ଚିଲ ଖସାଇବ ଶତ୍ରୁପକ୍ଷ ଡ୍ରୋନ୍‌


ଶତ୍ରୁପକ୍ଷ ଡ୍ରୋନ୍‌କୁ ଧ୍ବଂସ ପାଇଁ ଭାରତୀୟ ସେନା ତରଫରୁ ଚିଲଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଏହାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୀମା ଆରପଟୁ ଡ୍ରୋନ୍‌ ସାହାଯ୍ୟରେ ଭାରତର ପଞ୍ଜାବ ଓ ଜମ୍ମୁ-କାଶ୍ମୀରକୁ ଶତ୍ରୁପକ୍ଷ ବନ୍ଧୁକ, ଗୁଳିଗୋଳା, ନିଶାଦ୍ରବ୍ୟ ଓ ଟଙ୍କା ଭାରତ ମଧ୍ୟକୁ ପଠାଉଛନ୍ତି। ତେଣୁ ଶତ୍ରୁପକ୍ଷର ଡ୍ରୋନ୍‌କୁ ଧ୍ବଂସ କରିବାକୁ ଭାରତୀୟ ସେନା ତରଫରୁ ଚିଲ ଓ କୁକୁରଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି। ସୂଚନାଥାଉ କି ଗତ ୨୪ରେ ଜମ୍ମୁର ସାମ୍ବା ଜିଲାରେ ଏକ ପାକିସ୍ତାନ ଡ୍ରୋନ୍‌ ଗୁଳିଗୋଳା ଓ ଟଙ୍କା ପକାଇଥିବା ବେଳେ ସ୍ଥାନୀୟ ପୁଲିସ ସେଗୁଡ଼ିକୁ ଜବତ କରିଥିଲା।
ଶନିବାରରୁ ଉତ୍ତରାଖଣ୍ଡର ଆଉଲିରେ ଭାରତ-ଆମେରିକା ମିଳିତ ଯୁଦ୍ଧାଭ୍ୟାସ ଆରମ୍ଭ ହୋଇଛି। ଏହି ଯୁଦ୍ଧାଭ୍ୟାସ ସମୟରେ ଚିଲଙ୍କୁ ବ୍ୟବହାର କରି କିପରି ଶତ୍ରୁପକ୍ଷର ଡ୍ରୋନ୍‌କୁ ଧ୍ବଂସ କରାଯାଏ
ସେ ସଂପର୍କରେ କୌଶଳ ପ୍ରଦର୍ଶିତ ହୋଇଥିଲା। ପ୍ରତିବର୍ଷ ଭାରତ ଓ ଆମେରିକା ସେନା ମିଳିତ ଯୁଦ୍ଧାଭ୍ୟାସ କରିଥାନ୍ତି। ୨୦୨୧ରେ ଏହି ଯୁଦ୍ଧାଭ୍ୟାସ ଆମେରିକାର ଆଲାସ୍କାସ୍ଥିତ ଏଲମେଡ୍ରଫ୍‌ ରିଚାର୍ଡସନ ଘାଟିରେ ଅନୁଷ୍ଠିତ ହୋଇଥିଲା। ଚଳିତଥର ଭାରତରେ ଅନୁଷ୍ଠିତ ହେଉଥିବା ଯୁଦ୍ଧାଭ୍ୟାସରେ ଆମେରିକାର ସେନାର ୧୧ ଏୟାରବର୍ନ ଡିଭିଜନ ଓ ଭାରତୀୟ ସେନାର ଆସାମ ରେଜିମେଣ୍ଟର ସେନା ଯବାନ ଓ ଅଧିକାରୀ ସାମିଲ ହୋଇଛନ୍ତି। ଏହି ଯୁଦ୍ଧାଭ୍ୟାସ ୧୫ ଦିନ ଧରି ଚାଲିବ।


Share It

Comments are closed.