ଭୀଷଣ ବର୍ଷାରେ ବେହାଲ ହେଲା ଜୟପୁର, ସଂପୂର୍ଣ୍ଣ ସହର ଜଳମଗ୍ନ


ରାଜସ୍ଥାନ ଜୟପୁରରେ ମୁଷଳଧାରା ବର୍ଷା ଅନେକ ବର୍ଷର ରେକର୍ଡ ଭାଙ୍ଗିଛି । ୫ ଘଣ୍ଟା ହେଲା ସହରରେ ଲଗାତାର ମୁଷଳଧାରା ବର୍ଷା ଲାଗିରହିଛି । ସହରର ସବୁ ରାସ୍ତା ଓ ଗଳିକନ୍ଦିରେ ପାଣି ଭର୍ତ୍ତି ହୋଇଯାଇଛି । ପାଣିପାଗ ବିଭାଗ ଅପରାହ୍ନ ଯାଏଁ ବର୍ଷା ହେବ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ୨୪ ଘଣ୍ଟା ଆଲର୍ଟ ରହିବାକୁ କୁହାଯାଇଛି ।  ସକାଳ ସାଢେ ୧୧ଟା ଯାଏଁ ବିମାନବନ୍ଦରରେ ୯୬ ମିମି ବର୍ଷା ରେକର୍ଡ କରାଯାଇଛି । ସିଏମଓ ଲଗାତାର ସ୍ଥିତି ଉପରେ ନଜର ରଖିଛନ୍ତି । ବର୍ଷା ଯୋଗୁଁ ସହରରେ ହାହାକାର ଖେଳିଯାଇଛି । ସହରର ପରକୋଟାରେ ୨-୩ ଫୁଟ ଉଚ୍ଚ ପାଣି ଜମା ହୋଇଛି । ତଳିଆ ଅଞ୍ଚଳରେ ଥିବା ବସ୍ତିଗୁଡିକ ଜଳମଗ୍ନ ହୋଇଛି । ଶାସନ ସଚିବାଳୟ ସାମ୍ନାରେ ଥିବା ସେଣ୍ଟ୍ରାଲ ପାର୍କର ପାଚେରୀ ବର୍ଷା ଯୋଗୁଁ ଭାଙ୍ଗି ଯାଇଛି । ସହରର ସବୁଠାରୁ ବଡ ହସ୍ପିଟାଲ ଏସଏମଏସ ହସ୍ପିଟାଲର କିଛି ୱାର୍ଡରେ ପାଣି ପଶିଯାଇଛି । ୧୯୮୧ ମସିହା ପରେ ସହରରେ ପ୍ରଥମଥର ଏତେ ବର୍ଷା ହୋଇଛି ବୋଲି କୁହାଯାଉଛି । ଭୀଷଣ ବର୍ଷା ଯୋଗୁଁ ଗୋଲାପୀ ସହରର ରାସ୍ତା ନଦୀରେ ପରିଣତ ହୋଇଛି । ହୋଟେଲ ଫେୟାରମୋଣ୍ଟରୁ କଂଗ୍ରେସ ବିଧାୟକଙ୍କୁ ନେଇ ବିଧାନସଭା ଆସୁଥିବା ଦୁଇଟି ବସ ପାଣିରେ ଫସିଯାଇଛି । ଦୁଇଟି ବସ ଜୋରାଵର ସିଂହ ଗେଟରେ ଫସି ଯାଇଥିଲା । ଉଦ୍ଧାର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପାଖାପଖିଆ ଅଧା ଘଣ୍ଟା ଯାଏଁ ଚେଷ୍ଟା କରି ଦୁଇଟି ବସକୁ ସେଠାରୁ ବାହାର କରାଯାଇଥିଲା । ସହରର ବ୍ରହ୍ମପୁରୀ ଅଞ୍ଚଳରେ ରାସ୍ତାରେ ଏତେ ପାଣି ଜମା ହୋଇଛି ଯେ ରାସ୍ତାରେ ଛିଡା ହୋଇଥିବା ସମସ୍ତ କାରରେ ପାଣି ଭର୍ତ୍ତି ହୋଇଯାଇଛି । ଅନେକ ଘର ଜଳମଗ୍ନ ହୋଇଯାଇଛି । ସହରରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ହେଲ୍ପ ଲାଇନ ନମ୍ବର ଜାରି କରିଛନ୍ତି । ଏସଡିଆରଏଫର ୫ ଟିମକୁ ସହରର ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି ।


Share It

Comments are closed.