କରୋନାଭଳି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ କ’ଣ ରହିଛି ଓଡ଼ିଆ ପରମ୍ପରା


କରୋନାରୂପୀ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଯେତେବେଳେ ସମ୍ପୁର୍ଣ୍ଣ ମାନବ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ସେତେବେଳେ ସନାତନ ଧର୍ମର ମୁଖ୍ୟ ଉପାସକ ବୋଲାଉଥିବା ଓଡ଼ିଶା ଲୋକ ମାନଙ୍କର ଅଗାଢ ବିଶ୍ୱାସ ରହିଛି ସେହି କାଳିଆ ଠାକୁରଙ୍କ ଉପରେ । ଜଗତର ନାଥ ଜଗନ୍ନାଥ ଚାହିଁଲେ ଏଭଳି ବିପଦରୁ ମୁକ୍ତି ମିଳିପାରିବ । ସିଏହିଁ ଏକମାତ୍ର ଆଶା ଏବଂ ଭରଷା । କାହିଁକିବା ଏ ଓଡ଼ିଆ ଜାତି ବିଶ୍ୱାସବା ନକରିବ । ଇତିହାସ କହେ, ପୂର୍ବରୁ କଳା ପାହାଡ଼ର ଆକ୍ରମଣରୁ ହେଉ କିମ୍ବା ହଇଜା, ବସନ୍ତ ପରି ମହାମାରୀ ଦାଉରୁ ଓଡ଼ିଆ ଜାତିକୁ ରକ୍ଷା କରିଛନ୍ତି ସେହି କାଳିଆ ସାଆନ୍ତ । ଓଡ଼ିଶା କାହିଁକି ସମ୍ପୁର୍ଣ୍ଣ ବିଶ୍ୱରେ ତାଙ୍କୁ ବିଶ୍ୱାସ କରୁଥିବା ଅନେକ ଶ୍ରଦ୍ଧାଳୁ ବର୍ତମାନ ଆକୁଳଭାବେ ଚିତ୍କାର କରୁଛନ୍ତି, ହେ ପ୍ରଭୁ ଏ ମାନବ ସମାଜକୁ ଉଦ୍ଧାର କର । ନିକଟରେ ଏକ ଆଇଟି ପ୍ରଫେସନାଲଙ୍କଠାରେ କରୋନା ଚିହ୍ନଟ ପରେ ସେ କହିଥିଲେ ମୋର କିଛି ହେବ ନାହିଁ, କାରଣ ମୋ ପାଖରେ ମୋ ଜଗନ୍ନାଥ ଅଛନ୍ତି । ଜଣା ନାହିଁ ଏହା କେତେ ମାତ୍ରାରେ ସତ୍ୟ ପ୍ରମାଣିତ ହେବ କିନ୍ତୁ ବିଜ୍ଞାନ କହେ ଏହି ବିଶ୍ୱାସ ହିଁ ମଣିଷକୁ ବିଭିନ୍ନ ଅସାଧ୍ୟ ରୋଗ ଦାଉରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହି ଘଡ଼ିସନ୍ଧି ମୁହୁର୍ତରେ ଯେତେବେଳେ ଠାକୁରଙ୍କ ଦୁତ ବୋଲାଉଥିବା ନିଜେ ଡ଼ାକ୍ତର ମଧ୍ୟ କରୋନାରେ ପିଡ଼ୀତହୋଇ ମୃତ୍ୟୁ ବରଣ କରୁଛନ୍ତି, ସେତେବେଳେ ଏ ମାନବ ସମାଜ ପାଖରେ ସେହି ବିଶ୍ୱ ନିୟନ୍ତା ହିଁ ଏକମାତ୍ର ଭରଷା ।
ଗତକାଲି ପୁରୀରେ ଜଗନ୍ନାଥ ମନ୍ଦିରରୁ ସ୍ୱୟଂ ଜଗନ୍ନାଥ ନୃସିଂହ ବେଶରେ ପାଲିଙ୍କିରେ ଓହ୍ଲାଇ ଚାରି ମଠ ଭ୍ରମଣ କରିଛନ୍ତି । ପରମ୍ପରା ଅନୁଯାୟୀ ପୃଥିବୀକୁ କୌଣସି ବିପଦ ଗ୍ରାସକଲେ ସେତେବେଳେ ସ୍ୱୟଂ ଜଗନ୍ନାଥ ବାଡ଼ି ନୃସିଂହ ବେଶରେ ଆସି ଚାରି ମଠ ପରିଦର୍ଶନ କରିଥାନ୍ତି ଏବଂ ମଝି ରାସ୍ତାରେ ବାଡ଼ି ଉଦ୍ଦେଶ୍ୟରେ ପଣା ସମର୍ପଣ କରାଯାଇଥାଏ । ନୃସିଂହ ଯିଏକି ବିପଦ ମୋଚନ କରିବାର ସଙ୍କେତ ଏବଂ ବାଡ଼ି ମାନେ ମହାମାରୀ । ତେଣୁ ବାଡ଼ି ନୃସିଂହ ଅବତାରର ଅର୍ଥ ହେଉଛି ଯିଏ ମହାମାରୀ ରୂପି ବିପଦରୁ ସଂସାରକୁ ଉଦ୍ଧାର କରିଥାଏ । ତେବେ ପୁରୀ ବଡ଼ପଣ୍ଡାଙ୍କ ଅନୁଯାୟୀ ଏହି ବାଡ଼ି ନୃସିଂହ ବିଜେ ଉପାଖ୍ୟାନ କଥା ମାଦଳା ପାଞ୍ଜିରେ ମଧ୍ୟ ଉଲ୍ଲେଖ ରହିଛି । ଯେତେବେଳେ ପୁରୁଣା କାଳରେ ଲୋକମାନେ ହଇଜା ଏବଂ ବସନ୍ତପରି ମହାମାରୀରେ ପୋକ ମାଛିପରି ମୃତ୍ୟୁବରଣ କରିଥିଲେ, ସେତେବେଳେ ମଧ୍ୟ ପୁରୀରେ ଏହି ପରମ୍ପରା ଅନୁଷ୍ଠିତ ହୋଇଥିଲା । ତେଣୁ କୋଟି ଓଡ଼ିଆର ପ୍ରାଣ, ଜଗନ୍ନାଥଙ୍କ ନିକଟରେ ଏତିକି ଗୁହାରୀ ଏ କରୋନା ରୁପୀ ମହାମାରୀରୁ ସଂସାରକୁ ଅତିଶୀଘ୍ର ଉଦ୍ଧାର କରନ୍ତୁ ।


Share It

Comments are closed.