ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର


ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟ୍ୱେଣ୍ଟି । ୩ମ୍ୟାଚ୍‌ ବିଶିଷ୍ଟ ଏହି ସରିଜର ପ୍ରଥମ ମ୍ୟାଚ୍‌ ଜିତିବା ପରେ ରୋହିତ ବାହିନୀ ସିରିଜ ଉପରେ ନଜର ପକାଇଛି ।ଶୁକ୍ରବାର ବିଜୟ ସହ ସିରିଜ କବ୍‌ଜା କରିବା ଦଳର ପ୍ରଥମ ଲକ୍ଷ୍ୟ ହେବ । ଅନ୍ୟ ପଟରେ ନ୍ୟୁଜିଲାଣ୍ଡ ଶ୍ରେଷ୍ଠ ପ୍ରଦର୍ଶନ ସହ ସିରିଜକୁ ଫେରିବାକୁ ଉଦ୍ୟମ କରିବ ।

ପ୍ରଥମ ମ୍ୟାଚ୍‌ରେ ଭାରତ ୫ ୱିକେଟ୍‌ରେ ବିଜୟ ହାସଲ କରିଥିଲେ ହେଁ ଲଢୁଆ ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ପ୍ରେମୀଙ୍କ ମନ ଜିଣିବାରେ ସଫଳ ହୋଇଥିଲା । ଏକଦା ଭାରତ ସହଜ ବିଜୟ ହାସଲ କରିବା ଆଶା କରାଯାଉଥିବା ବେଳେ ନ୍ୟୁଜିଲାଣ୍ଡ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌ ଟାଣି ନେଇଥିଲା ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍‌ ଖେଳିବାର ୨ ଦିନ ମଧ୍ୟରେ ନ୍ୟୁଜିଲାଣ୍ଡ ଦଳ କେନ ୱିଲିୟମସନ, ଡେଭନ କନୱେ, କେଲି ଜାମିସନଙ୍କ ଭଳି ଷ୍ଟାର ଖେଳାଳିଙ୍କ ଅନୁପସ୍ଥିତି ସତ୍ତେ୍ୱ ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରିବା ସହଜ କଥା ନୁହେଁ । ଶୃଙ୍ଖଳିତ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପାଇଁ ବିଜୟ ସହଜ ହେବ ନାହିଁ । ଅବଶ୍ୟ ମଧ୍ୟଭାଗରେ ଯୁବ ବ୍ୟାଟ୍ସମ୍ୟାନଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଭାରତୀୟ ଦଳକୁ ଉତ୍ସାହିତ କରିଛି । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକୀୟ ଇନିଂସକୁ ଦର୍ଶକ ସହଜରେ ଭୁଲିବେ ନାହିଁ । ଆଜିର ମ୍ୟାଚ୍‌ରେ ଭୁବନେଶ୍ୱର କୁମାର ନଜରରେ ରହିବେ । ପ୍ରଥମ ମ୍ୟାଚ୍‌ରେ ଭୁବି ବେଶ୍‌ ଆକର୍ଷଣୀୟ ବୋଲିଂ କରିଥିଲେ ।

ନ୍ୟୁଜିଲାଣ୍ଡର ଯୁବ ବ୍ୟାଟ୍ସମ୍ୟାନ୍‌ ମାର୍କ ଚାପମାନଙ୍କୁ ନେଇ ଭାରତୀୟ ବୋଲର ଚିନ୍ତାରେ ରହିବା ସ୍ୱାଭାବିକ । ୱିଲିୟମସନଙ୍କ ସ୍ଥାନରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଚାପମାନଙ୍କ ବ୍ୟାଟିଂ ବେଶ ପ୍ରଭାବଶାଳୀ ରହିଥିଲା । ସେ ୬୩ ରନ୍‌ର ଏକ ଚମକପ୍ରଦ ଇନିଂସ ଖେଳିଥିଳେ । ତାଙ୍କ ବ୍ୟାଟ୍‌ରୁ ଆଉ ଏକ ଦମ୍‌ଦାର ଇନିଂସ ଆଶା କରାଯାଇପାରେ ।ରାଞ୍ଚିରେ ଦର୍ଶକଙ୍କୁ ନେଇ କିଛି କଟକଣା ନାହିଁ । ତେବେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ । ରାଞ୍ଚିରେ ପ୍ରବଳ କାକର ପଡ଼ୁଥିବାରୁ ସ୍ପିନରମାନେ ପ୍ରଭାବିତ ହେବା ନିଶ୍ଚିତ । ଟସ ବିଜୟୀ ଦଳ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଇପାରେ ।

ସାମ୍ଭାବ୍ୟ ଦଳ
ଭାରତ: ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଅକ୍ଷର ପଟେଲ/ୟୁଝବେନ୍ଦ୍ର ଚହଲ, ଦୀପକ ଚହର, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପତିଲ, ଡାରିଲ ମିଚେଲ, ଗ୍ଳେନ ଫିଲିପ୍ସ, ଟିମ ସାଇଫର୍ଟ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, ଟିମ ସାଉଦି(ଅଧିନାୟକ), ଟ୍ରେଣ୍ଟ ବୋଲ୍ଟ, ଲୋକି ଫର୍ଗୁସନ, ଆଇସ ସୋଦ୍ଧି ।


Share It

Comments are closed.