ଭାରତୀୟ ଖେଳାଳୀଙ୍କୁ କଟାକ୍ଷ କଲେ ପୂର୍ବତ୍ତନ ପାକିସ୍ତାନୀ କ୍ରିକେଟର ସଲମାନ ବଟ୍ଟ


ମୋହାଲିରେ ବିଶାଳ ରନ୍‌ ପିଛା କରିବାକୁ ଯାଇ ବିଜୟୀ ହୋଇଥିବା ଅଷ୍ଟ୍ରେଲିଆ ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଦୃଢ ମନୋବଳ ପାଇଛି । ୨୦୮ ରନ କରିଥିଲେ ବି ପରାଜୟର ସାମ୍ନା କରିଛି ଟିମ୍‌ ଇଣ୍ଡିଆ । ମୋହାଲିରେ ଭାରତର ପରାଜୟ ପରେ ବ୍ୟାକ୍‌ ଫୁଟକୁ ଚାଲିଯାଇଛି ରୋହିତ ବାହିନୀ । ପ୍ରଥମେ ଏସିଆ କପରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ଠାରୁ ପରାଜୟ ପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିଥିଲା ଭାରତ । ଏବେ ଟି-ଟ୍ବେଣ୍ଟି ସିରିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଭାରତର ପ୍ରଦର୍ଶନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ୍ଟ ।

ସଲମାନ ବଟ୍ଟ କହିଛନ୍ତି, ‘ଦୁଇଟି କାରଣ ପାଇଁ ଭାରତ ପରାଜିତ ହେଉଛି । ଗୋଟିଏ ହେଉଛି ଫିଟନେସ୍‌ ଏବଂ ଆଉ ଗୋଟିଏ କାରଣ ହେଉଛି ପେସ୍‌ । ଯାହାକି ଆସନ୍ତା ମାସ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତ ପାଇଁ ବଡ ସମସ୍ୟା ହୋଇପାରେ’। ବଟ୍ଟ କହିଛନ୍ତି, ଅନ୍ୟମାନେ କଣ କହିବେ ତାହା ମୁଁ ଜାଣିନାହିଁ । କିନ୍ତୁ ମୋ ମତରେ, ଟିମ୍‌ ଇଣ୍ଡିଆର ଅଧିକାଂଶ ଖେଳାଳି ଫିଟନେସ୍‌ ପ୍ରତି ଆଦୌ ଧ୍ୟାନ ଦେଉନାହାନ୍ତି । ବିରାଟ ଏବଂ ହାର୍ଦ୍ଧିକଙ୍କ ବ୍ୟତିତ ପଡିଆ ମଧ୍ୟରେ ଅନ୍ୟମାନେ ସେଭଳି କ୍ରିୟାଶୀଳ ଦେଖାଯାଉନାହାନ୍ତି । ଏହା ସହିତ ପେସ୍‌ ମଧ୍ୟ ପରାଜୟର ଅନ୍ୟ ଏକ କାରଣ । କୌଣସି ବୋଲରଙ୍କ ନିକଟରେ ସେଭଳି ଗତି ନାହିଁ । ସେଥିପାଇଁ ବ୍ୟାଟର୍‌ ବିନା କୌଣସି ଦ୍ବିଧାରେ ଖେଳିପାରୁଛନ୍ତି ।

ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେଇ ସଲମାନ ବଟ୍ଟ କହିଛନ୍ତି, ‘ଲୋକେସ ରାହୁଲ ଏକ କ୍ୟାଚ୍‌ ହାତଛଡା କରିଥିଲେ । ଅକ୍ଷର ପଟେଲ ମଧ୍ୟ ମିଡ୍‌ ଓ୍ବିକେଟରେ ଏକ ସହଜସାଧ୍ୟ କ୍ୟାଚ୍‌ ମିସ୍‌ କରିଥିଲେ । ତେଣୁ ଏଭଳି ଭାବେ ଯଦି କ୍ୟାଚ୍‌ ଛାଡିବେ ତେବେ ଜଣେ ବ୍ୟାଟର୍‌ କେବେ ଆଉ ସୁଯୋଗ ଦେବେନାହିଁ । ତେଣୁ ଆସନ୍ତା ବିଶ୍ବକପ ପାଇଁ ଭାରତର ପ୍ରମୁଖ ସମସ୍ୟା ହେଉଛି ବୋଲିଂରେ ଗତି ବା ପେସ୍‌ ଏବଂ ଫିଟନେସ୍’।

ସେ ଆହୁରି ମଧ୍ୟ କହିଛନ୍ତି, ‘ଅଧିନାୟକ ରୋହିତ ଶର୍ମା, ଲୋକେସ ରାହୁଲ, ଭୁବନେଶ୍ବର କୁମାର ଏବଂ ଋଷଭ ପନ୍ତଙ୍କ ଭଳି ଖେଳାଳି ଫିଟନେସ୍‌ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଭାରତୀୟ କ୍ରିକେଟର ମାନେ ବିଶ୍ବର ସବୁଠାରୁ ଅଧିକ ଅର୍ଥ ନେଉଥିବା ଖେଳାଳି । ସେମାନେ ଅଧିକ ମ୍ୟାଚ୍‌ ବି ଖେଳୁଛନ୍ତି । କିନ୍ତୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡର ଖେଳାଳିଙ୍କ ତୁଳନାରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଫିଟନେସ୍‌ ବହୁତ କମ’।


Share It

Comments are closed.