ଚାଷୀମାନଙ୍କୁ ଅଧିକ ବଜାର ଓ ଲାଭ ପ୍ରଦାନ କରୁଛି ନୂଆ କୃଷି ବିଲ୍‌


ଭୁବନେଶ୍ୱର: ଗତ କିଛି ସପ୍ତାହ ମଧ୍ୟରେ ନୂତନ ଭାବେ ଲାଗୁ ହୋଇଥିବା କୃଷି ବିଲ୍‌କୁ ନେଇ ଅନେକ କିଛି ଲେଖାଯାଇଛି, ଯାହାକୁ ସରକାର ଐତିହାସିକ କହୁଥିବା ବେଳେ ବିରୋଧୀ ଦଳଗୁଡିକ ଚାଷୀଙ୍କ ପାଇଁ ଏହା ଡେଥ୍ ୱାରେଂଟ୍ ବୋଲି କହୁଛନ୍ତି । ଏହି ବିବାଦୀୟ ପ୍ରସଙ୍ଗ କମିଶନ ଏଜେଂଟ୍‌ଙ୍କୁ ବାହାର କରିବାଠାରୁ ଆରମ୍ଭ କରି ଘରୋଇ ସଂସ୍ଥାଙ୍କ ପ୍ରବେଶ, ମୂଲ୍ୟ ଧାର୍ଯ୍ୟ ମେକାନିଜିମ୍‌ର ଅନୁପସ୍ଥିତି ଆଦି ପର୍ଯ୍ୟନ୍ତ ବ୍ୟାପି ରହିଛି ।
ଏସମ୍ପର୍କରେ ଫେଡେରେଶନ ଅଫ୍ ସିଡ୍ ଇଣ୍ଡଷ୍ଟ୍ରୀ ଅଫ୍ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡଃ ଶିବେନ୍ଦ୍ର ବଜାଜ୍ କହିଛନ୍ତି, ଅନେକ ଦଶନ୍ଧି ଧରି ବିଭିନ୍ନ ଜଟିଳ ସମସ୍ୟା କାରଣରୁ ଦେଶର ଅଧିକାଂଶ ଚାଷୀ ଅତ୍ୟଧିକ ଦାରିଦ୍ର‌୍ୟରେ ଜୀବନ ବିତାଉଛନ୍ତି । ତେବେ ଏଥିପାଇଁ କମ୍ ଉତ୍ପାଦକତା ଓ ଅପର୍ଯ୍ୟାପ୍ତ କୃଷି ପାରିଶ୍ରମିକ ହେଉଛି ପ୍ରମୁଖ କାରଣ । ଅତୀତରେ ଚାଷୀମାନେ ଏପିଏମ୍‌ସି (ଆଗ୍ରିକଲ୍‌ଚର ପ୍ରଡ୍ୟୁସ୍ ମାର୍କେଟ୍ କମିଟି) ମଣ୍ଡିଗୁଡିକରେ କମିଶନ ଏଜେଂଟ୍ କିମ୍ବା ମଧ୍ୟସ୍ଥିମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଚାଷିମାନେ ଉକ୍ତ କୃଷିଜାତ ସାମଗ୍ରୀ ପାଇଁ ମଧ୍ୟ ପାରିଶ୍ରମିକ ପାଇବା ଲାଗି ସଂଘର୍ଷ କରୁଥିଲେ, ଯାହା ପାଇଁ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଘୋଷଣା କରିଥିଲେ ।”
ତେଣୁ ଚାଷୀମାନଙ୍କ ପାଇଁ ଭିନ୍ନ ଭିନ୍ନ ବିକଳ୍ପ ରହିବା ଅତ୍ୟନ୍ତ ଜରୁରୀ ଥିଲା । ଏବଂ ନୂଆ କୃଷି ବିଲ୍ ଚାଷୀମାନଙ୍କୁ ସେମାନେ ଯେଉଁ କ୍ରେତାମାନଙ୍କୁ ନିଜ ଉତ୍ପାଦ ବିକ୍ରି କରିବାକୁ ଚାହିଁଛନ୍ତି, ସେମାନଙ୍କଠାରୁ ଉପଯୁକ୍ତ ପାରିଶ୍ରମିକ ହାସଲ କରିବା ଲାଗି ଆବଶ୍ୟକ ପ୍ଲାଟ୍‌ଫର୍ମ ପ୍ରଦାନ କରୁଛି । ଏହି ଆଇନ୍ ମାଧ୍ୟମରେ ଭାରତ ସରକାର ଚାଷୀମାନଙ୍କୁ ସକ୍ଷମ କରିଛନ୍ତି ଏବଂ ସେମାନଙ୍କୁ ସ୍ୱାଧୀନତା ପ୍ରଦାନ କରିଛନ୍ତି, ଯାହାଫଳରେ ସେମାନେ ଯେଉଁଠାରେ ଓ ଯାହାକୁ ଚାହିଁବେ ନିଜ ଉତ୍ପାଦ ବିକ୍ରି କରିପାରିବେ । ଭାରତୀୟ କୃଷି ଏକ ବୃହତ୍ ପରିବର୍ତନ ଦେଖିବାକୁ ପାଇବ । କୃଷିର ଗତିଶୀଳ ପରିବର୍ତନ ସହିତ ଚାଷୀମାନଙ୍କୁ ନୂତନ ଟେକ୍ନୋଲୋଜିର ବ୍ୟବହାର, ବଜାର ସୂଚନା ସମ୍ପର୍କରେ ଅପ୍‌ଡେଟେଡ୍ ରହିବା ଓ ନିଜ ଚାଷ ଜମିକୁ ଉନ୍ନତ କରିବାକୁ ପଡିବ ।
ନୂତନ ଆଇନ୍ ଦ୍ୱାରା ଚାଷୀମାନଙ୍କ ପାଖରେ ଏବେ ନିଜ ଗ୍ରାହକ, ସେମାନେ କାହା ସହ ଚୁକ୍ତି କରିବେ ଏବଂ ସେମାନେ କ’ଣ ଚାଷ କରିବାକୁ ଚାହିଁବେ ତାହାକୁ ଚୟନ କରିବାର ସ୍ୱାଧୀନତା ରହିବ । ଏହାବ୍ୟତୀତ ଏପିଏମ୍‌ସି ମଣ୍ଡିଗୁଡିକ ମଧ୍ୟ କାର୍ଯ୍ୟକ୍ଷମ ରହିବ, ଯାହାଦ୍ୱାରା ଚାଷୀମାନଙ୍କ ପାଖରେ ନିଜ ଉତ୍ପାଦକୁ ବିକ୍ରି କରିବା ଲାଗି ଏକାଧିକ ବିକଳ୍ପ ରହିବ । ଉଲ୍ଲେଖଯୋଗ୍ୟ ଯେ, ମୂଲ୍ୟ ନିଶ୍ଚିତତା ଓ କୃଷି ସେବା ଅଧିନିୟମ ୨୦୨୦ ଉପରେ କୃଷକ (ସଶକ୍ତିକରଣ ଓ ସୁରକ୍ଷା) ଚୁକ୍ତିନାମା, କୃଷକମାନଙ୍କୁ କୃଷି ସେବାଗୁଡିକ ପାଇଁ ଏଫ୍‌ଏମ୍‌ସିଜି କମ୍ପାନୀ, ବୃହତ୍ ଖୁଚୁରା ବ୍ୟବସାୟୀ୍‌, ହୋଲ୍‌ସେଲର୍ ଓ ଆଗ୍ରି-ଫୁଡ୍ ବିଜ୍‌ନେସଗୁଡିକ ସହିତ ଚୁକ୍ତି ସ୍ୱାକ୍ଷର କରିବା ଏବଂ ଏକ ସ୍ଥାୟୀ ମୂଲ୍ୟରେ ଭବିଷ୍ୟତର କୃଷି ଉତ୍ପାଦଗୁଡିକର ବିକ୍ରି କରିବାର ସୁବିଧା ପ୍ରଦାନ କରିଥାଏ । ତେବେ ସ୍ୱଳ୍ପ କ୍ଷେତ୍ରରେ ଭାରତ ଗତ କିଛି ବର୍ଷ ହେବ ସଫଳ ଚୁକ୍ତିଭିତିକ କୃଷି ଉଦାହରଣ ଦେଖିବାକୁ ପାଇଛି । ଏବେ କୃଷକମାନେ ସ୍ଥାନୀୟ ବଜାରରେ ଦୈନିକ ମୂଲ୍ୟ ପରିବର୍ତନର ଖାମଖିଆଲ ନୀତିରୁ ସୁରକ୍ଷା ଆଶା କରିପାରିବେ । ଭାରତର କୃଷି ବଜାରକୁ ମୁକ୍ତ କରିବା ପାଇଁ ସରକାରଙ୍କ ନିଷ୍ପତି ଏକ ଦୀର୍ଘ ବିଚାରାଧୀନ ସଂସ୍କାର ହୋଇଥିବା ବେଳେ ଏହା ଭାରତର ଦୁର୍ବଳ କୃଷି କ୍ଷେତ୍ର ଓ ଘରୋଇ ନିବେଶକୁ ପୁନର୍ଜୀବିତ କରିବ ବୋଲି ଆଶା କରାଯାଉଛି । ବୃହତ୍ କର୍ପୋରେଟ୍ ସଂସ୍ଥାଗୁଡିକ ଏବେ ସିଧାସଳଖ ଚାଷୀମାନଙ୍କଠାରୁ ଉତ୍ପାଦ କିଣିପାରିବେ ଏବଂ ଶୀତଳ ଭଣ୍ଡାର, ୱେୟାରହାଉସ୍‌, ଫୁଡ୍ ପ୍ରୋସେସିଙ୍ଗ୍ ୟୁନିଟ୍‌ଗୁଡିକର ନିର୍ମାଣ ପାଇଁ ପ୍ରୋତ୍ସାହିତ ହୋଇପାରିବେ ।


Share It

Comments are closed.