ପଞ୍ଜାବ ଠାରୁ ହାରି ମଧ୍ୟ କୋହଲିଙ୍କ ଉପରେ ଲାଗିଲା ୧୨ ଲକ୍ଷ ଟଙ୍କାର ଜରିମାନା


କିଙ୍ଗସ୍ ଇଲେଭେନ୍ ପଞ୍ଜାବ ବିପକ୍ଷ ମ୍ୟାଚରେ ହାରିବା ପରେ କ୍ୟାପଟେନ୍ ବିରାଟ କୋହଲିଙ୍କ ଅଡୁଆ ସରୁନି। ବିରାଟ କୋହଲିଙ୍କ ଉପରେ ସ୍ଲୋ-ଓଭର ରେଟ୍ ପାଇଁ ୧୨ ଲକ୍ଷ ଟଙ୍କା ଜରିମାନା ଲାଗିଛି। ବିରାଟରଙ୍କ ଟିମ୍ ନିର୍ଦ୍ଧାରିତ ସମୟରେ ୨୦ ଓଭର ପୂରଣ କରିନଥିଲେ। ଏହି କାରଣରୁ ପଞ୍ଜାବର ଇନିଂସ ଖୁବ୍ ବିଳମ୍ବରେ ଶେଷ ହୋଇଥିଲା। ଆଇପିଏଲର ନିୟମ ଅନୁସାରେ ଠିକ୍ ସମୟରେ ଓଭର ଶେଷ ନହେବା କାରଣରୁ କ୍ୟାପଟେନଙ୍କ ଉପରେ ଜରିମାନା ଲାଗିଥାଏ। ଆଇପିଏଲର ବର୍ତ୍ତମାନ ସିଜିନରେ ପ୍ରଥମ ଥର କୌଣସି କ୍ୟାପଟେନଙ୍କ ଉପରେ ସ୍ଲୋ ଓଭର ରେଟ୍ ପାଇଁ ଏହି ଦଣ୍ଡ ଦିଆଯାଇଛି। ଉଲ୍ଲେଖନୀୟ ଯେ, ଲଗାତାର ଭୁଲ ଦୋହରାଇବା କାରଣରୁ ମ୍ୟାଚରୁ କ୍ୟାପଟେନଙ୍କୁ ସସପେଣ୍ଡ କରିଦିଆଯାଇଥାଏ।

ଉଲ୍ଲେଖନୀୟ ଯେ, ଗୁରୁବାର ପଞ୍ଜାବ ବିପକ୍ଷ ମ୍ୟାଚରେ ବିରାଟ କୋହଲି ୬ ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ। ପ୍ରତ୍ୟେକ ବୋଲର ଅଧିକ ରନ୍ ଦେଇଥିଲେ। ଏହି ସମୟରେ ବିରାଟ ପ୍ରାୟ ପ୍ରତି ବଲ୍ ପରେ ବୋଲରଙ୍କ ସହିତ କଥା ହେଉଥିବାର ଦେଖିବାକୁ ମିଳିଥିଲେ, ଯାହାଫଳରେ ପ୍ରତି ଓଭରରେ ବିଳମ୍ବ ହେଉଥିଲା। ଏହା ସହିତ ଡେଲ୍ ଷ୍ଟେନ୍ ଓ ଉମେଶ ଯାଦବ ଓଭର ଶେଷ କରିବାରେ ଖୁବ୍ ସମୟ ନେଉଥିଲେ। ତା ଛଡା କେଏଲ ରାହୁଲ ଯୋରଦାର ବ୍ୟାଟିଂ କରି କୋହଲିଙ୍କ ଟିମକୁ ଖୁବ୍ ଅଡୁଆରେ ପକାଇଥିଲେ। କୋହଲି ମଧ୍ୟ କେଏଲ ରାହୁଲଙ୍କ ଦୁଇଟି କ୍ୟାଚ୍ ମିସ୍ କରିଥିଲେ। ଏହାପରେ କୋହଲି ବାଉଣ୍ଡ୍ରୀରେ ଖୁବ୍ ହତାଶ ଓ ନିରାଶ ହୋଇପଡିଥିବାର ଦେଖିବାକୁ ମିଳିଥିଲେ।

ଇଣ୍ଡିଆନ ପ୍ରିମିୟର ଲିଗର ୬ଷ୍ଠ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ କିଙ୍ଗସ୍ ଇଲେଭେନ୍ ବିପକ୍ଷ ମ୍ୟାଚରେ ଲଜ୍ୟାଜନକ ପରାଜୟ ବରଣ କରିବାକୁ ପଡିଥିଳା। ବାଙ୍ଗାଲୋରକୁ ପଞ୍ଜାବ ୯୭ ରନରେ ହରାଇଥିଲା। ପଞ୍ଜାବ ପୂର୍ବରୁ ବ୍ୟାଟିଂ କରି ୨୦ ଓଭରରେ ୨୦୬ ରନ୍ କରିଥିଲା। ଏହାର ଜବାବରେ ବାଙ୍ଗାଲୋର ଟିମ୍ ୧୦୯ ରନରେ ଅଲଆଉଟ୍ ହୋଇଯାଇଥିଲା। କୋହଲିଙ୍କଠାରୁ ନେଇ ଦଳର ସବୁ ଷ୍ଟାର ଖେଳାଳି ଫ୍ଲପ୍ ହୋଇଯାଇଥିଲେ।


Share It

Comments are closed.