ଏମଏସପିକୁ ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ମୋଦି ସରକାର – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ସଂସଦରେ କୃଷି ବିଲ୍ ପାରିତ ହେବା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି କରିବା ନେଇ ଅନୁମୋଦନ କରିଛନ୍ତି । ଏ ସଂକ୍ରାନ୍ତୀୟ କ୍ୟାବିନେଟ ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରକୁ ଧନ୍ୟବାଦ ଦେଇଛନ୍ତି । କେନ୍ଦ୍ର ସରକାର କୃଷିଜାତ ସାମଗ୍ରୀରେ ଏମ୍‌ଏସ୍‌ପି ବୃଦ୍ଧି କରି ଚାଷୀଙ୍କ ପାରିଶ୍ରମିକ ମୂଲ୍ୟକୁ ସୁନିଶ୍ଚିତ କରିଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାର ଆଗାମୀ ରବି ଫସଲ ପାଇଁ ଏମଏସପି ବୃଦ୍ଧି କରିଛନ୍ତି । ଗହମ ପାଇଁ ଏମଏସପି କ୍ୱିଂଟାଲ ପିଛା ୫୦ ଟଙ୍କା ବୃଦ୍ଧି କରାଯାଇଛି । ଏମଏସପି ବୃଦ୍ଧି ପରେ ବର୍ତମାନ ଗହମର ମୂଲ୍ୟ କ୍ୱିଂଟାଲ ପିଛା ହୋଇଛିି ୧୯୭୫ ଟଙ୍କା । ସେହିପରି ଚଣା ଡାଲିର ଏମଏସପି ୨୨୫ ଟଙ୍କା ବୃଦ୍ଧି କରାଯାଇଛି । ଫଳରେ ଚଣା ଡାଲି କ୍ୱିଂଟାଲ ପିଛା ଏମଏସପି ୫୧୦୦ ଟଙ୍କା ହୋଇଛି । ମସୁର ଡାଲି ୩୦୦ ଟଙ୍କା କ୍ୱିଂଟାଲ ପିଛା ବୃଦ୍ଧି କରାଯିବା ପରେ ଏହାର ମୂଲ୍ୟ ହୋଇଛି ୫୧୦୦ ଟଙ୍କା । ସୋରିଷ କ୍ୱିଂଟାଲ ପିଛା ୨୨୫ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଏହାର ମୂଲ୍ୟ ଏବେ ହୋଇଛି ୪୬୫୦ ଟଙ୍କା । ବାର୍ଲି କ୍ୱିଂଟାଲ ପିଛା ୭୫ ଟଙ୍କା ଏମଏସପି ବୃଦ୍ଧି କରାଯାଇଥିବା ବେଳେ ଏବେ ଏହାର ମୂଲ୍ୟ କ୍ୱିଂଟାଲ ପିଛା ହୋଇଛିି ୧୬୦୦ ଟଙ୍କା । କୁସୁମ କ୍ୱିଂଟାଲ ପିଛା ୧୧୨ ଟଙ୍କା ବୃଦ୍ଧି ହେବା ପରେ ଏହାର ମୂଲ୍ୟ ୫୩୨୭ ଟଙ୍କା ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ୨୦୧୩-୧୪ରେ କଂଗ୍ରେସ ଶାସନରେ ଚାଷୀମାନେ ମସୁର ଡାଲି କ୍ୱିଂଟାଲ ପିଛା ୨୯୫୦ ଟଙ୍କାରେ ବିକ୍ରି କରୁଥିଲେ । କିନ୍ତୁ ଆଜି ଚାଷୀମାନେ ୫,୧୦୦ ଟଙ୍କାରେ ମସୁର ଡାଲି କ୍ୱିଂଟାଲ ପିଛା ବିକ୍ରି କରିପାରିବେ । ଯାହା ତୁଳନା କଲେ ମୋଦି ସରକାରରେ ଏହି ପରିମାଣ ୭୩ ପ୍ରତିଶତ ବୃଦ୍ଧି ପାଇଛି । ସେ କହିଛନ୍ତି ୨୦୧୪-୧୯ ମଧ୍ୟରେ ମୋଦି ସରକାର ଚାଷୀଙ୍କ ଠାରୁ ୭୬.