କେନ୍ଦ୍ରାପଡ଼ାରେ ଆଉ ଏକ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ


ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା କେନ୍ଦ୍ରାପଡ଼ାର ଗୁପ୍ତି ଅଂଚଳରେ ଏକ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି । ଏହି ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ ଫଳରେ ଅନେକ ପଂଚାୟତ ଯେପରିକି ଗୁପ୍ତି, ଇଶ୍ୱରପୂର, ରଙ୍ଗଣି, କେରୁଆପାଳ, ତାଳଚୁଆ, ଖମାରସାହି, ବାଘମାରି, ଡ଼ାଙ୍ଗମାଳ ଏବଂ କୃଶନଗର ଅଂଚଳର ପାଖାପାଖି ୧୮,୦୦୦ରୁ ଉର୍ଦ୍ଧ ଅଧିବାସୀ ଏହା ଦ୍ୱାରା ଉପକୃତ ହୋଇପାରିବେ । ପୂର୍ବରୁ ଉକ୍ତ ଅଂଚଳର ଲୋକମାନେ ସ୍ୱାସ୍ଥ୍ୟସେବା ପାଇବା ପାଇଁ କାଦୁଅ ଭର୍ତି ରାସ୍ତାରେ ପାଖାପାଖି ଅଢେଇ ଘଂଟା ଅତିକ୍ରମକରି ରାଜନଗର ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ବୋଟରେ ଭଦ୍ରକର ଚାନ୍ଦବାଲି ହସ୍ପିଟାଲକୁ ଯାଉଥିଲେ । ଅଥବା ଉକ୍ତ ଅଂଚଳରେ ଉପଲବ୍ଧ ଡ଼ଙ୍ଗାରେ ରୋଗୀମାନେ ଡ଼ାକ୍ତରଖାନା ଯିବାକୁହେଲେ ସେମାନଙ୍କୁ ଅନେକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା, ଯାହାକି ରୋଗୀମାନଙ୍କ ପାଇଁ ବ୍ୟୟସାପେକ୍ଷ ମଧ୍ୟ ହେଉଥିଲା । ବର୍ତମାନ ଗୁପ୍ତିରେ ଏହି ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ ଦ୍ୱାରା ଉକ୍ତ ଅଂଚଳର ଲୋକମାନେ ଘାଟଠାରୁ ମାତ୍ର ୨୦୦ ମିଟର ଦୁରରେ ଅବସ୍ଥାପିତ ଗୁପ୍ତି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ସୁବିଧା ପାଇପାରିବେ । ସେଠାରୁ ଅଧିକ ଚିକିତ୍ସା ପାଇଁ ଗୁପ୍ତି ଘାଟରୁ ମାତ୍ର ଅଧଘଂଟାରେ ରାଜନଗର ସିଏଚସି ପହଂଚିପାରିବେ । ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ ପରିଯୋଜନାକୁ ରାଜ୍ୟରେ ଜିକିତ୍ସା ହେଲଥ କେୟାର ଲିଃ. ଦ୍ୱାରା କରାଯାଉଛି ।
