ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ ଓ ଚାଷୀଙ୍କୁ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଦେବା ନିମନ୍ତେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଗୁରୁତ୍ୱାରୋପ


ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ଏବଂ କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଯେପରି ଚାଷୀମାନେ ପାଇପାରିବ ସେଥି ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତିଗୁଡିକରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରିବାର ଆବଶ୍ୟକତା ରହିଛି । ଏହା ଦ୍ୱାରା ରାଜ୍ୟର କୃଷକମାନଙ୍କର ଉତ୍ପାଦିକତା ବଢିବା ସହିତ ସେମାନଙ୍କ ଆୟ ବୃଦ୍ଧି ହୋଇପାରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷୟକ୍ଷତିକୁ ମଧ୍ୟ କାମ କରାଯାଇପାରିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଏଥି ନିମନ୍ତେ ପ୍ୟାକ୍ସଗୁଡିକରେ ଚାଷୀମାନଙ୍କୁ ବିଭିନ୍ନ ଫସଲ ଅମଳ ପରବର୍ତ୍ତୀ ସୁବିଧା ଯୋଗାଇ ଦେବା ଦିଗରେ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ନାବାର୍ଡ ପକ୍ଷରୁ କେନ୍ଦ୍ର ଯୋଜନା କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ ସ୍ପେସିଆଲ ରିଫାଇନାନ୍ସ ଯୋଜନାରେ ଋଣ ପ୍ରଦାନ କରାଯାଇଛି । ଏହି ଋଣର ମଂଜୁରିପତ୍ର ଆଜି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଗୋପବନ୍ଧୁ ଶତପଥୀଙ୍କୁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ହସ୍ତାନ୍ତର କରିଥିଲେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୦ଟି ପ୍ୟାକ୍ସଗୁଡିକରେ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରି ଏଗୁଡିକୁ ବହୁମୁଖୀ ସେବାକେନ୍ଦ୍ରରେ ପରିଣତ କରାଯିବ ଓ ଏଥି ନିମନ୍ତେ ନାବାର୍ଡ ପକ୍ଷରୁ ୨୬ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଋଣ ରିହାତି ହାରରେ ଯୋଗାଇ ଦିଆଯିବ ।


ଆଜି ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଆୟୋଜିତ ଏକ ଭିଡିଓ କନ୍‌ଫରେନ୍ସିଂ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କଗୁଡିକର ମୁଖ୍ୟ କାର୍ଯ୍ୟନିର୍ବାହ ଏବଂ ଡିଆରସିଏସ ଓ ଏଆରସିଏସମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ଜିଲ୍ଲାରେ କୃଷକମାନଙ୍କର ଆବଶ୍ୟକତା ଅନୁଯାୟୀ ଫସଲ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ କୃଷି ଭିତ୍ତିଭୂମି ପ୍ରତିଷ୍ଠା କରି ପ୍ୟାକ୍ସ ମାଧ୍ୟମରେ ଚାଷୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୦ ଗୋଟି ପ୍ୟାକ୍ସରେ ଆବଶ୍ୟକତା ଅନୁଯାୟୀ ଗୋଦାମଗୃହ, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ମାର୍କେଟ କମ୍ଲେକ୍ସ, ଓୟାର ହାଉସ, ୱେ-ବ୍ରିଜ, ଇ-ମାର୍କେଟିଂ ପ୍ଲାଟଫର୍ମ, ପ୍ୟାକେଜିଂ ସୁବିଧା, ଆଗ୍ରୋ ଷ୍ଟୋରେଜ କେନ୍ଦ୍ର, ଗ୍ରାମ୍ୟ ଗୋଦାମ ଗୃହ, କୃଷିଜାତ ଦ୍ରବ୍ୟର କୋଲଡ ଚେନ ଏବଂ କୃଷିଜାତ ଦ୍ରବ୍ୟର ସପ୍ଲାୟ ଚେନ ଆଦି ନିର୍ମାଣ କରାଯିବ । ଏହା ଦ୍ୱାରା ଗୋଷ୍ଠୀ କୃଷି ଭିତ୍ତିଭୂମି ପ୍ରତିଷ୍ଠା କରାଯାଇ ପ୍ରାଥମିକ କୃଷି ସେବା ସମିତିଗୁଡିକୁ ଅଧିକ ସୁଦୃଢ ଓ ପୋଷଣୀୟ କରାଯାଇପାରିବ ଏବଂ ଚାଷୀମାନଙ୍କୁ ବିଭିନ୍ନ ସେବା ଯୋଗାଇ ଦିଆଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଏହି ଅବସରରେ ନାବାର୍ଡର ସାଧାରଣ ପରିଚାଳକ ଶ୍ରୀ ଏ.ପି.ଦାସ ଅନ୍ୟତମ ସାଧାରଣ ପରିଚାଳକ, ନାବାର୍ଡ ଶ୍ରୀ ବି. ନାଗେଶ୍ୱର ରାଓ, ଡି.ଜି.ଏମ ନାବାର୍ଡ ଶ୍ରୀ ଭି. ବାଲସୁବ୍ରମଣ୍ୟମ ରେଜିଷ୍ଟାର, କୋଅପରେଟିଭ ସୋସାଇଟି ଶ୍ରୀ ଭରତ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ ।


Share It

Comments are closed.