୮୫ ଲକ୍ଷ ମେଟ୍ରିକ ଟନର ଡାଲି କିଣିଛନ୍ତି । ମୋଦି ସରକାରରେ ଚାଷୀ ମାନଙ୍କୁ ଏମଏସପି ବାବାଦକୁ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ଦିଆଯାଇଛି । କଂଗ୍ରେସର ଶେଷ କାର୍ଯ୍ୟକାଳ ସମୟରେ ଚାଷୀଙ୍କୁ ଦିଆଯାଇଥିବା ଏମଏସପିକୁ ହିସାବ କଲେ ମୋଦି ସରକାରରେ ଏହା ଦୁଇ ଗୁଣା ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି କୃଷକ ଏବଂ ଉତ୍ପାଦନ ବ୍ୟାପାର ଏବଂ ବାଣିଜ୍ୟ (ପ୍ରୋତ୍ସାହନ ଏବଂ ସରଳୀକରଣ) ବିଲ୍ ୨୦୨୦ ବିଲ୍ ଦ୍ୱାରା ମଣ୍ଡି ବ୍ୟବସ୍ଥା ବନ୍ଦ ହୋଇଯିବ ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରାଯାଇଛି । କିନ୍ତୁ ବାସ୍ତବରେ ଏହା ଭୁଲ । ରାଜ୍ୟ ସରକାରଙ୍କ ଅଧୀନରେ ମଣ୍ଡିର ପରିଚାଳନା ଏବଂ ନିୟମ ପୂର୍ବଭଳି ଅପରିବର୍ତିତ ରହିବ । ମାତ୍ର ଚାଷୀମାନେ ମଣ୍ଡି ବ୍ୟତିତ ମଣ୍ଡି ବାହାରେ ବିକିବାକୁ ମଧ୍ୟ ସାମର୍ଥ୍ୟ ହେବେ ।
ଏହି ବିଲ୍ କୃଷକଙ୍କୁ ସଶକ୍ତ କରିବା ସହ କୃଷି ଭିତିଭୂମିକୁ ମଜବୁତ୍ କରିବ ଏବଂ ଚାଷୀଙ୍କ ପାଇଁ ନୂଆ ବଜାର ସୃଷ୍ଟି ହେବ । ପାରିତ କୃଷି ବିଲ୍ ଦ୍ୱାରା ଚାଷୀଙ୍କ ଉତ୍ପାଦିତ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କିଛି ପ୍ରଭାବ ପଡିବ ନାହିଁ । ଏହି ବିଲ୍ କୃଷି କ୍ଷେତ୍ରରେ ଐତିହାସିକ ପରିବର୍ତନ ଆଣିବ । ଦେଶର ଚାଷୀଙ୍କ ଆୟ ବଢିବ ଏବଂ ସେମାନଙ୍କ ଜୀବନରେ ସୁପ୍ରଭାବ ପକାଇବ ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ସରକାର କୃଷକଙ୍କୁ ସଶକ୍ତ କରିବା ପାଇଁ ପ୍ରତିବଦ୍ଧ ଏବଂ ସେମାନଙ୍କ କଲ୍ୟାଣ ପାଇଁ ଲଗାତାର ନୂଆ ଉଦ୍ୟମ କରୁଛନ୍ତି । କିନ୍ତୁ କିଛି ରାଜନୈତିକ ଦଳ କୃଷି ସଂସ୍କାର ବିଧେୟକକୁ ବିରୋଧ କରି ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ମୋଦି ସରକାରଙ୍କ ଅନ୍ନଦାତାଙ୍କ ପ୍ରତି କଲ୍ୟାଣ ସର୍ବୋପରି ରହିଛି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.