ବିଶ୍ୱର ଏପରି ଏକ ଦେଶ ଯେଉଁଠି ‘କରୋନା ଭାଇରସ୍‌’ ଶବ୍ଦ କହିଲେ ଆପଣଙ୍କୁ ହୋଇପାରେ ଜେଲ


ନୂଆଦିଲ୍ଲୀ,୧ ଏପ୍ରିଲ ୨୦୨୦: ଗୋଟିଏ ପଟେ ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ର ବିପଦ ଲୋକଙ୍କୁ ଘରେ ବନ୍ଦୀ ରହିବା ପାଇଁ ବାଧ୍ୟ କରୁଥିବା ବେଳେ ଅନ୍ୟପଟେ ଏଭଳି ଏକ ଦେଶ ମଧ୍ୟ ଅଛି ଯେଉଁଠାରେ ଏହି ଶବ୍ଦର ଉଚ୍ଚାରଣ କଲେ ଆପଣଙ୍କୁ ଜେଲ୍ ମଧ୍ୟ ଯିବାକୁ ପଡିପାରେ । ସମଗ୍ର ବିଶ୍ୱରେ କରୋନା ଭାଇରସ୍‌କୁ ମହାମାରୀ ଘୋଷିତ କରାଯାଇଥିବା ବେଳେ ଏହି ଦେଶ ଦାବି କରିଛି ଯେ, ସେଠାରେ ବର୍ତମାନ ସୁଦ୍ଧା ଏହି ଭୂତାଣୁ ସଂକ୍ରମଣର କୌଣସି ମାମଲା ସାମ୍‌ନାକୁ ଆସିନାହିଁ । ତେଣୁ ଏଠାରେ କରୋନା ଭାଇରସ୍ ଶବ୍ଦର ବ୍ୟବହାରକୁ ବ୍ୟାନ୍ କରାଯାଇଛି ।
ସୂଚନା ଅନୁଯାୟୀ, ମଧ୍ୟ ଏସିଆର ଦେଶ ତୁର୍କମେନିସ୍ତାନ ‘କରୋନା ଭାଇରସ୍‌’ ଶବ୍ଦର ବ୍ୟବହାର ଓ ଏସମ୍ପର୍କରେ କିଛି ବି କଥା ହେବା ଉପରେ ବ୍ୟାନ୍ ଲଗାଇଛି । ତୁର୍କମେନିସ୍ତାନ ନିଜ ଦେଶର ନାଗରିକଙ୍କୁ ଏହି ମହାମାରୀର ନାମ ନେବା କିମ୍ବା ଏସମ୍ପର୍କରେ କିଛି କଥା ହେବା ପାଇଁ ବାରଣ କରିଛି । ତେବେ ଏହା ପଛର କାରଣ ଜଣାପଡିନାହିଁ । ଏଥିସହିତ ତୁର୍କମେନିସ୍ତାନ ସରକାର ନିଜ ଦେଶର ପୁଲିସ୍‌କୁ ସାର୍ବଜନିନ ଭାବେ କାହାକୁ କରୋନା ଭାଇରସ୍ ସମ୍ପର୍କରେ କଥା ହେଉଥିବାର ଦେଖିଲେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଅଧିକାର ପ୍ରଦାନ କରିଛନ୍ତି । ଏପରିକି ତୁର୍କମେନିସ୍ତାନରେ କରୋନାଭାଇରସ୍‌ର ପ୍ରତିରୋଧ ପାଇଁ ଲଗାଯାଇଥିବା ପୋଷ୍ଟରଗୁଡିକୁ ମଧ୍ୟ ବଦଳାଯାଇଛି । ଏହା ପରିବର୍ତେ ଏବେ ଶ୍ୱାସଜନିତ ରୋଗ ଭଳି ଶବ୍ଦର ବ୍ୟବହାର କରାଯାଉଛି । ତୁର୍କମେନିସ୍ତାନର ଅଧିକାରୀମାନେ କରୋନା ଭାଇରସ୍ ସମ୍ପର୍କରେ ସମସ୍ତ ସୂଚନାକୁ ହଟାଇବା ପାଇଁ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହାଛଡା ଏହି ଦେଶରେ ଲୋକମାନଙ୍କୁ ମାସ୍କ ଲଗାଇବା ଉପରେ ମଧ୍ୟ କଟକଣା ଜାରି ହୋଇଛି । ମାସ୍କ ପିନ୍ଧିଲେ କିମ୍ବା କରୋନା ଭାଇରସ୍ ସମ୍ପର୍କରେ ସାର୍ବଜନିନ ସ୍ଥାନରେ କଥା ହେଲେ ସେମାନଙ୍କୁ ଗିରଫ କରାଯିବ ବୋଲି ଘୋଷଣା କରାଯାଇଛି ।


Share It

Comments are closed.