କଙ୍ଗନାଙ୍କ ପ୍ରଡକ୍ସନ କମ୍ପାନୀ ଅଫିସରେ ବିଏମସିର ଚଢାଉ


କଙ୍ଗନା ରାଣାୱତଙ୍କ ପ୍ରଡକ୍ସନ କମ୍ପାନୀର ଅଫିସରେ ବିଏମସି ଚଢ଼ାଉ କରିଛି। କଙ୍ଗନା ନିଜେ ଏହାର ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଛନ୍ତି। କଙ୍ଗନା ପ୍ରଥମେ ନିଜ ଅଫିସର ଭିଡିଓ ସେୟାର କରିଛନ୍ତି ଏବଂ ଲେଖିଛନ୍ତି,ଏହା ମୁମ୍ବାଇରେ ମଣିକର୍ଣ୍ଣିକା ଫିଲ୍ମସର ଅଫିସ୍,ଯାହାକୁ ସେ ୧୫ବର୍ଷ ପରିଶ୍ରମ କରି ରୋଜଗାର କରିଛନ୍ତି,ତାଙ୍କ ଜୀବନରେ ଗୋଟିଏ ସ୍ୱପ୍ନ ଥିଲା ଯେତେବେଳେ ସେ ଫିଲ୍ମ ନିର୍ମାତା ହେବେ ତାଙ୍କର ନିଜର ଏକ ଅଫିସ୍ ରହିବ। କିନ୍ତୁ ଲାଗୁଛି ଯେ ଏହି ସ୍ୱପ୍ନ ଭାଙ୍ଗିବା ସମୟ ଆସିଯାଇଛି। ଆଜି ସେଠାରେ ହଠାତ୍ ବିଏମସିର ଲୋକ ଆସି ଯାଇଥିଲେ। କଙ୍ଗନା ପୁଣି ଥରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିଏମସିର ଲୋକ କଙ୍ଗନାଙ୍କ ଅଫିସରେ ସବୁ କିଛି ଦେଖୁଛନ୍ତି।

ଏହି ଭିଡିଓକୁ ସେୟାର କରି କଙ୍ଗନା ଲେଖିଛନ୍ତି ,‘ ସେମାନେ ଜବରଦସ୍ତି ତାଙ୍କ ଅଫିସ୍ ଭିତରକୁ ପଶି ଆସିଥିଲେ ଏବଂ ସବୁ କିଛି ଦେଖିଥିଲେ। ତାଙ୍କ ପଡ଼ୋଶୀମାନେ ଆପତ୍ତି କରିବାରୁ ତାଙ୍କୁ ମଧ୍ୟ ହଇରାଣ କରିଥିଲେ। ବିଏମସିର କର୍ମଚାରୀଙ୍କ ଭାଷା ଏପରି କିଛି ଥିଲା, ସେଇ ଯେଉଁ ମ୍ୟାଡାମ୍ ଅଛନ୍ତି ତାଙ୍କ କାରନାମାର ପରିଣାମ ସମସ୍ତଙ୍କୁ ଚୁକାଇବାକୁ ପଡ଼ିବ। ତାଙ୍କୁ ସୂଚିତ କରାଯାଇଛି ଯେ ସେମାନେ ଆସନ୍ତା କାଲି ତାଙ୍କ ସମ୍ପତ୍ତିକୁ ଧ୍ୱସ୍ତ କରିବେ।’ କଙ୍ଗନା ଆଉ ଏକ ଟ୍ୱିଟ କରିଛନ୍ତି,‘ତାଙ୍କ ପାଖରେ ସବୁ କାଗଜପତ୍ର ରହିଛି ଏବଂ ବିଏମସିର ଅନୁମତି ମଧ୍ୟ। ସେ ନିଜ ସମ୍ପତ୍ତିରେ କିଛି ବି ବେଆଇନ୍ କରି ନାହାନ୍ତି।’


Share It

Comments are closed.