ଦେଶରେ ଘାତକ ହେଲାଣି କରୋନା: ମୃତ୍ୟୁ ମାମଲାରେ ଆମେରିକା, ବ୍ରାଜିଲକୁ ମଧ୍ୟ ପକାଇଲା ପଛରେ
ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୪ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୧୫ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୪ ଲକ୍ଷ ୧୪ ହଜାର ୧୮୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୯୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୧୪ ଲକ୍ଷ ୯୧ହଜାର ୫୯୮ରେ ପହଞ୍ଚିଛି।
କରୋନାରୁ ହେଉଥିବା ମୃତ୍ୟୁ ମଧ୍ୟ ସବୁ ଦେଶର ରେକର୍ଡ ଭାଙ୍ଗି ଦେଇଛି। ଏବେ ସୁଦ୍ଧା ଆମେରିକା ଓ ବ୍ରାଜିଲରେ ମୃତ୍ୟୁ ସଂଖ୍ୟା ଅଧିକ ଥିଲା। କିନ୍ତୁ ଗତ ୧୦ ଦିନରେ ଭାରତରେ କରୋନା ଜନିତ ମୃତ୍ୟୁ ସବୁଠାରୁ ଅଧିକ ହୋଇଛି। ଗତ ୧୦ ଦିନରେ ଦେଶରେ କୋଭିଡରେ ୩୬ ହଜାର ୧୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ଦିନ ଦେଶରେ ୪ ଲକ୍ଷ ୧୪ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ୩୯୨୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।
ଗତ ୧୦ ଦିନ ହେଲା ଦେଶରେ ପାଖାପାଖି ୩ ହଜାର ସଂକ୍ରମିତଙ୍କ ମୃତ୍ୟୁ ହେଉଛି। ଅର୍ଥାତ ଦେଶରେ ଘଣ୍ଟାକୁ ୧୫୦ ଜଣଙ୍କର ମୃତ୍ୟୁ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହା ପୂର୍ବରୁ ୧୦ ଦିନରେ ସବୁଠାରୁ ଅଧିକ ମୃତ୍ୟୁ ଆମେରିକାରେ ହୋଇଥିଲା। ୧୦ ଦିନ ଅବଧିରେ ଆମେରିକାରେ ୩୪ ହଜାର ୭୯୮ ମୃତ୍ୟୁ ରେକର୍ଡ କରାଯାଇଥିଲା। ମୃତ୍ୟୁ ମାମଲାରେ ବ୍ରାଜିଲ ଦ୍ୱିତୀୟ ସ୍ଥାନରେ ଥିଲା। ବ୍ରାଜିଲରେ ୧୦ ଦିନରେ ୩୨ ହଜାର ୬୯୨ ମୃତ୍ୟୁ ରେକର୍ଡ ହୋଇଥିଲା। ୧୦ ଦିନ ଅବଧିରେ ମେକ୍ସିକୋରେ ୧୩ ହଜାର ୮୯୭ ଜଣଙ୍କର ମୃତ୍ୟୁ ହୋଇଥିଲା।
ଗୁରୁବାର ଲଗାତାର ଦ୍ୱିତୀୟ ଦିନ ସଂକ୍ରମଣ ମାମଲା ୪ ଲକ୍ଷ ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୧୪ ହଜାର ୫୫୪ ମାମଲା ସାମ୍ନାକୁ ଆସିଛି। ଗତ ୨୪ ଘଣ୍ଟାରେ ୧୩ ରାଜ୍ୟରେ ୧୦୦ ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ୬ କେନ୍ଦ୍ର ଶାସିତ ପ୍ରଦେଶରେ ମୃତ୍ୟୁହାର ରେକର୍ଡ ସ୍ଥରରେ ପହଞ୍ଚିଛି। ଜନସଂଖ୍ୟା ହିସାବରେ ୧୩ ଛୋଟ ରାଜ୍ୟମାନଙ୍କ ମଧ୍ୟରୁ ଉତ୍ତରାଖଣ୍ଡରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି। ଗୁରୁବାର ଦିନ ଉତ୍ତରାଖଣ୍ଡରେ ୧୫୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ମାମଲାରେ ଉତ୍ତରାଖଣ୍ଡ ଦଶମ ସ୍ଥାନରେ ରହିଛି।
Comments are closed.