ତେଜସରେ ଖଞ୍ଜାଯିବ ଫ୍ରାନ୍ସ ନିର୍ମିତ ହାମର କ୍ଷେପଣାସ୍ତ୍ର
ଭାରତର ସ୍ୱଦେଶୀ ହାଲୁକା ଲଢୁଆ ବିମାନ ତେଜସ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ ହେବାକୁ ଯାଉଛି । କେନ୍ଦ୍ର ସରକାର ପ୍ରତିରକ୍ଷା ବାହିନୀକୁ ଜରୁରୀକାଳୀନ କ୍ରୟ ନିମନ୍ତେ ପ୍ରଦାନ କରିଥିବା କ୍ଷମତା ବଳରେ ପ୍ରତିରକ୍ଷା ବିଭାଗ ଫ୍ରାନ୍ସରୁ ହାମର କ୍ଷେପଣାସ୍ତ୍ର କିଣିବାକୁ ଅର୍ଡର ଉପସ୍ଥାପନ କରିଛି । ଉକ୍ତ କ୍ଷେପଣାସ୍ତ୍ରକୁ ତେଜସ ବିମାନରେ ଖଞ୍ଜାଯିବ । ଏହଦ୍ୱାରା ଭୂପୃଷ୍ଠରେ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବା ସହିତ ୭୦ କିଲୋମିଟର ଦୂରରେ ଥିବା ଶତ୍ରୁପକ୍ଷର ବଙ୍କରଗୁଡିକୁ ଧ୍ୱଂସ କରିପାରିବ । ଉଲ୍ଲେଖଯୋଗ୍ୟ ଯେ ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହିତ ଭାରତର ଉତ୍ତେଜନା ଲାଗି ରହିଥିବାବେଳେ ତେଜସର ଲଢୁଆ କ୍ଷମତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ପୂର୍ବରୁ ଭାରତର ପ୍ରତିରକ୍ଷା ବିଭାଗ ରାଫାଲେ ଲଢୁଆ ବିମାନଗୁଡିକ ପାଇଁ ହାମର କ୍ଷେପଣାସ୍ତ୍ର କ୍ରୟ କରିଥିଲା । ହାମର ଏକ ମଧ୍ୟମ ଦୂରଗାମୀ ଆକାଶ ମାର୍ଗରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏକ କ୍ଷେପଣାସ୍ତ୍ର ଯାହାକୁ ମୂଳତଃ ଫ୍ରାନ୍ସ ବାୟୁସେନା ଏବଂ ନୌ ସେନା ପାଇଁ ଡିଜାଇନ ଓ ନିର୍ମାଣ କରାଯାଇଥିଲା । ଏହା ପୂର୍ବ ଲଦାଖରେ ଭାରତୀୟ ସୈନ୍ୟବାହିନୀ ପାଇଁ ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।
Comments are closed.