ଆନ୍ତର୍ଜାତିକ ମହିଳା ଦିବସ ୨୦୨୫ ଅବସରରେ ଗୁଗୁଲ୍ ଷ୍ଟେମ୍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) କ୍ଷେତ୍ରରେ ଅଗ୍ରଣୀ ମହିଳାଙ୍କ ସଫଳତାକୁ ସମ୍ମାନ ଜଣାଇ ଏକ ସ୍ୱତନ୍ତ୍ର ଡୁଡଲ୍ ଉପସ୍ଥାପନ କରିଛି। ମହାକାଶ ଗବେଷଣା, ପ୍ରାଚୀନ ଆବିଷ୍କାର ଏବଂ ପରୀକ୍ଷାଗାର ଗବେଷଣା କ୍ଷେତ୍ରରେ ବୈପ୍ଳବିକ କାର୍ଯ୍ୟ କରିଥିବା ମହାନ ମହିଳାଙ୍କ ଅବଦାନକୁ ଏହି ଡୁଡଲ୍ ଆଲୋକପାତ କରିଛି ।
ଗୁଗୁଲ୍ ଏହାର ବାର୍ତ୍ତାରେ କହିଛି, ଏହି ଡୁଡଲ୍ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ସମଗ୍ର ବିଶ୍ୱରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ଉପରେ ଆଲୋକପାତ କରିବା ପାଇଁ ଜାତିସଂଘ ୧୯୭୫ ମସିହାରେ ପ୍ରଥମ ଥର ପାଇଁ ଏହି ଦିବସକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଥିଲା।
ତେବେ ଗୁଗୁଲ୍ ଏହା ମଧ୍ୟ ଉଲ୍ଲେଖ କରିଛି ଯେ ଷ୍ଟେମ୍ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଏବେ ବି ସୀମିତ ରହିଛି। ତଥ୍ୟ ଅନୁଯାୟୀ, ବିଶ୍ୱବ୍ୟାପୀ ଷ୍ଟେମ୍ କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶ ମାତ୍ର ୨୯ ପ୍ରତିଶତ। ଗୁଗୁଲ ଆହୁରି ମଧ୍ୟ କହିଛି, ମହିଳାଙ୍କ ଏହି ଅବଦାନ ଲିଙ୍ଗଗତ ସମାନତା ଦିଗରେ ହେଉଥିବା ଅଗ୍ରଗତିକୁ ପ୍ରତିଫଳିତ କରୁଛି, ତଥାପି ଷ୍ଟେମ୍ ହେଉଛି ଏପରି ଏକ କ୍ଷେତ୍ର ଯେଉଁଠାରେ ଏବେ ବି ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନ ରହିଛି।
ମିଳିତ ଜାତିସଂଘ ୧୯୭୫ ମସିହା ମାର୍ଚ୍ଚ ୮ ତାରିଖରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିଲା। ସେବେଠାରୁ ଏହି ବାର୍ଷିକ କାର୍ଯ୍ୟକ୍ରମ ସାରା ବିଶ୍ୱରେ ମହିଳାଙ୍କ ସାଂସ୍କୃତିକ, ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ସଫଳତାକୁ ସ୍ୱୀକୃତି ଦେଇଛି। ଲିଙ୍ଗଗତ ଭେଦଭାବ ଓ ଅସମାନତା ଦୂର କରିବା ଏବଂ ସମାନତା ଦିଗରେ ପ୍ରୟାସକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ।
Comments are closed.