନ୍ତୁଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯିବା ଏକ ମାମୁଲି ବ୍ୟବସ୍ଥା ହୋଇସାରିଛି। ମାନବ ସଭ୍ୟତାର ଅନ୍ତରାତ୍ମା ଓ ତା’ର ଦାବିକୁ ଚାହିଁ ଏହି ନିଷେଧାଜ୍ଞା ଜାରି କରାଯାଉଛି ।

Image Sources : theguardian

୨୦୧୯ ଡିସେମ୍ବର ମାସରେ ଚୀନର ଊହାନ ସହରର କଞ୍ଚା ମାଛମାଂସ ବଜାରରୁ କରୋନାଭାଇରସର ଉତ୍ପତ୍ତି ହୋଇଥିବା କଥା ପ୍ରଚାର ହେବା ପରେ ଚୀନ୍ ସରକାର ଏ ଭଳି ଆଇନ ପ୍ରଣୟନ କରିଛନ୍ତି । କିନ୍ତୁ, ପରମ୍ପରାକ୍ରମେ ଗୃହପାଳିତ ପଶୁ ରୂପେ ପାଳନ କରାଯାଉଥିବା ଘୁଷୁରି, ଗାଈ, ମେଣ୍ଢା, ଗଧ, ଠେକୁଆ, କୁକୁଡ଼ା, ବତକ, ହଂସ, ପାରା ଓ ଗୁଣ୍ଡୁରି ଆଦି ପଶୁପକ୍ଷୀ ନୂତନ ଆଇନରୁ ବାଦ ପଡ଼ିଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଘୁଷୁରି ଓ ହଂସ ଆଦି କେତକ ଜୀବଜନ୍ତୁ ଥଣ୍ଡାଭଳି ସଂକ୍ରାମକ ରୋଗ ବିସ୍ତାର କରନ୍ତି ।


Share It

Comments are closed.