ଏହି ପରିପ୍ରେକ୍ଷୀରେ ଜିକିତ୍ସା ହେଲଥ କେୟାର ଲିଃ.ର ଓଡ଼ିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତିଯେ, “ରାଜ୍ୟରେ ୬ଟି ବୋଟ ଆମ୍ବୁଲାନ୍ସ ପ୍ରଚଳନ କରିବାକୁ ସରକାର ଦେଇଥିବା ପ୍ରତିଶୃତି ମଧ୍ୟରୁ ବର୍ତମାନ ଦ୍ୱିତୀୟ ବୋଟ ଆମ୍ବୁଲାନ୍ସକୁ କେନ୍ଦ୍ରାପଡ଼ାର ଗୁପ୍ତି ଅଂଚଳରେ ଶୁଭାରମ୍ଭ କରାଯାଇଛି । ଏହି ବୋଟ ଆମ୍ବୁଲାନ୍ସରେ ସାଧାରଣ ଆମ୍ବୁଲାନ୍ସପରି ପାଇଲଟ, ଇଏମଟି ଏବଂ ଆଟେଣ୍ଡାଂଟ ସହ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ପାଇଁ ଅନ୍ୟାନ୍ୟ ସୁବିଧା ମଧ୍ୟ ଉପଲବ୍ଧ । ନୂତନ ବୋଟ୍ ଆମ୍ବୁଲାନ୍ସର ଶୁଭାରମ୍ଭ ଦ୍ୱାରା ଉକ୍ତ ଅଂଚଳର ପାଖାପାଖି ୧୮,୦୦୦ ରୁ ଉର୍ଦ୍ଧ ଅଧିବାସୀ ଅତିଶିଘ୍ର ସ୍ୱାସ୍ଥ୍ୟ ସେବା ପାଇପାରିବେ । ଗୁପ୍ତିରେ ଶୁଭାରମ୍ଭ ହୋଇଥିବା ବୋଟ ଆମ୍ବୁଲାନ୍ସ ନଅଟି ପଂଚାୟତର ଲୋକଙ୍କୁ ସୁବିଧା ଯୋଗାଇଦେବା ପାଇଁ ସକ୍ଷମ ହୋଇଥିବାବେଳେ ଏହି ଘାଟରୁ ପ୍ରାୟ ୨୦୦ ମିଟର ଦୁରରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପଲବ୍ଧ ।”
ଆଗରୁ କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକରେ ୨୦୧୯ ଫେବୃୟାରୀରେ ବତିଘରଠାରେ ଗୋଟିଏ ବୋଟ ଆମ୍ବୁଲାନ୍ସର ଆରମ୍ଭ ହୋଇଥିଲା । ଖୁବଶୀଘ୍ର ଆଉ ୪ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟକାରୀ କରାଯିବ ଏବଂ ତନ୍ମଧ୍ୟରୁ ୨ଟି ମାଲାକାନାଗିରି, ୧ଟି କୋରାପୁଟ, ୧ଟି କଳାହାଣ୍ଡି କାର୍ଯ୍ୟକାରୀ କରିବ । ସୂଚନା ଥାଉକି ଜିକିତ୍ସା ହେଲଥ କେୟାର ଲିଃ. ଦ୍ୱାରା ପରିଚାଳିତ ମାଗଣା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା, ୧୦୮ ଆମ୍ବୁଲାନ୍ସ ଗତ ୫ ମାର୍ଚ୍ଚ ୨୦୨୦ରେ ଓଡିଶାରେ ଏହାର ୭ ବର୍ଷର ଯାତ୍ରା ସମ୍ପୁର୍ଣ୍ଣ କରିଛି । ରାଜ୍ୟରେ ମାର୍ଚ୍ଚ ୨୦୧୩ରେ ଆରମ୍ଭ ହେବା ପରଠାରୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା ୩୦ ଲକ୍ଷରୁ ଅଧିକ ଏବଂ ୧୦୨ ଆମ୍ବୁଲାନ୍ସ ଦ୍ୱାରା ୨୭ ଲକ୍ଷରୁ ଅଧିକ ମୂଲ୍ୟବାନ ଜୀବନ ବଂଚାଇବାରେ ସହଯୋଗ କରିଛି । ରାଜ୍ୟର ଉଭୟ ସହରାଂଚଳ ଓ ଦୁର୍ଗମ ଅଂଚଳରେ ରହୁଥିବା ରୋଗୀମାନେ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି; ଯାହାକୁ ଓଡିଶାରେ ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ବଜାୟ ରଖିବାରେ ଅଦ୍ଭୁତପୂର୍ବ ବୋଲି କୁହାଯାଉଛି ।


Share It

Comments are closed.