୮୦ କୋଟି ଜନତାଙ୍କୁ ୨ଟଙ୍କାରେ ଗହମ ଏବଂ ୩ ଟଙ୍କାରେ ଚାଉଳ ଦେବ କେନ୍ଦ୍ର ସରକାର


କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଗ୍ରହଣ କରାଯାଇଥିବା ଶକ୍ତ ପଦକ୍ଷେପ ମଧ୍ୟରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଏକ ଖୁସି ଖବର ଆସିଛି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା କ୍ୟାବିନେଟ ବୈଠକରେ ଦେଶର ୮୦ କୋଟି ଜନତାଙ୍କୁ ଗହମ କିଲୋପ୍ରତି ୨ ଟଙ୍କା ଏବଂ ଚାଉଳ କିଲୋପ୍ରତି ୩ ଟଙ୍କାରେ ଦିଆଯିବାର ନିଷ୍ପତି ନିଆଯାଇଛି । ସମସ୍ତ ଜନତାଙ୍କୁ ୩ ମାସ ପୂର୍ବରୁ ରାଶନ ଦିଆଯିବ ।
କ୍ୟାବିନେଟ ବୈଠକ ପରେ କଳାବଜାରୀ ଏବଂ ଜମାଖୋରଙ୍କ ବିରୋଧରେ ଶକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର କହିଥିବାବେଳେ ଲୋକଙ୍କୁ ଗୁଜବରେ ବିଶ୍ୱାସ ନକରିବାକୁ ଏବଂ ଲକଡାଉନ ସମୟରେ ସାଧାରଣ ଦିନମାନଙ୍କ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଜାରି ରଖିବାକୁ ଆଦେଶ ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, କରୋନା ମହାମାରୀ କାରଣରୁ ସାରା ବିଶ୍ୱ ବର୍ତ୍ତମାନ ଘଡିସନ୍ଧି ମୂହୂର୍ତ୍ତରେ ଗତି କରୁଛି । ଏଥିପାଇଁ ସାମାଜିକ ଦୂରତା ଗ୍ରହଣ କରିବା ନିହାତୀ ଆବଶ୍ୟକ । ଏହାର କାରଣ ଯୋଗୁଁ ଗ୍ରହଣ କରାଯାଇଥିବା ଲକଡାଉନ ପାଇଁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି କାରଣରୁ ୮୦ କୋଟି ଜନତାଙ୍କୁ ଆଶ୍ୱସନା ଦେବା ପାଇଁ ଆମେ ଏହି ପନ୍ଥା ଆପଣାଇଛୁ । ଏଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇ ସାରିଛି ।


Share It

Comments are closed.